• ଇରାନୀ ଅଧିକାରୀ ଆମେରିକା ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶନରଙ୍କ ସହ ପୁଣି ଥରେ ଆଲୋଚନା ଆରମ୍ଭ କରିବାକୁ ଆଗ୍ରହୀ ନଥିବା ଜଣାପଡିଥିଲା
  • ଏଣୁ ଇସ୍ଲାମାବାଦ ସମ୍ଭାବିତ ବାର୍ତ୍ତା ନିମନ୍ତେ ଜେ.ଡି.ଭେନ୍ସଙ୍କୁ ସମସ୍ତଙ୍କ ପସନ୍ଦର ମଧ୍ୟସ୍ଥ ଭାବେ ସୁପାରିଶ କରିଛି
  • ତେବେ ସମୟ, ସ୍ଥାନ, ଅଂଶଗ୍ରହଣକାରୀଙ୍କ ସମ୍ପର୍କରେ ବିବରଣୀ ଏବେବି ଅନିଶ୍ଚିତତାରେ ରହିଛି।

ୱାସିଂଟନ ୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇଁ ଜାରି ପ୍ରୟାସରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଚଳିତ ସପ୍ତାହ ଶେଷ ଆଡକୁ ପାକିସ୍ତାନ ଯାତ୍ରା ନିମନ୍ତେ ବିଚାର କରୁଛନ୍ତି। ଅଧିକାରୀକ ସୂତ୍ରରୁ ସିଏନଏନ ରିପୋର୍ଟ ଅନୁସାରେ ଇରାନ ସହ ଯୁଦ୍ଧରୁ ବାହାରକୁ ବାହାରିବା ପାଇଁ ଏହା ଦ୍ୱାରା ରାସ୍ତାର ଖୋଜାଯାଇ ପାରିବ ବୋଲି ଅନୁମାନ କରାଯାଉଛି। ଏହି ସମ୍ଭାବିତ ଯାତ୍ରା ତେହେରାନ ସହିତ ଗୋପନ କୂଟନୀତିକୁ ଆଗକୁ ବଢାଇବା ପାଇଁ ଟ୍ରମ୍ପ ପ୍ରଶାସନର ପ୍ରୟାସର ଅଂଶବିଶେଷ ବୋଲି କୁହାଯାଉଛି, ଯେଉଁଥିରେ ଇରାନ ସହ ଆଲୋଚନା ଲାଗି ପାକିସ୍ତାନ ଅଥବା ତୁର୍କି ସମ୍ଭାବିତ ସ୍ଥାନ ହୋଇ ପାରେ।

ଅଧିକାରୀମାନେ ସିଏନଏନକୁ କହିଛନ୍ତି ଯେ ଭେନ୍ସ ଓ ବରିଷ୍ଠ ଆମେରିକା ପ୍ରତିନିଧିଙ୍କ ମଧ୍ୟରେ ସମ୍ଭାବିତ ବୈଠକର ପ୍ରସ୍ତୁତି ଏବେ ଆରମ୍ଭ ହୋଇଯାଇଛି। ତେବେ ସମୟ, ସ୍ଥାନ, ଅଂଶଗ୍ରହଣକାରୀଙ୍କ ସମ୍ପର୍କରେ ବିବରଣୀ ଏବେବି ଅନିଶ୍ଚିତତାରେ ରହିଛି। ଏହି ପଦକ୍ଷେପ ସେହି ରିପୋର୍ଟ ପରେ ନିଆଯାଇଛି ଯେଉଁଥିରେ ଇରାନୀ ଅଧିକାରୀ ଆମେରିକା ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶନରଙ୍କ ସହ ପୁଣି ଥରେ ଆଲୋଚନା ଆରମ୍ଭ କରିବାକୁ ଆଗ୍ରହୀ ନଥିବା ଜଣାପଡିଥିଲା। ଏଣୁ ଇସ୍ଲାମାବାଦ ସମ୍ଭାବିତ ବାର୍ତ୍ତା ନିମନ୍ତେ ଜେ.ଡି.ଭେନ୍ସଙ୍କୁ ସମସ୍ତଙ୍କ ପସନ୍ଦର ମଧ୍ୟସ୍ଥ ଭାବେ ସୁପାରିଶ କରିଛି।

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ ପୂର୍ବରୁ କହିଛନ୍ତି ଯେ ଜେ.ଡି.ଭେନ୍ସ,, ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ, ଜେରେଡ କୁଶନର ଓ ଷ୍ଟିଭ ଭିଟକଫ ପ୍ରମୁଖ କୂଟନୀତିଜ୍ଞ ଏହି ପ୍ରୟାସରେ ଅଂଶଗ୍ରହଣ କରିବେ। ତେବେ ଭାନ୍ସଙ୍କ ଭାଗିଦାରୀ ରଣନୀତିରେ ପରିବର୍ତ୍ତନର ସଂକେତ ନୁହେଁ ବୋଲି ହ୍ୱାଇଟ ହାଉସ୍ ସ୍ପଷ୍ଟ କରିଦେଇଛି। ଉପରାଷ୍ଟ୍ରପତି ସର୍ବଦା ଜଣେ ମୁଖ୍ୟ ସଦସ୍ୟ, ରାଷ୍ଟ୍ରପତିଙ୍କ ଡାହାଣ ହାତ ଓ ଜାତୀୟ ସୁରକ୍ଷା ଟିମ୍ ର ଅଙ୍ଗ ଅଟନ୍ତି। ସେ ପ୍ରଶାସନର ପୁରା କାର୍ଯ୍ୟକାଳରେ ଏହି ଚର୍ଚ୍ଚାଗୁଡିକର ଅଂଶ ହୋଇ ରହିବେ। ତେବେ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଉଭୟ ବୈଦେଶିକ ଓ ଘରୋଇ ବ୍ୟାପାରରେ ଭାନ୍ସଙ୍କ ପରାମର୍ଶ ନିଅନ୍ତି।

ବାର୍ତ୍ତାରେ ସହଯୋଗ ନିମନ୍ତେ ପାକିସ୍ତାନ ବେଶ୍ ତତ୍ପରତା ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ଶହବାଜ ସରିଫ କହିଛନ୍ତି ଯେ ଇସ୍ଲାମାବାଦ ସାର୍ଥକ ଓ ନିର୍ଣ୍ଣାୟକ ବାର୍ତ୍ତାକୁ ସମର୍ଥନ କରିବାକୁ ପ୍ରସ୍ତୁତ। ଖବର ଅନୁସାରେ ପାକିସ୍ତାନ ଏବେ ନିଜକୁ ସମ୍ଭାବିତ ବାର୍ତ୍ତାର ସ୍ଥଳ ରୂପେ ଉପସ୍ଥାପନ କରୁଛି ଓ ପାକିସ୍ତାନୀ ଅଧିକାରୀମାନେ ଦି ଗାର୍ଡିଆନକୁ କହିଛନ୍ତି ଯେ ବୈଠକ ଚଳିତ ସପ୍ତାହରେ ହୋଇ ପାରେ। ଏଥି ମଧ୍ୟରେ ଆଞ୍ଚଳିକ ପକ୍ଷ ସାବଧାନତା ଅବଲମ୍ବନ କରିବାକୁ ଆଗ୍ରହ କରିଛନ୍ତି। ସିଏନଏନ ରିପୋର୍ଟ ଅନୁସାରେ ଉପସାଗରୀୟ ସହଯୋଗୀ ଦେଶମାନେ ନିଜନିଜ ସ୍ତରରେ ଆମେରିକାକୁ ସଂଘର୍ଷ ନ ବଢାଇବାକୁ ଚେତାବନୀ ଦେଇଛନ୍ତି।

ତେବେ କୂଟନୈତିକ ପ୍ରୟାସ ସାମରିକ ପ୍ରସ୍ତୁତି ସହିତ ଆଗକୁ ବଢୁଛି ଓ ରିପୋର୍ଟରୁ ସଂକେତ ମିଳୁଛି ୮୨ତମ ଏୟାରବର୍ଣ୍ଣ ଡିଭିଜନର ପାଖାପାଖି ୧,୦୦୦ ଆମେରିକୀୟ ସୈନିକଙ୍କୁ ଯୁଦ୍ଧ କ୍ଷେତ୍ରରେ ମୁତୟନ କରାଯାଇ ପାରେ। ଯେହେତୁ କୂଟନୈତିକ ଓ ସାମରିକ ଉଭୟ ଉଦ୍ୟମ ଏକସଙ୍ଗରେ ଚାଲିଛି ଏଣୁ ବାର୍ତ୍ତାର ସଫଳ ସମ୍ଭାନାକୁ ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଯୁଦ୍ଧ ଏବେ ପଞ୍ଚମ ସପ୍ତାହକୁ ପ୍ରବେଶ କରିଛି।

Also Read..
​​​​​​​ଖାଦ୍ୟ ଓ ଔଷଧ ବାହାନାରେ ଇରାନକୁ ଗୁପ୍ତ 'ଡ୍ରୋନ୍' ପଠାଉଛି ରୁଷିଆ! ରିପୋର୍ଟରୁ ବଡ଼ ଖୁଲାସା