ହାଇଦ୍ରାବାଦ / ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ହାଇଦ୍ରାବାଦରେ ଥିବା ଇରାନୀୟ ବାଣିଜ୍ୟ ଦୂତାବାସ (Consulate) ଆମେରିକାର ଏକ 'ମହଙ୍ଗା ବିଫଳତା' (Expensive Failure) କୁ ନେଇ କଟାକ୍ଷ କରିଛି। ଶୁକ୍ରବାର (ଏପ୍ରିଲ୍ ୧୭) ଏକ୍ସ (X) ରେ ଏକ ପୋଷ୍ଟ କରି ଦୂତାବାସ ଦାବି କରିଛି ଯେ, ଏହି ଯୁଦ୍ଧରେ ଆମେରିକା ୧.୮୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ପ୍ରାୟ ୪୫ଟି ବିମାନ ହରାଇସାରିଲାଣି।

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' (Truth Social) ରେ ଦାବି କରିଥିଲେ ଯେ ଆମେରିକା ଇରାନର ବାୟୁସେନାକୁ "ସମ୍ପୂର୍ଣ୍ଣ ରୂପେ ଧ୍ୱଂସ" କରିଦେଇଛି। ଏହି ପୋଷ୍ଟର ସ୍କ୍ରିନସଟ୍ ସେୟାର କରି ଇରାନ ଏହାର କଡ଼ା ଜବାବ ଦେଇଛି। ଇରାନର ହିସାବ ଅନୁଯାୟୀ, ଆମେରିକାର ହୋଇଥିବା କ୍ଷତି ମଧ୍ୟରେ ଗୋଟିଏ F-35 ଲାଇଟନିଂ-୨ ଫାଇଟର୍ ଜେଟ୍ ଏବଂ ୧୭ଟି MQ-9 ରିପର୍ ଡ୍ରୋନ୍ ସାମିଲ ଅଛି। ଏପରିକି ଏଥିରେ ଏମିତି ଏକ ବିମାନ ମଧ୍ୟ ନଷ୍ଟ ହୋଇଛି, ଯାହାର ଏକାକୀ ମୂଲ୍ୟ ୭୦୦ ନିୟୁତ ଡଲାର (୭୦ କୋଟି ଡଲାର)।

ଡିଜିଟାଲ୍ ଯୁଦ୍ଧକ୍ଷେତ୍ରରେ ଆମେରିକାକୁ ଟାର୍ଗେଟ

ବର୍ତ୍ତମାନ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା କେବଳ ସୀମା ବା ଯୁଦ୍ଧକ୍ଷେତ୍ରରେ ସୀମିତ ନାହିଁ, ବରଂ ଏହା ଅନଲାଇନ୍ ସ୍ପେସ୍ ବା ସୋସିଆଲ୍ ମିଡିଆକୁ ମଧ୍ୟ ବ୍ୟାପିଛି। ବିଶେଷ କରି ବିଭିନ୍ନ ଦେଶରେ ଥିବା ଇରାନ ଦୂତାବାସଗୁଡ଼ିକ ଲଗାତାର ଭାବେ ମିମ୍ (memes) ଏବଂ ଭିଡିଓ ପୋଷ୍ଟ କରି ରାଷ୍ଟ୍ରପତି ଟ୍ରମ୍ପ, ଆମେରିକା ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଟାର୍ଗେଟ କରୁଛନ୍ତି। ଆମେରିକା ଯୁଦ୍ଧ ଜିତୁଛି ବୋଲି ଟ୍ରମ୍ପ କରିଥିବା ଦାବିକୁ ଭୁଲ ପ୍ରମାଣିତ କରିବା ଉଦ୍ଦେଶ୍ୟରେ ହାଇଦ୍ରାବାଦ ସ୍ଥିତ ଇରାନ ଦୂତାବାସ ଆମେରିକୀୟ ବିମାନଗୁଡ଼ିକର ଧ୍ୱଂସାବଶେଷର ଏକ ଗ୍ରାଫିକ୍ସ ସେୟାର କରିଛି।

ଇରାନ ଦେଖାଇଥିବା'ମହଙ୍ଗା ବିଫଳତା'ର ହିସାବ

ଗତ ଫେବୃଆରୀ ୨୮ ତାରିଖରେ ଟ୍ରମ୍ପ ଇରାନ ଉପରେ ଯୁଦ୍ଧ ଆରମ୍ଭ କରିଥିଲେ। ଇରାନର ଦାବି ଅନୁଯାୟୀ, ଗତ ୪୭ ଦିନ ମଧ୍ୟରେ ଆମେରିକା ତାର ଆକାଶମାର୍ଗର ସର୍ବୋଚ୍ଚ କ୍ଷମତାସମ୍ପନ୍ନ ୪୫ଟି ବିମାନ ହରାଇଛି। ଇରାନ ଜାରି କରିଥିବା ତାଲିକାରେ ନିମ୍ନଲିଖିତ ବିମାନ ଏବଂ ଡ୍ରୋନ୍ଗୁଡ଼ିକ ସାମିଲ ଅଛି:

  • E-3 Sentry AWACS: ଗୋଟିଏ ବିମାନ ନଷ୍ଟ , ମୂଲ୍ୟ ୭୦୦ ନିୟୁତ ଡଲାର
  • MQ-4C Triton (ଉଚ୍ଚକ୍ଷମତା ସମ୍ପନ୍ନ ସାମୁଦ୍ରିକ ଡ୍ରୋନ୍): ଗୋଟିଏ ନଷ୍ଟ, ମୂଲ୍ୟ ୨୪୦ ନିୟୁତ ଡଲାର।
  • MC-130J Commando II (ସ୍ପେଶାଲ୍ ଅପରେସନ୍ସ ଟ୍ରାନ୍ସପୋର୍ଟ): ୨ଟି ବିମାନ ନଷ୍ଟ, ମୋଟ ମୂଲ୍ୟ ୨୨୮ ନିୟୁତ ଡଲାର
  • F-35 Lightning II (ଷ୍ଟିଲଥ୍ ଫାଇଟର୍ ଜେଟ୍): ଗୋଟିଏ ନଷ୍ଟ, ମୂଲ୍ୟ ୧୧୦ ନିୟୁତ ଡଲାର
  • F-15E Strike Eagle (ମିଲିଟାରି ଫାଇଟର୍ ଜେଟ୍): ୪ଟି ବିମାନ ନଷ୍ଟ, ମୋଟ ମୂଲ୍ୟ ୩୬୦ ନିୟୁତ ଡଲାର
  • MQ-9 Reaper (ସଶସ୍ତ୍ର ସର୍ଭିଲାନ୍ସ ଡ୍ରୋନ୍): ୧୭ଟି ନଷ୍ଟ, ମୋଟ ମୂଲ୍ୟ ୫୧୦ ନିୟୁତ ଡଲାର
  • KC-135 Stratotanker (ଏରିଆଲ୍ ରିଫୁଏଲର୍ ବା ଆକାଶମାର୍ଗରେ ଇନ୍ଧନ ଭରୁଥିବା ବିମାନ): ୮ଟି ନଷ୍ଟ, ମୋଟ ମୂଲ୍ୟ ୩୨୦ ନିୟୁତ ଡଲାର
  • AH/MH-6 Little Bird (ହେଲିକପ୍ଟର): ୪ଟି ନଷ୍ଟ, ମୋଟ ମୂଲ୍ୟ ୧୮ ରୁ ୩୦ ନିୟୁତ ଡଲାର
  • A-10 Thunderbolt II: ଗୋଟିଏ ବିମାନ ନଷ୍ଟ, ମୂଲ୍ୟ ୧୮.୮ ନିୟୁତ ଡଲାର