ପ୍ରାଇଭେଟରୁ ପବ୍ଲିକ୍ କମ୍ପାନି ହେଲା PhonePe, ଖୁବଶୀଘ୍ର ଆସିବ IPO

Published By : Prameya-News7 Bureau | April 18, 2025 IST

ନୂଆଦିଲ୍ଲୀ: ଫିନ୍‌ଟେକ୍ ଫାର୍ମ ଫୋନପେ' ନିଜ ଆଇପିଓ ଆଣିବା ପୂର୍ବରୁ ଏକ ପ୍ରାଇଭେଟ୍ କମ୍ପାନିରୁ ପବ୍ଲିକ୍ କମ୍ପାନି ହୋଇଛି । ଏନେଇ କମ୍ପାନି ରେଜିଷ୍ଟାର ଅଫ୍ କମ୍ପାନିଜ୍ (ROC)କୁ ସୂଚନା ଦେଇଛି । ଏହା ଭାରତୀୟ ସେୟାର ବାଜରରେ ସୂଚୀବଦ୍ଧ ହେବା ପାଇଁ ପ୍ରସ୍ତୁତି କରୁଥିବା କମ୍ପାନି ପାଇଁ ଜରୁରି ଆଇନ ପ୍ରକ୍ରିୟା ଅଟେ । ଫୋନପେ' ଚଳିତ ବର୍ଷ ଫେବ୍ରୁଆରୀ ୨୦ରେ କହିଥିଲା ଯେ ଏକ ସମ୍ଭାବିତ ଆଇପିଓ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଉଛି । ଫୋନପେ' ଏଥିପାଇଁ ମହିନ୍ଦ୍ରା କ୍ୟାପିଟାଲ୍, ଜେପି ମର୍ଗାନ, ସିଟି ଓ ମର୍ଗାନ ଷ୍ଟେନଲିକୁ ଆଇପିଓ ପାଇଁ ପରାମର୍ଶଦାତା ରୂପେ ଚୟନ କରିଥିଲା । କମ୍ପାନି ନିଜ ଆଇପିଓରେ ୧୫ ବିଲିୟନ ଡଲାର ଯାଏ ଭେଲ୍ୟୁଏସନ ଟାର୍ଗେଟ୍ କରୁଛି ।

ROCରେ ଜମା କରାଯାଇଥିବା ଡକ୍ୟୁମେଣ୍ଟ ଅନୁସାରେ, ଏପ୍ରିଲ୍ ୧୬ ବୈଠକରେ କମ୍ପାନିର ନାଁ 'Phonepe Private Limited'ରୁ ନାଁ ପରିବର୍ତ୍ତନ କରି 'PhonePe Limited' କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମନିକଣ୍ଟ୍ରୋଲର ରିପୋର୍ଟରେ ଏହା ଦାବି କରାଯାଇଛି । ଫୋନପେ' କହିଛି ଯେ ନାମ ପରିବର୍ତ୍ତନକୁ କର୍ପୋରେଟ୍ ମାମଲାର ମନ୍ତ୍ରଣାଳୟ ଅଧିନରେ ଥିବା ସେଣ୍ଟ୍ରାଲ ପ୍ରୋସେସିଂ ସେଣ୍ଟରରୁ ମଞ୍ଜୁରୀ ମିଳିବା ବାକି ରହିଛି । ଏଥିପାଇଁ ସିପିସି କମ୍ପାନିକୁ ଏକ ନୂଆ ଇନକର୍ପୋରେସନ୍ ସାର୍ଟିଫିକେଟ୍ ଜାରି କରିବ ।

୨୦୨୨ ଡିସେମ୍ୱରରେ ଫୋନପେ' ନିଜ ମୁଖ୍ୟାଳୟକୁ ସିଙ୍ଗାପୁରରୁ ଭାରତ ଶିଫ୍ଟ କରିଥିଲା । ଶେଷ ଫଣ୍ଡିଂ ରାଉଣ୍ଡ ପରେ କମ୍ପାନିର ଭେଲ୍ୟୁଏସନ ପ୍ରାୟ ୧୨ ବିଲିୟନ ଡଲାର ପହଞ୍ଚିଥିଲା । ବେଙ୍ଗାଲୁରୁ ସ୍ଥିତ ଫୋନପେ' ହେଉଛି ଦେଶର ସବୁଠୁ ବଡ଼ ଡିଜିଟାଲ୍ ପେମେଣ୍ଟ କମ୍ପାନି । ୟୁପିଆଇରେ ୪୮ ପ୍ରତିଶତ ବଜାର ଉପରେ ଫୋନପେ'ର କବଜା ରହିଛି । ସେହିପରି ଗୁଗଲ୍ ପେ’ରେ ୩୭ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆର୍ଥିକ ବର୍ଷ ୨୦୨୪ରେ ଫୋନପେ’ର ରାଜସ୍ୱ ୫୦୬୪ କୋଟି ଟଙ୍କା ଥିଲା, ଯାହା ଗତ ବର୍ଷ ତୁଳନାରେ ୭୩ ପ୍ରତିଶତ ଅଧିକ । ଏହାର ନେଟ୍ ପ୍ରଫିଟ୍ ୧୯୭ କୋଟି ଟଙ୍କା ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.