News7 Logo

ଦିଲ୍ଲୀରେ ବନ୍ୟା ଆଶଙ୍କା ମଧ୍ୟରେ ଦୁଇଟି ହସ୍ପିଟାଲକୁ କରାଗଲା ଖାଲି , ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେଲେ ରୋଗୀ

NEWS7
-

ନୂଆଦିଲ୍ଲୀ – ଦିଲ୍ଲୀରେ ଲଗାତାର ବଢିବାରେ ଲାଗିଛି ଯମୁନା ନଦୀର ଜଳସ୍ତର। ଏହା ଫଳରେ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି ଏବଂ ସେଠାରେ ଚାରିଆଡ଼େ ଖାଲି ପାଣି ହିଁ ପାଣି ନଜର ଆସୁଛି। ଏହି ମଧ୍ୟରେ ତଳିଆ ସ୍ଥାନରେ ବନ୍ୟାର ବିପଦକୁ ଦେଖି ଗୁରୁବାର ଯମୁନା ବଜାର ସ୍ଥିତ ସନ୍ଥ ପରମାନନ୍ଦ ହସ୍ପିଟାଲକୁ ଖାଲି କରି ଦିଆ ଯାଇଛି। ଏହା ବ୍ୟତୀତ ସିଭିଲ ଲାଇନ୍ସ ସ୍ଥିତ ସୁଶ୍ରୁତ ଟ୍ରମା ସେଣ୍ଟରରୁ ପାଞ୍ଚ ଜଣ ରୋଗୀଙ୍କୁ ଲୋକନାୟକ ହସ୍ପିଟାଲକୁ ପଠାଇ ଦିଆ ଯାଇଛି। ଏହି ସମୟରେ ହସ୍ପିଟାଲର ରୋଗୀଙ୍କୁ ସତର୍କତା ପୂର୍ବକ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖନୀୟ ଯେ, ଯମୁନାରେ ଜଳ ସ୍ତର ବୃଦ୍ଧି ସହ ଆଖପାଖର ଅଞ୍ଚଳରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏହି କାରଣରୁ ସତର୍କତାର ପଦକ୍ଷେପ ନିଆଯାଉଛି। ଏହା ପୂର୍ବରୁ ଯମୁନାରେ ଆସିଥିବା ବନ୍ୟା ବେଳେ ସନ୍ଥ ପରମାନନ୍ଦ ହସ୍ପିଟାଲରେ ବନ୍ୟା ପାଣି ପହଞ୍ଚି ଯାଇଥିଲା। ସେତେବେଳେ ହସ୍ପିଟାଲକୁ ଖାଲି କରାଯାଇ ଥିଲା। ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି ଯେ, ଏହିଥର ସତର୍କତା ସ୍ୱରୂପ ପୂର୍ବରୁ ହିଁ ହସ୍ପିଟାଲ ଖାଲି କରିଦିଆ ଯାଇଛି। ଭର୍ତ୍ତି ହୋଇଥିବା ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆ ଯାଇଛି। ହସ୍ପିଟାଲ ସଂପୂର୍ଣ୍ଣ ରୂପେ ଖାଲି ରହିଛି ,ଏଥିରେ ଗୁରୁବାର ଏଠାରେ ଓପିଡି ମଧ୍ୟ ପରିଚାଳନା ହୋଇ ନାହିଁ।

ଏପଟେ ଆଉ ଏକ ହସ୍ପଟାଲ ସୁଶ୍ରୁତ ଟ୍ରମା ସେଣ୍ଟରରୁ ମଧ୍ୟ ପାଞ୍ଚ ଜଣ ରୋଗୀଙ୍କୁ ସିଫ୍ଟ କରାଯାଇଛି। ଏଥିରୁ ଜଣେ ରୋଗୀ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି ଥିଲେ।ଏହିସବୁ ରୋଗୀଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ଟ୍ରମା ସେଣ୍ଟରରେ ମଧ୍ୟ ଏବେସୁଦ୍ଧା ଯମୁନାର ପାଣି ପହଞ୍ଚି ପାରିନାହିଁ , କିନ୍ତୁ ସତର୍କତା ସ୍ୱରୂପ ଏଠାରେ ସବୁ ପଦକ୍ଷେପ ନିଆଯାଇଛି।