ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ମାତ୍ର ୨ ଦିନ ତଳେ ଯେଉଁ ଶାନ୍ତି ବୁଝାମଣାରେ ସ୍ୱାକ୍ଷର ହୋଇଥିଲା, ତାହା ଆରମ୍ଭ ହେବା ପୂର୍ବରୁ ବିପଦରେ ପଡି ଯାଇଥିବା ଦେଖାଯାଉଛି। ଗୋଟିଏ ପଟେ ଇସ୍ରାଏଲ ଦକ୍ଷିଣ ଲେବାନନରେ ରାତି ତମାମ ବୋମାବର୍ଷା ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ୱିଜରଲ୍ୟାଣ୍ଡରେ ହେବାକୁ ଯାଉଥିବା ଆମେରିକା-ଇରାନ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ଟାଳି ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବୁଧବାର ଭର୍ସେଲସ୍ ମହଲରେ ଆମେରିକା ଓ ଇରାନ ମଧ୍ୟରେ ଏକ ପ୍ରାରମ୍ଭିକ ଶାନ୍ତି ବୁଝାମଣା କରିଥିଲେ।

ଏହି ବୁଝାମଣାର ଉଦ୍ଦେଶ୍ୟ ଥିଲା ପଶ୍ଚିମ ଏସିୟାରେ ଜାରି ଯୁଦ୍ଧକୁ ରୋକିବା। ଏହି ବୁଝାମଣାରେ ସ୍ପଷ୍ଟ କୁହାଯାଇଥିଲା ଯେ ଲେବାନନ ସମେତ ସବୁ ମୋର୍ଚ୍ଚାରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକାଯିବ। ହେଲେ ଏହି ବୁଝାମଣା ପରେ ପରେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ହିଜବୁଲ୍ଲାହ ଆଡ୍ଡା ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଯୁଦ୍ଧରୁ ପଛକୁ ହଟିବା ପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି। ତାଙ୍କର କହିବା କଥା ହେଉଛି ଯେ ପର୍ଯ୍ୟନ୍ତ ହିଜୁଲ୍ଲାହ ବିପଦ ସମ୍ପୂର୍ଣ୍ଣ ନ ଟଳିଛି ଇସ୍ରାଏଲ ସେନା ଲେବାନନରେ ରହିବେ।

ଉଲ୍ଲେଖଯୋଗ୍ୟ ଯେ ଏହି ୧୪ ସୂତ୍ରୀୟ ପ୍ରାରମ୍ଭିକ ବୁଝାମଣାକୁ ଏକ ସ୍ଥାୟୀ ଶାନ୍ତି ରୂପ ଦେବା ପାଇଁ ଶୁକ୍ରବାର ସ୍ୱିଜରଲ୍ୟାଣ୍ଡର ବୁର୍ଗେନଷ୍ଟକ ରିସୋର୍ଟରେ ଦୁଇ ଦେଶଙ୍କ ମଧ୍ୟରେ ଟେକ୍ନିକାଲ କଥାବାର୍ତ୍ତା ହେବାର ଥିଲା। ହେଲେ ଏହି ବୈଠକ ବାତିଲ ହୋଇଯାଇଛି। କାରଣ ଆମେରିକା ଉପରାଷ୍ଟ୍ର ପତି ଜେ.ଡି.ଭେନସ୍ ଯିଏ ଏହି ଆଲୋଚନାର ନେତୃତ୍ୱ ନେବାର ଥିଲା ସେ ତାଙ୍କର ସ୍ୱିଜରଲ୍ୟାଣ୍ଡ ଗସ୍ତ କାର୍ଯ୍ୟକ୍ରମ ଟାଳି ଦେଇଛନ୍ତି। ତେବେ ଏ ନେଇ ହ୍ୱାଇଟ୍ ହାଉସ୍ ଲଜିଷ୍ଟିକ୍ସ ଅର୍ଥାତ ବ୍ୟବସ୍ଥାଗତ ସମସ୍ୟାର କାରଣ ବୋଲି କହିଛି।

ତେବେ ହିଜବୁଲ୍ଲାହ ସମର୍ଥକ ମିଡିଆ ‘ଅଲ-ମୟାଦିନ’ ଅନୁସାରେ ଲେବାନନ ଉପରେ ଇସ୍ରାଏଲର ଲଗାତାର ଜାରି ଆକ୍ରମଣ ବିରୋଧରେ ଇରାନ ନିଜ ପ୍ରତିନିଧି ମଣ୍ଡଳିଙ୍କୁ ସ୍ୱିଜରଲ୍ୟାଣ୍ଡ ପଠାଇବାକୁ ମନା କରିଦେଇଛି। ତେବେ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭେନ୍ସ ଇସ୍ରାଏଲକୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କେବଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକମାତ୍ର ରାଷ୍ଟ୍ରମୁଖ୍ୟ ଯିଏ ଇସ୍ରାଏଲ ଦେଶ ପ୍ରତି ସହାନୁଭୂତି ରଖୁଛନ୍ତି। ଭେନ୍ସଙ୍କ ଏପରି ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ ଆମେରିକା ଏବେ ଇସ୍ରାଏଲର ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ଓ ତା ଉପରେ ଯୁଦ୍ଧ ରୋକିବାକୁ ପ୍ରବଳ ଚାପ ପକାଉଛି।

ଉଲ୍ଲେଖଯୋଗ୍ୟ ଯେ ବୁଧବାର ହୋଇଥିବା ବୁଝାମଣା ଅନୁସାରେ ଅନୁନ୍ୟ ୬୦ ଦିନ ପାଇଁ ସିଜଫାୟାର ବଢାଇବାକୁ ସହମତି ହୋଇଥିଲା। ହେଲେ ଏବେ ଇସ୍ରାଏଲର ତାଜା ଆକ୍ରମଣ ଓ ଏଥିଯୋଗୁ ଆଲୋଚନା ଟଳିବା ବୁଝାମଣାକୁ ଅଧାରେ ଅଟକାଇ ଦେଇଛି। ଯଦି ଲେବାନନରେ ଯୁଦ୍ଧ ନ ଅଟକେ ତେବେ ସାରା ବିଶ୍ୱକୁ ଶାନ୍ତିର ଆଶା ଦେଉଥିବା ଏହି କୂଟନୈତିକ ଉଦ୍ୟମ ସମ୍ପୂର୍ଣ୍ଣ ବିଫଳ ହୋଇପାରେ।