ନୂଆଦିଲ୍ଲୀ, ୧୯|୧୧: ଦିଲ୍ଲୀ ବିସ୍ଫୋରଣ ମାମଲାରେ ପ୍ରତିଦିନ ନୂଆ ନୂଆ ସୁରାକ ମିଳୁଛି ।ମଙ୍ଗଳବାର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କାବଦୀ ଉମର ମହମ୍ମଦର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି ଦର୍ଶାଇଥିଲା । ଏବେ ଉମରକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି ।

ରିପୋର୍ଟ ଅନୁସାରେ, ଆକ୍ରମଣ ପୂର୍ବରୁ ନିଜ ଘର ପୁଲଓ୍ୱାମାକୁ ଯାଇଥିଲା ଉମର । ନିଜେ ସବୁ ଭିଡିଓ ରେକର୍ଡିଂ କରିବା ପରେ ଫୋନକୁ ନିଜ ଭାଇକୁ ଦେଇଥିଲା । ନଭେମ୍ବର ମାସ ଆରମ୍ଭରେ ସେ ପୁଲଓ୍ୱାମାରେ ରହିଥିଲା । କିଛି ଦିନ ରହିବା ପରେ ସେ ଫରିଦାବାଦ ସ୍ଥିତ ଅଲ ଫଲାହ ୟୁନିଭର୍ସିଟି ଆସିଯାଇଥିଲା । କିନ୍ତୁ ନିଜ ଫୋନ ଆଣିନଥିଲା । ଫୋନକୁ ସେ ତା ଭାଇକୁ ରଖିବାକୁ ଦେଇଥିଲା । ଗୋଟିଏ ନୁହେଁ ବରଂ ନିଜର ଦୁଇଟି ଫୋନକୁ ସେ ଘରେ ରଖି ଆସିଯାଇଥିଲା ବୋଲି ଜଣାପଡିଛି ।

କୁହାଯାଉଛି ଯେ, ଉମରର ଭାଇ ଅଲ ଫଲାହରେ କିଛି ଜଣଙ୍କ ଗିରଫଦାରୀ ବାବଦରେ ଅବଗତ ଥିଲେ । ଗିରଫ ବ୍ୟକ୍ତିମାନଙ୍କ ସହ ଉମରର ଭଲ ସମ୍ପର୍କ ଥିଲା । ବିସ୍ଫୋରଣ ପର ଦିନ ଆଉ ଜଣେ ଗିରଫ ହୋଇଥିଲା । ସମସ୍ତଙ୍କୁ ଉମରର ଭାଇ ଜାଣିଥିବା ସୂଚନା ମିଳିଛି ।

ତେବେ ବିସ୍ଫୋରଣ ପରେ ଉମରର ଭାଇ ଡରିଯାଇଥିଲେ । ଉମରକୁ ପୋଲିସ ଖୋଜୁଥିବା ମଧ୍ୟ ସେ ଜାଣିବାକୁ ପାଇଥିଲେ । ତେଣୁ ଭୟରେ ଦୁଇଟି ଫୋନକୁ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ । ତଦନ୍ତକାରୀ ଅଧିକାରୀ ଉଭୟ ଫୋନକୁ ଟ୍ରେସ୍ କରିବା ପାଇଁ ଚେଷ୍ଟା କରିଥିଲେ ବି ତାହ ଅଫ୍ ଆସିଥିଲା । ପରେ ଭାଇକୁ ଜେରା କରିବା ପରେ ସେ ଫୋନ ବାବଦରେ ସବୁ କଥା କହିଥିଲା ।

ସବୁଠାରୁ ବଡ କଥା ହେଉଛି ଯେ, ଫୋନକୁ ପୋଲିସ ପୋଖରୀରୁ ବାହାର କରିଥିଲେ ମଧ୍ୟ ତାହା ନଷ୍ଟ ହୋଇଯାଇଛି । ଫୋନର ମଦରବୋର୍ଡ ଖରାପ ହୋଇଯାଇଥିବା ବେଳେ ଡିସପ୍ଲେ କାମ କରୁନି । କିନ୍ତୁ କୌଣସି ମତେ ଉମରର ଭିଡିଓକୁ ରିକଭର୍ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।