ନୂଆଦିଲ୍ଲୀ: ବ୍ରିକସ୍ ସମ୍ମିଳନୀ ଲାଗି ଦିଲ୍ଲୀରେ ସୁରକ୍ଷା ଏବେ କଡ଼ାକଡ଼ି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ରବିବାର ୫ ଘଣ୍ଟା ଅନ୍ତରାଳରେ ୨ଟି ଗୋଦାମରେ ନିଆଁ ଲାଗିଛି। ଏଥିରୁ ଗୋଟିଏ ଡଲ୍ଲୁପୁରାରେ ହୋଇଥିବା ବେଳେ ଅନ୍ୟ ଅଗ୍ନିକାଣ୍ଡଟି ଉତ୍ତର-ପଶ୍ଚିମ ଦିଲ୍ଲୀର ସ୍ୱରୂପ ନଗରର ଏକ ଗୋଦାମରେ ହୋଇଛି। ଏହି ଅଗ୍ନିକାଣ୍ଡରେ ୩ ପିଲାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ପ୍ରଥମ ଅଗ୍ନିକାଣ୍ଡ ସ୍ୱରୂପ ନଗରରେ ହୋଇଥିଲା। ଦମକଳ ବିଭାଗ ନିଆଁକୁ ଆୟତ କରିବାର ୫ ଘଣ୍ଟା ପରେ ଡଲ୍ଲୁପୁରା ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁକୁ ଆୟତ୍ତ କରିବା ପାଇଁ ୩୫ଟି ଦମକଳ ଲାଗିଥିବା ବେଳେ ୨୦୦ରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଛନ୍ତି।

ଡଲ୍ଲୁପୁରା ଗୋଦାମରେ ଲାଗିଥିବା ନିଆଁ ବେଶ୍ ଦୂରକୁ ଦେଖା ଯାଉଛି। ନିଆଁକୁ ଆୟତ୍ତ କରିବା ବେଳେ ଜଣେ ଅଧିକାରୀ ଧୂଆଁରେ ଅଣନିଶ୍ୱାସୀ ହୋଇ ଅସୁସ୍ଥ ହୋଇପଡିଛନ୍ତି। ସ୍ୱରୂପ ନଗର ଅଗ୍ନିକାଣ୍ଡରେ ନିଆଁ ଲୋକଙ୍କ ଘର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଏଣୁ ଦମକଳ ବିଭାଗ କର୍ମଚାରୀଙ୍କୁ ବେଶ୍ କଷ୍ଟ କରିବାକୁ ପଡିଥିଲା। ଡଲ୍ଲୁପୁରା ଗୋଦାମରେ ନିଆଁ ଲାଗିବା ଘଟଣା ଦମକଳ ବିଭାଗକୁ ଅପରାହ୍ନ ୩ଟା ୨୯ ମିନିଟ୍ ରେ ମିଳିଥିଲା। ଏହି ନିଆଁ ଖେଡା ଦେବତ ମନ୍ଦିର ନିକଟ ଧର୍ମଶିଳା ହସ୍ପିଟାଲ ପଛ ପଟେ ଥିବା ଗୋଦାମରେ ଲାଗିଥିଲା।

ପ୍ରାୟ ୧୦୦୦ ଗଜର ଏହି ଗୋଦାମର ତଳ ମହଲାରେ ପ୍ଲାଇଉଡ ଓ ପିଭିସି ସାମଗ୍ରୀ ଥିଲା। ଟିଣଚଦରରେ ତିଆରି ଗୋଦାମରେ ଜ୍ୱଳନଶୀଳ ପଦାର୍ଥ ଥିବା ଯୋଗୁ ନିଆଁ ବ୍ୟାପି ଯାଇଛି। ଏଠାରେ ଲାଗିଥିବା ନିଆଁ ଡଲ୍ଲୁପୁରା ସହିତ ନ୍ୟୁ ଅଶୋକ ନଗରକୁ ବି ଦେଖା ଯାଉଥିଲା। ନିଆଁର ଭୟାବହତାକୁ ଦେଖି ପ୍ରଥମେ ଯେତିକି ଦମକଳ ଆସିଥିଲେ ପଛକୁ ପଛ ଦମକଳ ପଠାଯାଇଥିଲା। ୩୫ରୁ ଅଧିକ ଦମକଳ ସହିତ ୨୦୦ରୁ ଅଧିକ ଦମକଳ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି।