ନୂଆଦିଲ୍ଲୀ: ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟ୍ (ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ)ରୁ କିର ଷ୍ଟାର୍ମରଙ୍କ ବିଦାୟ ନେବା ଘୋଷଣା ପରେ ମଧ୍ୟ ସେଠାକାର ସବୁଠାରୁ ଚର୍ଚ୍ଚିତ ସଦସ୍ୟ 'ଲ୍ୟାରୀ ଦି କ୍ୟାଟ୍' (Larry the Cat) ନିଜ ସ୍ଥାନରେ ଅଟଳ ରହିଛି। ବିଶ୍ଵ ରାଜନୀତିରେ ବଡ଼ ଓଲଟପାଲଟ ହେଉଥିଲେ ବି, ଏହି ପ୍ରସିଦ୍ଧ ବିଲେଇ ଏବେ ତାର ୭ମ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରିଛି।

ଲ୍ୟାରୀ କୌଣସି ସାଧାରଣ ବିଲେଇ ନୁହେଁ। ତାକୁ ବ୍ରିଟେନ ସରକାରଙ୍କ ତରଫରୁ 'ଚିଫ୍ ମାଉସର' (Chief Mouser to the Cabinet Office) ବା ମୁଖ୍ୟ ମୂଷା ଧରାଳିର ପଦବୀ ମିଳିଛି। ୨୦୧୧ ମସିହାରେ ଡାଉନିଂ ଷ୍ଟ୍ରିଟ୍‌ରେ ମୂଷାମାନଙ୍କ ପ୍ରାଦୁର୍ଭାବ ବଢ଼ିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରନ୍ ତାକୁ 'ବାଟରସି ଡଗ୍ସ ଆଣ୍ଡ କ୍ୟାଟ୍ସ ହୋମ୍'ରୁ ଆଣି ସେଠାରେ ରଖିଥିଲେ।

ବ୍ରିଟେନ ରାଜନୀତିରେ ଗତ କେଇ ବର୍ଷ ମଧ୍ୟରେ ଅନେକ ପ୍ରଧାନମନ୍ତ୍ରୀ ବଦଳିଛନ୍ତି, କିନ୍ତୁ ଲ୍ୟାରୀର ପଦବୀ ଏବଂ ସ୍ଥାନ ସୁରକ୍ଷିତ ରହିଛି। ସେ ଏପର୍ଯ୍ୟନ୍ତ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ଆଗମନ ଓ ପ୍ରସ୍ଥାନର ସାକ୍ଷୀ ରହିଛି ।

ଡେଭିଡ୍‌ କାମେରନ୍‌ (David Cameron)

ଥେରେସା ମେ (Theresa May)

ବୋରିସ୍ ଜନସନ (Boris Johnson)

ଲିଜ୍ ଟ୍ରସ୍ (Liz Truss)

ଋଷି ସୁନକ (Rishi Sunak)

କିର ଷ୍ଟାର୍ମର (Keir Starmer)

ଲ୍ୟାରୀ ବ୍ରିଟେନର ଜନସାଧାରଣ ଏବଂ ଗଣମାଧ୍ୟମରେ ଖୁବ ଲୋକପ୍ରିୟ। ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ଵିଟର)ରେ ତାର ଏକ ବେସରକାରୀ ପ୍ୟାରୋଡି ଆକାଉଣ୍ଟ ମଧ୍ୟ ରହିଛି, ଯାହାର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି। ଡାଉନିଂ ଷ୍ଟ୍ରିଟରେ ହେଉଥିବା ପ୍ରତିଟି ରାଜନୈତିକ ହଲଚଲ ଉପରେ ଏହି ଆକାଉଣ୍ଟରୁ ବ୍ୟଙ୍ଗାତ୍ମକ ପୋଷ୍ଟ କରାଯାଇଥାଏ। ଲ୍ୟାରୀ କୌଣସି ରାଜନୈତିକ ଦଳର ସଦସ୍ୟ ନୁହେଁ। ସେଠାକାର ଲୋକେ ମଜାରେ କୁହନ୍ତି – ‘ପ୍ରଧାନମନ୍ତ୍ରୀମାନେ ତ ଆସନ୍ତି ଆଉ ଯାଆନ୍ତି, କିନ୍ତୁ ଡାଉନିଂ ଷ୍ଟ୍ରିଟ୍‌ର ପ୍ରକୃତ ଶାସକ ହେଉଛି ଲ୍ୟାରୀ।’