ଛତ୍ରପୁର ୨୭।୧୧: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଓ ହୁମ୍ମା ନିକଟରେ ବିଦେଶୀ ପକ୍ଷୀଙ୍କ ସମ୍ଭାର ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ଗୋଟିଏ ପକ୍ଷୀ ଗୋଡ଼ରେ ଲାଗିଛି ଟ୍ୟାଗ୍ । ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର ହୋଇଥିବା ସୂଚନା । ଋଷିକୂଲ୍ୟା ମୁହାଣ ଓ ହୁମ୍ମା ଅଞ୍ଚଳରେ ବୁଲୁଥିବା ଅବସ୍ଥାରେ ସ୍ଥାନୀୟ ପରିବେଶବିତ୍ ରବୀନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ ଏହା କଏଦ ହୋଇଛି ।

ସୁଦୁର ୟୁରୋପ ଓ ଉତ୍ତର ଆମେରିକାରୁ ଶୀତଦିନେ ବିଭିନ୍ନ ପ୍ରକାରର ପକ୍ଷୀ ଏଠାକୁ ଉଡ଼ିଆସନ୍ତି । କ୍ୟାମେରାରେ କଏଦ ହୋଇଥିବା ଏହି ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର ବୋଲି ଜଣାପଡ଼ିଛି । ଏହାର ଗୋଡ଼ରେ ଲାଗିଥିବା ଟ୍ୟାଗ୍ ସାଧାରଣତଃ ଏମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଇଥାଏ । ପ୍ରତିକୂଳ ପରିସ୍ଥିତିରେ ଏହି ପକ୍ଷୀଗୁଡ଼ିକ କେଉଁ ପ୍ରକାର ପରିସ୍ଥାନକୁ ନିଜ ବାସସ୍ଥଳୀ ରୂପେ ବ୍ୟବହାର କରିଥାନ୍ତି ଏହା ଉପରେ ଗବେଷଣା ମଧ୍ୟ କରାଯାଇଥାଏ ବୋଲି ପରିବେଶବିତ୍ ରବୀନ୍ଦ୍ର ନାଥ ସାହୁ କହିଛନ୍ତି । ତେବେ କିଏ ଟ୍ୟାଗ୍ ଲଗାଇଛି ତାହା ଜଣା ପଡ଼ିନାହିଁ ।

​​​​​​​

ଗତବର୍ଷ ମଧ୍ୟ ସାଇବେରୀୟ ପ୍ଲୋଭର ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏବର୍ଷ ଦେଖାଯାଇଥିବା ପକ୍ଷୀଟି ଗ୍ରେଟର ପ୍ଲୋଭର ବୋଲି ଜଣାପଡ଼ିଛି । ଏହା ପକ୍ଷୀ ଗବେଷକ ମାନଙ୍କୁ ସେମାନଙ୍କ ଗବେଷଣାରେ ଅଧିକ ସହାୟକ ହେବ ବୋଲି ରବୀନ୍ଦ୍ର କହିଛନ୍ତି ।