LIVE TV

UPI ପେମେଣ୍ଟ ସଂଖ୍ୟା ଭାଙ୍ଗୁଛି ରେକର୍ଡ, ଧନତେରସରୁ ଦୀପାବଳି ମଧ୍ୟରେ ହାରାହାରି ଦୈନିକ ଟ୍ରାଞ୍ଜେକ୍ସନ ୭୩ କୋଟି ଟପିଲା

NEWS7
UPI

ନୂଆଦିଲ୍ଲୀ: ଦିନ ଥିଲା ସରକାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ନେଣଦେଣକୁ ଲୋକପ୍ରିୟ କରାଇବା ପାଇଁ ଅଭିଯାନ ଚଲାଉଥିଲେ । କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି । ୟୁପିଆଇ ଟ୍ରାଞ୍ଜେକ୍ସନ ଏବେ ଲୋକଙ୍କୁ ଜୀବନର ଅଂଶ ହୋଇଯାଇଛି । ପାର୍ବଣ ଋତୁରେ ୟୁପିଆଇ ଟ୍ରାଞ୍ଜେକ୍ସନରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି । ଧନତେରସରୁ ଦୀପାବଳି ମଧ୍ୟରେ ମାତ୍ର ତିନି ଦିନରେ ହିଁ ୟୁପିଆଇ ଟ୍ରାଞ୍ଜେକ୍ସନ ସଂଖ୍ୟାରେ ୩୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଏହି ପରିସଂଖ୍ୟାନ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଛି ।

ଏନପିସିଆଇରୁ ମିଳିଥିବା ତଥ୍ୟ ଅନୁସାରେ ଧନତେରସରୁ ଦୀପାବଳି ମଧ୍ୟରେ ୟୁପିଆଇରୁ ଦୈନିକ ହାରାହାରି ୭୩.୬୯ କୋଟି ଟ୍ରାଞ୍ଜେକ୍ସନ ହୋଇଛି । ଏହାର ଗୋଟିଏ ବର୍ଷ ପୂର୍ବେ ଧନତେରସରୁ ଦୀପାବଳି ମଧ୍ୟରେ ପ୍ରତ୍ୟେକ ଦିନ ହାରାହାରି ୫୬.୮୪ କୋଟି ଟ୍ରାଞ୍ଜେକ୍ସନ ହୋଇଥିଲା । ଯଦି ଚାରି ବର୍ଷ ପୂର୍ବର ସମାନ ଅବଧି ସହ ତୁଳନା କରିବା ତେବେ ଏହି ସଂଖ୍ୟା ତିନି ଗୁଣ ହୋଇସାରିଛି । ୨୦୨୨ରେ ଏହି ତିନି ଦିନରେ ପ୍ରତିଦିନ ୨୪.୫୪ କୋଟି ଟ୍ରାଞ୍ଜେକ୍ସନ ହୋଇଥିଲା । ୨୦୨୩ରେ ବଢି ୪୨.୦୫ କୋଟି ହୋଇଥିଲା ।

ଦେଶରେ ସମସ୍ତ ପ୍ରକାରର ଡିଜିଟାଲ ପେମେଣ୍ଟରେ ୟୁପିଆର ଅଂଶ ମଧ୍ୟ ବଢିଛି । ଏବେ ଏହା ୮୫ ପ୍ରତିଶତ ହୋଇଛି । ଦୀପାବଳି ପୂର୍ବ ସଂଧ୍ୟାରେ, ୟୁପିଆଇ ମାଧ୍ୟମରେ ଗୋଟିଏ ଦିନରେ ୭୪ କୋଟି ନେଣଦେଣ ହୋଇଥିଲା । ଯାହା ୟୁପିଆଇରେ ଗୋଟିଏ ଦିନରେ ଟ୍ରାଞ୍ଜେକ୍ସନର ଆଜି ଯାଏ ସବୁଠୁ ବଡ଼ ସଂଖ୍ୟା ଅଟେ । ଯଦି ଦଶହରାରୁ ଦୀପାବଳି ଯାଏ ଦେଖିବା ତେବେ ଚଳିତ ମାସରେ ପ୍ରତିଦିନ ହାରାହାରି ଟ୍ରାଞ୍ଜେକ୍ସନ ସଂଖ୍ୟା ୬୯.୫ କୋଟି ରହିଛି, ଯାହା ସେପ୍ଟେମ୍ୱରର ରେକର୍ଡ ୬୫.୪ କୋଟି ଠାରୁ ୬ ପ୍ରତିଶତ ଅଧିକ । ପାର୍ବଣ ଋତୁ ସବୁବେଳେ ୟୁପିଆଇ ବ୍ୟବହାର ବୃଦ୍ଧିର ଏକ ପ୍ରମୁଖ ପ୍ରେରକ ରହିଛି । ଗତ ବର୍ଷ ମଧ୍ୟ ଦଶହରା ଓ ଦୀପାବଳି ସମୟରେ ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଇଥିଲା ।

ଚଳିତ ବର୍ଷ ଅକ୍ଟୋବର ୨୦ ସୁଦ୍ଧା, ୟୁପିଆଇ ଟ୍ରାଞ୍ଜେକ୍ସନର ଭ୍ୟାଲୁ ଛଅଟି ଦିନରେ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହା ସେପ୍ଟେମ୍ୱର ତୁଳନା ଦ୍ୱିଗୁଣ ଅଧିକ ଅଟେ । ସାଧାରଣତଃ ୟୁପିଆଇରୁ ଅଧିକ ଟ୍ରାଞ୍ଜେକ୍ସନ ମାସ ଆରମ୍ଭରେ ଦରମା ଓ ଇଏମଆଇ ପୈଠ କାରଣରୁ ସବୁଠୁ ସକ୍ରିୟ ହୋଇଥାଏ । କିନ୍ତୁ ଦୀପାବଳି କାରଣରୁ ଚଳିତ ମାସରେ ଏହି ଗତି ମଜଭୁତ ରହିଥିଲା ।