LIVE TV

ପୁତୁରା ବୋହୂକୁ ହାଣି ଆତ୍ମହତ୍ୟା କଲେ କକା ଶ୍ଵଶୁର

NEWS7

ଭଦ୍ରକ: ମାନସିକ ବିକୃତିର କୁପରିଣତି ପୁତୁରା ବୋହୂକୁ ହାଣି କକା ଶ୍ଵଶୁରର ଆତ୍ମହତ୍ୟା । ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଆଜି ଅଭାବନୀୟ ଘଟଣା ଘଟାଇଛନ୍ତି । ନିଜର ପୁତୁରା ବୋହୂକୁ ହାଣିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ହସନାବାଦ ପଞ୍ଚାୟତର ତଳ ଅସ୍ତକ ଗାଁ'ରେ ।

ସୂଚନା ଅନୁଯାୟୀ, ତଳ ଅସ୍ତକ ଗାଁର ପଞ୍ଚାନନ ମଳିକ କିଛି ଦିନ ତଳେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଚାରିଦିନ ତଳେ ସେ ହଠାତ ତାଙ୍କ ସ୍ତ୍ରୀକୁ ବାଡେଇ ହାତ ଭାଙ୍ଗି ଦେଇଥିଲେ । ପଞ୍ଚାନନଙ୍କ ପୁତୁରା ବୋହୂ ଯଶୋଦା ଘର ସମ୍ମୁଖରେ ଥିବା ଏକ ନଳକୂପ ଠାରେ କିଛି କରୁଥିବା ସମୟରେ ହଠାତ ଆସି ଏକ ଟାଙ୍ଗିଆରେ ତାଙ୍କୁ ଅତର୍କିତ ଭାବେ ହାଣି ଦେଇଥିଲେ ପଞ୍ଚାନନ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଯଶୋଦାଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲାକିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ପୁତୁରା ବୋହୂକୁ ହାଣିବା ପରେ ପଞ୍ଚାନନ ଗାଁର ଶେଷ ମୁଣ୍ଡରେ ଥିବା ଏକ ଘରେ ଲଙ୍ଗଳ ଦଉଡ଼ି ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁତୁରା ବୋହୂକୁ ଆକ୍ରମଣର କିଛି ସମୟ ପରେ ପଞ୍ଚାନନ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇବା ପରେ ପୁଲିସକୁ ଖବର ଦେଇଥିଲେ । ଧୂଷୁରୀ ଥାନା ପୁଲିସ ଘଟଣା ସ୍ଥାନରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।  ମୃତ ବୋହୂର ମଧ୍ୟ ଶବ ବ୍ୟବଚ୍ଛେଦ କରିଯିବା ନେଇ ଭଦ୍ରକ ମେଡିକାଲର ଶବ ବ୍ୟବଚ୍ଛେଦ ଘରେ ରଖାଯାଇଛି । ଧୂଷୁରୀ ପୁଲିସ ଏ ସଂକ୍ରାନ୍ତରେ ଦୁଇଟି ଭିନ୍ନ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।