ମସ୍କୋ: ଋଷିଆର ମସ୍କୋ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣରେ ୱାଇଲ୍ଡବେରିଜ୍ ଲଜିଷ୍ଟିକ୍ ସେଣ୍ଟରରେ ନିଆଁ ଲାଗି ଯାଇଛି। ଏନେଇ ଜାରି ଭିଡିଓରେ ଗୋଦାମ ପୁରା ନିଆଁରେ ଘେରି ରହିଥିବା ଦେଖାଯାଉଛି। ନିଆଁ ଲାଗିବା ଯୋଗୁ କୋଲେଡିନୋ ଆକାଶ କଳାଧୂଆଁରେ ଆଚ୍ଛାଦିତ ଥିବା ବେଳେ ଦିନରେ ରାତିର ଭ୍ରମ ସୃଷ୍ଟି କରିଛି। ଋଷିଆ ରାଜଧାନୀ ଉପରେ ୟୁକ୍ରେନର ଏହି ଆକ୍ରମଣ ୧୬ ଅଗଷ୍ଟ ପୂର୍ବାହ୍ନରେ ହୋଇଛି। ମସ୍କୋ ଗଭର୍ଣ୍ଣର ଆନ୍ଦ୍ରେ ଭୋରବ୍ୟୋଭ ଏହାକୁ ଏ ପର୍ଯ୍ୟନ୍ତର ସବୁଠୁ ଭୀଷଣ ଡ୍ରୋନ ଆକ୍ରମଣ ବୋଲି କହିଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହି ଆକ୍ରମଣରେ ଅନୁନ୍ୟ ୬ ଜଣଙ୍କ ମୃତ୍ୟୁ ହୋଇଛି। ମସ୍କୋ ସହରରୁ ଦକ୍ଷିଣ ଦିଗରେ ପାଖାପାଖି ୪୫ କିଲୋମିଟର ଦୂର କୋଲେଡିନରେ ରହିଛି ୱାଇଲ୍ଡବେରିଜ୍ ଗୋଦାମ। ତେବେ ଏହି ଆକ୍ରମଣରେ ୱାଇଲ୍ଡବେରି ସେଣ୍ଟର ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ମସ୍କୋର ମୁଖ୍ୟ ବିମାନ ବନ୍ଦର ନିକଟ ଡୋମୋଡେଡୋଭୋ ସ୍ଥିତ ଏକ ଅନ୍ୟ ଲଜିଷ୍ଟିକ୍ ସେଣ୍ଟରମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ସାରା ରାତି ଜାରିଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣ ଅଂଶବିଶେଷ।

ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ସେନା ସାରା ଦେଶରେ ୟୁକ୍ରେନର ୮୨୨ଟି ଡ୍ରୋନକୁ ଖସାଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ କହିଛନ୍ତି ଯେ ରାଜଧାନୀ ମସ୍କୋ ଆଡକୁ ପାଖାପାଖି ୬୦୦ ଟି ଡ୍ରୋନ ଆସୁଥିଲେ। ଆନ୍ଦ୍ରେ କହିଛନ୍ତି ଯେ ଏୟାରଡିଫେନ୍ସ ଓ ଇଲେକ୍ଟ୍ରୋନିକ୍ ୱାରଫେୟର ସିଷ୍ଟମ ଡୋମୋଡେଡୋଭୋ ଓ ପୋଡୋଲସ୍କ ସହିତ କେତେକ ଜିଲ୍ଲାରେ ଡ୍ରୋନକୁ ଖସାଇ ଦେଇଛି।