ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଉମର ଖାଲିଦ ଓ ସରଜିଲ ଇମାମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା। ବୁଧବାର କୋର୍ଟ ଉଭୟଙ୍କ ଜାମିନ ନିବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେ ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶ ଓ ତାଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତରେ ବନ୍ଧା ଓ ଏଥିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ। ଉଭୟ ଅଭିଯୁକ୍ତ ସେମାନଙ୍କୁ ଦୀର୍ଘ ଦିନ ଜେଲରେ ଅଟକ ରଖିବା ଓ ଟ୍ରାୟଲରେ ବିଳମ୍ବ ଆଧାରରେ ଜାମିନ ନିବେଦନ କରିଥିଲେ। ଏହା ପୂର୍ବରୁ ଜୁଲାଇ ୪ ତାରିଖରେ ଟ୍ରାୟଲ କୋର୍ଟ ସେମାନଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ ,ଏହା ପରେ ସେମାନେ ହାଇକୋର୍ଟକୁ ମୁହାଁଇଥିଲେ।

ତେବେ ହାଇକୋର୍ଟଙ୍କ ଆଗରେ ମୁଖ୍ୟ ପ୍ରଶ୍ନ ଏହା ଥିଲା ଯେ ଜାନୁୟାରୀ ୨୦୨୬ରେ ସୁପ୍ରିମକୋର୍ଟ ଜାମିନ ଲାଗି ମନା କରିବା ପରେ ପରିବର୍ତ୍ତିତ ପରିସ୍ଥିତି ଆଧାରରେ ସେମାନଙ୍କୁ ଆଶ୍ୱସ୍ତି ଦିଆଯାଇ ପାରିବ କି? ହାଇକୋର୍ଟ କହିଛନ୍ତି ଯେ ୫ ଜାନୁୟାରୀ ୨୦୨୬ ସୁପ୍ରିମକୋର୍ଟ ଆଦେଶରେ ଥିବା ସର୍ତ୍ତକୁ ବଦଳାଇ ପାରିବେନି। କୋର୍ଟ ନ୍ୟାୟିକ ଅନୁଶାସନର ଉଦାହରଣ ଦେଇ କହିଛନ୍ତି ଯେ ଶୀର୍ଷ ନ୍ୟାୟାଳୟଙ୍କ ଆଦେଶ ବିରୋଧରେ ଯାଇ ସେମାନଙ୍କୁ ଜାମିନ ମଞ୍ଜୁର କରିପାରିବେ ନାହିଁ।

ସୁପ୍ରିମକୋର୍ଟ ୫ ଜାନୁୟାରୀ ୨୦୨୬ରେ ଉମର ଖାଲିଦ ଓ ସରଜିଲ ଇମାମଙ୍କ ଜାମିନ ନିବେଦନ ଖାରଜ କରିଦେଇଥିଲେ। ତେବେ ଏହି ମାମଲାରେ କୋର୍ଟ ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ସବୁ ଅଭିଯୁକ୍ତଙ୍କ ଭୂମିକା ସମାନ ନୁହେଁ। ଖାଲିଦ ଓ ଇମାମଙ୍କ ମାମଲାରେ କୋର୍ଟ ପ୍ରସିକ୍ୟୁସନ ସାମଗ୍ରୀକୁ ନଜରରେ ରଖି ଷଡ଼ଯନ୍ତ୍ରରେ ସେମାନଙ୍କ ଭୂମିକା ଉଲ୍ଲେଖ କରିଥିଲେ। ଏହି ଆଦେଶରେ ସୁପ୍ରିମକୋର୍ଟ କହିଥିଲେ ଯେ ସଂରକ୍ଷିତ ସାକ୍ଷୀଙ୍କ ସାକ୍ଷଦାନ ପୂରା ହେବା ପରେ ଅଥବା ଆଦେଶର ତାରିଖ ୧ ବର୍ଷ ପୁରା ହେବା ପରେ ଉଭୟ ପୁଣି ଥରେ ଜାମିନ ନିବେଦନ କରିପାରିବେ। ଏବେକା ମାମଲାରେ ସୁପ୍ରିମକୋର୍ଟଙ୍କ ଏହି ସର୍ତ୍ତ ଗୁରତ୍ୱପୂର୍ଣ୍ଣ ହୋଇପଡିଛି। ସେପ୍ଟେମ୍ବର ୨୦୨୬ରେ ୧ ବର୍ଷର ଅବଧି ପୂରଣ ହୋଇ ନାହିଁ। ଏଣୁ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ମନା କରିଦେଇଛନ୍ତି।

ତେବେ ଦିଲ୍ଲୀ ହାଇକୋର୍ଟ ଯିବା ପୂର୍ବରୁ ଉମର ଖାଲିଦ ଓ ସରଜିଲ ଇମାମ କଡ଼କଡ଼ଡୁମା କୋର୍ଟରେ ଜାମିନ ଆବେଦନ ଦାଖଲ କରିଥିଲେ। ୪ ଜୁଲାଇ ୨୦୨୬ରେ ଅତିରିକ୍ତ ବିଚାରପତି ସେମାନଙ୍କ ଆବେଦନ ଖାରଜ କରିଦେଇଥିଲେ। ଟ୍ରାୟଲକୋର୍ଟ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପରିସ୍ଥିତିରେ ସେପରି କୌଣସି ପରିବର୍ତ୍ତନ ହୋଇନାହିଁ। ଉମର ଖାଲିଦ ଓ ସରଜିଲ ଇମାମଙ୍କ ବିରୋଧରେ ଫେବୃଆରୀ ୨୦୨୦ରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ସମ୍ପର୍କିତ ବଡ଼ ଧରଣର ଷଡ଼ଯନ୍ତ୍ର ବିରୋଧରେ ୟୁଏପିଏ ସମେତ ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ ହୋଇଛି।

ପ୍ରୋସିକ୍ୟୁସନ ପକ୍ଷରୁ ଅଭିଯୋଗ ହେଉଛି ଯେ ସିଏଏ ବିରୋଧୀ ପ୍ରଦର୍ଶନ ସନ୍ଦର୍ଭରେ ହିଂସାତ୍ମକ ଘଟଣା ରୂପାୟନ କରିବାକୁ ଯୋଜନା କରାଯାଇଥିଲା। ଏହି ହିଂସାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ।