ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନ ଏବଂ ନ୍ୟାୟପାଳିକା ଇତିହାସରେ ଶୁକ୍ରବାର (୫ ଜୁନ୍, ୨୦୨୬) ଏକ ସ୍ମରଣୀୟ ତଥା ଗୌରବମୟ ଦିନ ଭାବେ ଲିପିବଦ୍ଧ ହୋଇଯାଇଛି। ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଏକାସଙ୍ଗେ ଚାରୋଟି ଭିନ୍ନ ଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ର ମୁଖ୍ୟ ବିଚାରପତି ପଦବୀରେ ମହିଳାମାନେ ଅଧିଷ୍ଠିତ ହୋଇଛନ୍ତି। ସିକିମ୍ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ମିଳିବା ପରେ ଏହି ଅଭୂତପୂର୍ବ ରେକର୍ଡ ସୃଷ୍ଟି ହୋଇଛି।

୪ ଜଣ ମହିଳା ମୁଖ୍ୟ ବିଚାରପତି

ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟ: ପାଟନା ହାଇକୋର୍ଟ (ପୂର୍ବରୁ ସିକିମ୍ ହାଇକୋର୍ଟରେ ଥିଲେ)

ଜଷ୍ଟିସ୍ ସୁନୀତା ଅଗ୍ରୱାଲ: ଗୁଜରାଟ ହାଇକୋର୍ଟ (ସେ ଜୁଲାଇ ୨୦୨୩ ରୁ ଏହି ପଦବୀରେ କାର୍ଯ୍ୟରତ, ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ଥିଲେ)।

ଜଷ୍ଟିସ୍ ରେବତୀ ମୋହିତେ ଡେରେ: ମେଘାଳୟ ଉଚ୍ଚ ନ୍ୟାୟାଳୟ (୨୦୨୬ ଜାନୁଆରୀରେ ନିଯୁକ୍ତି ପାଇଛନ୍ତି, ପୂର୍ବରୁ ବମ୍ବେ ହାଇକୋର୍ଟରେ ଥିଲେ)।

ଜଷ୍ଟିସ୍ ଲିସା ଗିଲ୍: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ( ଚଳିତବର୍ଷ ଏପ୍ରିଲ୍ ମାସରେ ଦାୟିତ୍ୱ ଗ୍ରହଣ କରିଛନ୍ତି, ପୂର୍ବରୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଥିଲେ)।

ଏହା ପୂର୍ବରୁ ୨୦୧୮ ମସିହାରେ ଦେଶର ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତି ମହିଳା ଥିଲେ ।  କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ 'କାର୍ଯ୍ୟକାରୀ ମୁଖ୍ୟ ବିଚାରପତି' (Acting Chief Justice) ଭାବରେ ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ଏଥର ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟଙ୍କ ନିଯୁକ୍ତି ପରେ ଏକାସଙ୍ଗେ ୪ ଜଣ ମହିଳା ଉଚ୍ଚ ନ୍ୟାୟାଳୟର ସର୍ବୋଚ୍ଚ ଆସନ ଅଳଙ୍କୃତ କରିଛନ୍ତି ।

ହାଇକୋର୍ଟରେ ମହିଳାଙ୍କ ଉପସ୍ଥିତି
ଏହି ଐତିହାସିକ ସଫଳତା ସତ୍ତ୍ୱେ, ଦେଶର ଉଚ୍ଚ ନ୍ୟାୟପାଳିକାରେ (Higher Judiciary) ମହିଳାମାନଙ୍କ ପ୍ରତିନିଧିତ୍ୱ ବେଶ୍ କମ୍ ରହିଛି। ସରକାରୀ ତଥ୍ୟ ଏହି ଅସନ୍ତୁଳନକୁ ସ୍ପଷ୍ଟ କରୁଛି । ଚଳିତ ବର୍ଷ ଫେବୃଆରୀ ମାସରେ ସଂସଦରେ ଉପସ୍ଥାପିତ ହୋଇଥିବା ସରକାରୀ ରିପୋର୍ଟ ଅନୁସାରେ, ସମଗ୍ର ଦେଶର ବିଭିନ୍ନ ହାଇକୋର୍ଟରେ କାର୍ଯ୍ୟରତ ଥିବା ମୋଟ ୭୮୧ ଜଣ ବିଚାରପତିଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ମାତ୍ର ୧୧୬। ପ୍ରତିଶତ ହିସାବରେ ଦେଖିଲେ, ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ମୋଟ କ୍ଷମତାର ମାତ୍ର ୧୫ ପ୍ରତିଶତ ପାଖାପାଖି ରହିଛି।