ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ରୋଡ ସୋ ପାଇଁ ପୁରୀର ଏହି ସବୁ ରୁଟ୍‌ରେ କଟକଣା ଜାରି

Published By : Prameya-News7 Bureau | May 19, 2024 IST

ପୁରୀ: ସୋମବାର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ବଡ଼ଦାଣ୍ଡରେ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ବିଭିନ୍ନ ସେକ୍ଟର ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ହେଲିପ୍ୟାଡ ଠାରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ଜାରୀ କରାଯିବ। ଟ୍ରାଫିକ କ୍ଷେତ୍ରରେ ମଧ୍ୟ କଟକଣା ଜାରି କରାଯିବ। ମୋଦୀଙ୍କ ଗସ୍ତ ପାଇଁ କଟକଣା ଜାରି କରାଯାଇଥିବା ପୁରୀ ଏସ୍‌ପି କହିଛନ୍ତି। 

ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୭ଟା ରେ ଭୁବନେଶ୍ୱରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ଅବତରଣ କରିବେ। ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କାରକେଡ ଯୋଗେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ ପ୍ରଧାନମନ୍ତ୍ରୀ।‌ ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ସହ ଟ୍ରାଫିକ କଟକଣା ଜାରି କରାଯାଇଛି। ରୋଡ୍ ସୋ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକା ଯାଏଁ ଓ ତାଳବଣିଆ ଛକରୁ ଶ୍ରୀମନ୍ଦିର ଯାଏ କଟକଣା ଲଗାଯାଇଛି।

Also read: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, କହିଲେ- ବିଜେଡି ସରକାର ବିଜୁଳି ମାଗଣା ଦେବେ, ଆପଣମାନେ ଖୁସି ତ ?

ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀବାହୀ ବସ୍ ନବକଳେବର ରୋଡ ଦେଇ ବସଷ୍ଟାଣ୍ଡକୁ ଯାତାୟତ କରିବ। ସେହିପରି କୋଣାର୍କରୁ ଆସୁଥିବା ଯାତ୍ରୀବାହୀ ବସ୍ ବାଲିଘାଟ ଗ୍ରୀଡ ଛକ ଦେଇ ବସଷ୍ଟାଣ୍ଡକୁ ଯାତାୟତ କରିବ। ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ରେ ଯୋଗ ଦେବାକୁ ଥିବା ବିଜେପି ସମର୍ଥକଙ୍କ ଗାଡ଼ି ଭୂଦାନ ପଡିଆ ଓ ସମଙ୍ଗ ପାର୍କିଂ ଠାରେ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। 

ଟୁରିଷ୍ଟ ବସ୍ ଗୁଡ଼ିକ ମାଳତିପାଟପୁର ଏବଂ ସମଙ୍ଗ ଠାରେ ପାର୍କିଂ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପୁରୀକୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ଯାନ ଗୁଡିକ ଜେଲ୍ ରୋଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ରଖିବା ନେଇ ବ୍ୟବସ୍ଥା ହୋଇଛି। ତେବେ ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ସକାଳ ୮ଟା ରୁ ୯ଟା ମଧ୍ୟରେ ରୋଡ଼ ସୋ କରିବାର କାର୍ଯକ୍ରମ ଥିବାବେଳେ ବଡ଼ଦାଣ୍ଡର ଦୁଇ ପାର୍ଶ୍ବରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର। 

ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ର ନିର୍ଦ୍ଦେଶ ଅନୁସାରେ ୩ ଏସପି, ୮ ଅତିରିକ୍ତ ଏସପି, ୨୨ ଡିଏସପି, ୪୨ ଇନ୍ସପେକ୍ଟର, ୧୦୯ ଏଏସଆଇ, ୨୦୨ କନଷ୍ଟେବଳ, ୨୫୦ ହୋମଗାର୍ଡ ଙ୍କ ସହ ମୋଟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ବରେ ରହିବେ। ଏଥିସହ ତାଳବଣିଆ ହେଲିପ୍ୟାଡ ଠାରୁ ଶ୍ରୀମନ୍ଦିର ଯାଏଁ ପ୍ରଧାନମନ୍ତ୍ରୀ ଆସିବାକୁ ଥିବା ରାସ୍ତା ଗୁଡିକରେ ଥିବା ଉଚ୍ଚ କୋଠାଘର ଛାତ ଉପରେ ପୋଲିସ ବାହିନୀ ମୁତୟନ ରହିବେ। 

ଗତ ୨୦୧୩ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏବଂ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହା ପୂର୍ବରୁ ମଧ୍ୟ ବିଜେପିର କର୍ମକର୍ତ୍ତା ଭାବରେ ଅନେକ ଥର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ତାଙ୍କୁ ଭବ୍ୟ ସ୍ଵାଗତ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରିବା ପାଇଁ ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତାମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି। 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.