ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାରେ ଅଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଏହାରି ଭିତରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ସୋସିଆଲ୍ ମିଡିଆରେ ଏକ ବଡ଼ ଗୁଜବ ସୃଷ୍ଟି ହୋଇଛି । ଏକ୍ସ ଏବଂ ଇନଷ୍ଟାଗ୍ରାମ ଭଳି ବିଭିନ୍ନ ପ୍ଲାଟଫର୍ମରେ ଦାବି କରାଯାଉଛି ଯେ ମୁମ୍ୱାଇ ବୈବଭଙ୍କୁ ନିଜ ଟିମରେ ସାମିଲ କରିବାକୁ ଚାହୁଁଛି ।

ସୋସିଆଲ୍ ମିଡିଆ ଦାବି ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ଛାଡ଼ି ମୁମ୍ବାଇ ଦଳରେ ସାମିଲ ହେବା ପାଇଁ ୩୦ କୋଟି ଟଙ୍କା, ଏକ ବିଳାସପୂର୍ଣ୍ଣ ଫ୍ଲାଟ୍ ଅଫର୍ କରିଛି । କିଛି ପୋଷ୍ଟରେ ଏପରିକି ଆଣ୍ଟିଲିଆରେ ଫ୍ଲାଟ୍ ଏବଂ ବ୍ଲାଙ୍କ ଚେକ୍ ଦିଆଯାଇଥିବା କଥା ମଧ୍ୟ କୁହାଯାଇଛି, ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଆଲୋଚନା ଆରମ୍ଭ ହୋଇଛି ।

ତେବେ ଫ୍ୟାକ୍ଟ ଚେକରୁ ଜଣାପଡ଼ିଛି ଯେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଟିମ୍ ମାଲିକଙ୍କ ପକ୍ଷରୁ ବୈଭବଙ୍କୁ ଏଭଳି କୌଣସି ଅଫର୍ ଦିଆଯାଇ ନାହିଁ । ବାସ୍ତବରେ, ବୈଭବ ନିଜ କ୍ରିକେଟ୍ ଆୟ ଏବଂ ବିଜ୍ଞାପନ ମାଧ୍ୟମରେ ମୁମ୍ବାଇରେ ପ୍ରାୟ ୨.୫ରୁ ୩ କୋଟି ଟଙ୍କାର ଏକ ସମ୍ପତ୍ତି କିଣିବାକୁ ନେଇ ଖବର ଆସିଥିଲା । ଯାହାକୁ କିଛି ସୋସିଆଲ ମିଡିଆ ଆକାଉଣ୍ଟ ଭୁଲବଶତଃ ଗୋଟିଏ ଶୂନ ଅଧିକ ଯୋଡ଼ି ୩୦ କୋଟି ବୋଲି ପ୍ରଚାର କରିଦେଇଥିଲେ ।

ଆଇପିଏଲର ପୂର୍ବତନ ଚେୟାରମ୍ୟାନ୍ ଲଲିତ ମୋଦୀ ମଧ୍ୟ ଏହି ଗୁଜବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ୍ ନିୟମ ଅନୁସାରେ କୌଣସି ଖେଳାଳିଙ୍କୁ ଏଭଳି ସିଧାସଳଖ ଅଫର୍ ଦିଆଯାଇପାରିବ ନାହିଁ । ଯଦି ରାଜସ୍ଥାନ ତାଙ୍କୁ ରିଲିଜ୍ କରେ, ତେବେ ବୈଭବ ନିଲାମ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ । ତେଣୁ ଏହି ସବୁ ଦାବି କେବଳ ସୋସିଆଲ ମିଡିଆରେ ଭ୍ୟୁ ଏବଂ ଏନଗେଜମେଣ୍ଟ ବଢ଼ାଇବା ପାଇଁ କରାଯାଉଥିବା ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବର ଅଟେ ।

ଆଇପିଏଲର ନିୟମ ଅନୁସାରେ ସିଜିନ୍ ମଝିରେ ଏହି ପ୍ରକାରର ସ୍ଥାନାନ୍ତର ଅସମ୍ଭବ । ଆଇପିଏଲ୍ ନିଲାମ ପୂର୍ବରୁ ପ୍ରି-ସିଜିନ୍ ଟ୍ରାନ୍ସଫର ୱିଣ୍ଡୋ ମଧ୍ୟରେ ସମସ୍ତ କାରବାର ସମାପ୍ତ ହେବାକୁ ପଡିବ । ସିଜିନ୍ ଚାଲିଥିବା ସମୟରେ କୌଣସି ଦଳ ଖେଳାଳି କିଣି ପାରିବେ ନାହିଁ । ଏହା ସହିତ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ପାଇଁ ବିସିସିଆଇର ନିର୍ଦ୍ଦିଷ୍ଟ ଦେୟ ଏବଂ ଦରମା ସୀମା ନିୟମାବଳୀ ଅଛି । ଦଳର ପର୍ସ ମଧ୍ୟରେ ହିସାବ ନ ଥିବା ଯେକୌଣସି ଆର୍ଥିକ ସୁବିଧା ଗମ୍ଭୀର ଦଣ୍ଡର କାରଣ ହୋଇପାରେ ।