ମୁମ୍ବାଇ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଭୟରେ ଚାକିରି ଛାଡ଼ିଛନ୍ତି ଦୁଇ ଡାକ୍ତର । ଏକ ସରକାରୀ ହସ୍ପିଟାଲରେ ଶିବସେନା କର୍ପୋରେଟର ରମେଶ ମହାତ୍ରେଙ୍କ ଦ୍ୱାରା ନିର୍ଯାତିତ ଦୁଇଜଣ ଡାକ୍ତର ଇସ୍ତଫା ଦେଇଛନ୍ତି । ଏହି ଆକ୍ରମଣ ପରେ ହସ୍ପିଟାଲର କର୍ମଚାରୀମାନେ ଭୟ ଏବଂ ମାନସିକ ଚାପରେ ଥିବାବେଳେ ପୂରା ମହାରାଷ୍ଟ୍ରରେ ଚିକିତ୍ସା ସହ ଜଡିତ ବ୍ୟକ୍ତିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ଆକ୍ରମଣର ଶିକାର ଦୁଇ ଡାକ୍ତର ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ସେଠାରେ କାର୍ଯ୍ୟ କରୁଥିଲେ । ଆକ୍ରମଣର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ପରିବାର ଲୋକେ ମଧ୍ୟ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ସନ୍ଧ୍ୟାରେ କଲ୍ୟାଣ-ଡୋମ୍ବିଭଲି ମହାନଗରର ଶାସ୍ତ୍ରୀ ନଗର ହସ୍ପିଟାଲରେ ଏହି ଘଟଣା ଘଟିଥିଲା । ହସ୍ପିଟାଲରେ ନବଜାତ ଶିଶୁଙ୍କ ପାଇଁ ଆଇସିୟୁ ବେଡ୍ ଖାଲି ନଥିବାରୁ ଡାକ୍ତରମାନେ ଜଣେ ନବଜାତ ଶିଶୁକୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ରାଗି ଯାଇ ଶିଶୁର ପରିବାର ଲୋକେ ସ୍ଥାନୀୟ କର୍ପୋରେଟର ରମେଶ ମାହତ୍ରେଙ୍କୁ ଯୋଗାଯୋଗ କରିଥିଲେ । ମହାତ୍ରେ ନିଜ ସମର୍ଥକଙ୍କ ସହ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ସହ ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିଲେ ।

ଗିରଫ ପରେ ଆଇସିୟୁରେ ଅଭିଯୁକ୍ତ, ବାହାରେ ଡାକ୍ତରଙ୍କ ବିକ୍ଷୋଭ

ଘଟଣାକୁ ନେଇ ମାମଲା ରୁଜୁ ହେବା ପରେ ବୁଧବାର ରାତିରେ ପୋଲିସ ମହାତ୍ରେଙ୍କୁ ଗିରଫ କରିଥିଲା । ମାତ୍ର ଗିରଫ ହେବା ସଙ୍ଗେ ସଙ୍ଗେ ସେ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବାରୁ ତାଙ୍କୁ ଥାଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହାକୁ ବିରୋଧ କରି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ମେଡିକାଲ କର୍ମଚାରୀମାନେ ଆଇସିୟୁ ବାହାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ମହାତ୍ରେଙ୍କ କର୍ପୋରେଟର ପଦ ରଦ୍ଦ କରିବା ସହ ଡାକ୍ତରମାନଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି ।