ବେଜିଂ: ସମୁଦ୍ରରୁ ବଳ ଗୋଟାଇ ଉପକୂଳକୁ ମାଡ଼ିଆସୁଛି ଶକ୍ତିଶାଳୀ ଟାଇଫୁନ୍ ‘ଡଲଫିନ୍’। ରବିବାର କର ଲ୍ୟାଣ୍ଡଫଲ। ଘଣ୍ଟାପ୍ରତି ୨୦୦ କିମି ବେଗରେ ବହିବ ପବନ। ନିମିଷକେ ସବୁ ହୋଇଯିବ ଛାରଖାର। ଚୀନକୁ ମାଡ଼ିଆସୁଛି ଦଶନ୍ଧିର ସବୁଠୁ ବଡ଼ ବିପର୍ଯ୍ୟୟ। ୱେନ୍ ଝୋଉ ନିକଟରେ ଦେଇ ଅତିକ୍ରମ କରିବ ସାମୁଦ୍ରିକ ଘୂର୍ଣ୍ଣିଝଡ ଡଲଫିନ। ଉପକୂଳରେ ଦେଖାଇଲାଣି କୋପ। ପ୍ରବଳ ବର୍ଷା ଆରମ୍ଭ। ବନ୍ୟା ଓ ଭୂସ୍ଖଳନ ନେଇ ଚେତାବନୀ। ଜାପାନର ର୍ୟୁକ୍ୟୁ ଦ୍ୱୀପପୁଞ୍ଜରେ ବି ଭାରୀ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ସମୁଦ୍ରରେ ଉଠିପାରେ ୪ ମିଟର ପର୍ଯ୍ୟନ୍ତ ଜୁଆର।

ପଶ୍ଚିମ ପ୍ରଶାନ୍ତ ମହାସାଗରରେ ୫ ହଜାର କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି ଏବେ ଚୀନ୍ ଉପକୂଳ ମୁହାଁ ଶକ୍ତିଶାଳୀ ଟାଇଫୁନ୍ ‘ଡଲଫିନ୍’। ଜୁଲାଇ ୨୬ରେ ସୃଷ୍ଟି ହୋଇଥିବା ଏହି ଟାଇଫୁନ୍ ଓକିନାୱା ଅତିକ୍ରମ କରି ପୂର୍ବ ଚୀନ୍ ସାଗରରେ ପ୍ରବେଶ କରିଛି। ଗତି ବଢ଼ାଇବା ସହ ଧୀରେ ଧୀରେ ଶକ୍ତିଶାଳୀ ହେଉଛି ଡଲଫିନ୍। ବର୍ତ୍ତମାନ ଚୀନ୍ର ୱେନ୍ ଝୋଉଠାରୁ ପ୍ରାୟ ୨୫୦ କିଲୋମିଟର ପୂର୍ବରେ ରହିଛି ଏହି ବାତ୍ୟା। ଘଣ୍ଟାପ୍ରତି ପ୍ରାୟ ୧୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।

ସମୁଦ୍ରରେ ଡଲଫିନ୍ର ପବନର ବେଗ ଏବେ ଘଣ୍ଟାପ୍ରତି ପ୍ରାୟ ୧୭୦ କିଲୋମିଟର। ଆଉ ଝଟକା ପବନର ବେଗ ପହଞ୍ଚୁଛି ୨୦୫ କିଲୋମିଟର ପର୍ଯ୍ୟନ୍ତ। କିନ୍ତୁ ସ୍ଥଳଭାଗ ଛୁଇଁବା ମାତ୍ରେ ଦେଖାଇବ ତାର ପ୍ରଳୟଙ୍କରୀ ରୂପ। ଚୀନ ପାଣିପାଗ ବିଜ୍ଞାନୀଙ୍କ ଆକଳନ ଉଷ୍ଣ ସମୁଦ୍ର ଜଳ ଓ ଅନୁକୂଳ ବାୟୁମଣ୍ଡଳୀୟ ପରିସ୍ଥିତି ଯୋଗୁଁ ଆଗକୁ ଏହା ଆହୁରି ଶକ୍ତିଶାଳୀ ହୋଇପାରେ। ପୂର୍ବାନୁମାନ ଅନୁସାରେ, ରବିବାର ଅପରାହ୍ଣ କିମ୍ବା ସନ୍ଧ୍ୟାରେ ୱେନ୍ ଝୋଉ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ଟାଇଫୁନ୍ ଡଲଫିନ୍। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ପ୍ରାୟ ୨୦୦ କିଲୋମିଟର ଅତିକ୍ରମ କରିପାରେ।

ଚୀନ୍ର ୱେନ୍ ଝୋଉ ଓ ଉତ୍ତର ଉପକୂଳରେ ଏହାର ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଘଣ୍ଟାପ୍ରତି ୧୭୦ କିଲୋମିଟର ପର୍ଯ୍ୟନ୍ତ ଝଟକା ପବନ ସହ ୧୫୦ରୁ ୩୫୦ ମିଲିମିଟର ବର୍ଷା ହୋଇପାରେ। କେତେକ ସ୍ଥାନରେ ବର୍ଷା ପରିମାଣ ୪୫୦ ମିଲିମିଟରରୁ ଅଧିକ ହେବାର ଆଶଙ୍କା ରହିଛି। କେବଳ ବର୍ଷା ନୁହେଁ, ସମୁଦ୍ରରେ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ। ଫଳରେ ଉପକୂଳ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନର ବିପଦ ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଉପକୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦରକୁ ରେଡ୍ ସିଗନାଲ ସହ ସାମୁଦ୍ରିକ ପରିବହନକୁ ସ୍ଥଗିତ ରଖାଯାଇଛି।

also read- 

ଟାଇଫୁନ୍ର ପ୍ରଭାବ ଜାପାନର ର୍ୟୁକ୍ୟୁ ଦ୍ୱୀପପୁଞ୍ଜରେ ମଧ୍ୟ ଅନୁଭୂତ ହେବ। ସପ୍ତାହେ ଯାଏ ଏଠାରେ ପ୍ରବଳ ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ବନ୍ୟା ଓ ଭୂସ୍ଖଳନ ବିପଦ ନେଇ ସତର୍କତା ଜାରି ରହିଛି। ଲ୍ୟାଣ୍ଡଫଲ୍ ପରେ ଡଲଫିନ୍ ଦୁର୍ବଳ ହେବାର ଆକଳନ ଥିଲେ ମଧ୍ୟ ଭାରୀ ବର୍ଷା ଓ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ବିପଦ ଟଳିବ ନାହିଁ। ଜୁଲାଇରେ ଆସିଥିବା ପ୍ରଳୟଙ୍କାରୀ ଟାଇଫୁନ ପୂର୍ବ ଚୀନରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏବେ ଡଲଫିନ ଉପରେ ସାରା ବିଶ୍ୱର ନଜର।