News7 Logo

ରୁଷ୍‌ର ତୈଳ ବିଶୋଧନାଗାର ଉପରେ ୩୬୧ ଡ୍ରୋନ୍ ମାଡ଼ କଲା ୟୁକ୍ରେନ, ଟାର୍ଗେଟ୍‌ରେ ରୁଷିଆର ସବୁଠୁ ବଡ଼ ରିଫାଇନାରୀ

NEWS7
-

ନୂଆଦିଲ୍ଲୀ – ବିଶ୍ୱର ସର୍ବ ବୃହତ ଅଶୋଧିତ ତୈଳ ରପ୍ତାନୀକାରୀ ଦେଶ ରୁଷିଆର ରିଫାଇନାରୀ ଉପରେ ୟୁକ୍ରେନ୍‌ ଡ୍ରୋନ୍‌ ହମଲା କରିଛି। ୟୁକ୍ରେନ୍‌ ଶନିବାର ବିଳମ୍ୱିତ ରାତିରେ ୩୬୧ ଟି ଡ୍ରୋନ୍‌ ସହ ରୁଷ୍‌ ଉପରେ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣରେ ରୁଷ୍‌ର ଉତ୍ତର-ପଶ୍ଚିମ ସ୍ଥିତ ବିଶାଳ କିରିଶି ତୈଳ ରିଫାଇନାରୀରେ ନିଆଁ ଲାଗି ଯାଇଛି। ରବିବାର ରୁଷୀୟ ଅଧିକାରୀମାନେ କହିଛନ୍ତି ଯେ, ଏହି ଘଟଣାରେ କେହି ହତାହତ ହୋଇ ନାହାନ୍ତି। ରୁଷ୍‌ ଓ ୟୁକ୍ରେନ୍‌ ଅଧିକାରୀମାନେ ଏହା ସ୍ପଷ୍ଟ କରିଛନ୍ତି। ୟୁକ୍ରେନର ଜେନେରାଲ ଷ୍ଟାଫ୍ କହିଛନ୍ତି ଯେ, ଘଟଣାସ୍ଥଳରେ ବିସ୍ଫୋରକ ଓ ଅଗ୍ନିକାଣ୍ଡର ଖବର ମିଳି ଥିଲା। ସେ ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ରାତ୍ରି ସମୟରେ ଆକାଶରେ ଉଚ୍ଚ ଅଗ୍ନିଶିଖା ଓ ଧୂଆଁର ବଳୟ ଦେଖିବାକୁ ମିଳିଛି।

ରୁଷୀୟ ଅଧିକାରୀମାନେ କହିଛନ୍ତି ଯେ, ରୁଷ୍‌ର ଦୁଇ ପ୍ରମୁଖ ରିଫାଇନାରୀରୁ ଗୋଟିଏ କିରିଶି ତୈଳ ରିଫାଇନାରୀ , ୟୁକ୍ରେନୀ ଡ୍ରୋନ୍‌ର ହମଲାର ଚିହ୍ନ ଥିଲା। ଲେନିନଗ୍ରାଦ ଅଞ୍ଚଳର ଗଭର୍ଣ୍ଣର ଆଲେକଜାଣ୍ଡର ଡ୍ରୋଜଡେଙ୍କୋ କହିଛନ୍ତି ଯେ, କିରିଶି ଅଞ୍ଚଳରେ ତିନୋଟି ଡ୍ରୋନ୍‌ ନଷ୍ଟ କରାଯାଇଛି ଏବଂ ଭଗ୍ନାବଶେଷରେ ଲାଗିଥିବା ନିଆଁକୁ ଲିଭାଇ ଦିଆ ଯାଇଛି। ସେ କହିଛନ୍ତି କେହି ହତାହତ ହୋଇ ନାହାନ୍ତି।

କହି ରଖୁଛୁ କି, କିରିଶି ପ୍ରତିବର୍ଷ ପ୍ରାୟ ୧୭.୭ ମିଲିୟନ ମେଟ୍ରିକ୍‌ ଟନ୍‌ (୩୫୫,୦୦୦ ବ୍ୟାରେଲ୍ ପ୍ରତି ଦିନ) ଅଶୋଧିତ ତୈଳର ଉତ୍ପାଦନ କରିଥାଏ, ଯାହା ଦେଶର ମୋଟ ତୈଳର ୬.୪ ପ୍ରତିଶତ। ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ରୁଷୀୟ ବାୟୁ ପ୍ରତିରକ୍ଷା ସିଷ୍ଟମ ପାଖାପାଖି ୩୬୧ଟି ଡ୍ରୋନ୍‌କୁ ମାରି ଖସାଇ ଦେଇଛି। ଯେଉଁଥିରେ ୪ଟି ନିର୍ଦ୍ଦେଶିତ ଏୟାର ବୋମା ଓ  ଗୋଟିଏ ଆମେରିକା ନିର୍ମିତ HIMARS ମିସାଇଲ ସାମିଲ ଥିଲା।

ଉଲ୍ଲେଖନୀୟ ଯେ, ଆମେରିକା ରୁଷ୍‌ର ରାଜସ୍ୱକୁ ହ୍ରାସ କରିବା ଓ ୟୁକ୍ରେନ ସହ ଯୁଦ୍ଧକୁ ବନ୍ଦ କରିବାରେ ସାହାଯ୍ୟ ପାଇଁ ରୁଷ୍‌ର ଉପରେ ଶକ୍ତିର ପ୍ରତିବନ୍ଧକକୁ ଆହୁରି କଡ଼ାକଡ଼ି କରିବା ପାଇଁ ନାଟୋ ଦେଶ ଉପରେ ଚାପ ବଢାଇଛି। ଟ୍ରମ୍ପ ଶନିବାର କହିଛନ୍ତି ଯେ,  ଆମେରିକା ରୁଷ୍‌ ଉପରେ ନୂଆ ଶକ୍ତି ପ୍ରତିବନ୍ଧକ ଲଗେଇବା ପାଇଁ ପ୍ରସ୍ତୁତ, କିନ୍ତୁ  ଏହା ସେତେବେଳେ ସମ୍ଭବ ହେବ ,ଯେତେବେଳେ ସବୁ ନାଟୋ ଦେଶ ରୁଷୀୟ ତୈଳ କ୍ରୟ କରିବା ବନ୍ଦ କରିବେ ଏବଂ ସମାନ ଉପାୟ ଲାଗୁ କରିବେ।