ମିଛ ଦୁଷ୍କର୍ମ ମାମଲାରେ ୪ ବର୍ଷ ପରେ ଯୁବକ ନିର୍ଦ୍ଦୋଷରେ ମୁକ୍ତ, ଯୁବତୀଙ୍କୁ ମିଳିଲା ସମାନ ବର୍ଷର ଦଣ୍ଡ; ୫.୮ ଲକ୍ଷ ଜରିମାନା

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ବରେଲିରୁ ଏପରି ଏକ ମାମଲା ସାମନାକୁ ଆସିଛି, ଯେଉଁଥିରେ କୋର୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଯୁବତୀଙ୍କ ସହ ଦୁଷ୍କର୍ମ ମାମଲାରେ ଫସିଥିବା ଜଣେ ଯୁବକକୁ ବିନା କୌଣସି ଭୁଲରେ ୪ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଲା । ଯୁବତୀ ଏକ ପୂରା ଷଡ଼ଯନ୍ତ୍ର ରଚି ଯୁବକଙ୍କୁ ଫସାଇଥିଲେ ଏବଂ କୋର୍ଟରେ ଶୁଣାଣି ବେଳେ ନିଜ ବୟାନରୁ ଓହରି ଯିବା ପରେ ଏହି ମାମଲାର ଖୁଲାସା ହୋଇଛି ।

ପ୍ରକୃତ ସତ ସାମନାକୁ ଆସିବା ପରେ କୋର୍ଟ ଯୁବକକୁ ଦୋଷମୁକ୍ତ କରିଥିଲେ ଏବଂ ଯୁବତୀଙ୍କୁ ସମାନ ବର୍ଷ ଦଣ୍ଡ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ଯେତେ ଦିନ ଯୁବକ ଦଣ୍ଡ ଭୋଗିଲା, ସେତିକି ଦିନର ଦଣ୍ଡ ଯୁବତୀଙ୍କୁ ମଧ୍ୟ ଭୋଗିବାକୁ ପଡ଼ିବ । ଏହା ବ୍ୟତୀତ କୋର୍ଟ ଆର୍ଥିକ ଜରିମାନା ମଧ୍ୟ ଲଗାଇଛନ୍ତି । କୋର୍ଟ କହିଛନ୍ତି ଯେ ଯଦି ଯୁବକ ଜେଲ ବାହାରେ ରହିଥାନ୍ତା ଏବଂ କାମ କରିଥାନ୍ତା ତେବେ ଏହି ସମୟରେ ସେ ୫୮୮୦୦୦ରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତା । ଏଥିପାଇଁ ଏହି ଟଙ୍କା ଯୁବତୀଙ୍କଠାରୁ ଆଦାୟ କରି ଯୁବକକୁ ଦିଆଯିବ । ଜରିମାନା ଅନାଦାୟ କ୍ଷେତ୍ରରେ ଯୁବତୀଙ୍କୁ ଅତିରିକ୍ତ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଡିସେମ୍ୱର ୨ରେ ବାରାଦରୀ ଥାନାରେ ଯୁବକ ବିରୋଧରେ ଝିଅକୁ ଅପହରଣ ଏବଂ ଦୁଷ୍କର୍ମ ନେଇ ମାମଲା ରୁଜୁ କରାଯାଇଥିଲା । ପୋଲିସ ଯୁବକକୁ ଗିରଫ କରି ଜେଲ୍ ପଠାଇଥିଲା । ଏହି ମାମଲାରେ ଯୁବତୀ ଜଣକ ଯୁବକ ବିରୋଧରେ ନିଶା ଦେଇ ଦିଲ୍ଲୀରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ସୂଚନା ଅନୁସାରେ ଏହି ମାମଲାରେ କୋର୍ଟରେ ସାକ୍ଷ୍ୟ ବେଳେ ଯୁବତୀ ବୟାନ ବଦଳାଇଥିଲେ । ଏହି ମାମଲାରେ ମିଛ ସାକ୍ଷ୍ୟ ନେଇ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ କୋର୍ଟ କଡ଼ା ଅଭିମୁଖ୍ୟ ଗ୍ରହଣ କରି ଏହିପରି ମହିଳାଙ୍କ କୃତ୍ୟରୁ ପ୍ରକୃତ ପୀଡିତାଙ୍କୁ କ୍ଷତି ସହିବାକୁ ପଡ଼ୁଛି । କୋର୍ଟ କହିଛନ୍ତି ଯେ ସମାଜ ପାଇଁ ଅତ୍ୟନ୍ତ ଗମ୍ଭୀର ସ୍ଥିତି ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.