ନୂଆଦିଲ୍ଲୀ: ବିବାହ କହିଲେ ସାଧାରଣତଃ ସୁନ୍ଦର ସାଜସଜ୍ଜା କିମ୍ବା ସଙ୍ଗୀତ କଥା ମନକୁ ଆସିଥାଏ। ମାତ୍ର କେରଳର ଚଙ୍ଗନାସେରୀରେ ଅନୁଷ୍ଠିତ ଏକ ବିବାହ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହି ବିବାହର ପ୍ରତ୍ୟେକଟି ମୁଖ୍ୟ ଭୂମିକାରେ କେବଳ ଯମଜ (Twins) ବ୍ୟକ୍ତିବିଶେଷ ନଜର ଆସିଥିଲେ। ଚଙ୍ଗନାସେରୀ ମେଟ୍ରୋପଲିଟାନ୍ ଚର୍ଚ୍ଚରେ ଅନୁଷ୍ଠିତ ଏହି ମଙ୍ଗଳମୟ ଉତ୍ସବରେ, ବର, କନିଆ ଏବଂ ପାଦ୍ରୀ ସମସ୍ତେ ଥିଲେ ଯମଜ ।

ଚଙ୍ଗନାସେରୀର କୁଞ୍ଜୁମୋନ୍ ଥୋମାସ୍ ଓ ଜୋମୋଲଙ୍କ ଦୁଇ ଯମଜ ପୁଅ ଅଖିଲ୍ କେ. ଥୋମାସ୍ ଏବଂ ନିଖିଲ୍ କେ. ଥୋମାସ୍ ପଥନମଥିଟ୍ଟା ଜିଲ୍ଲାର ଟୋମିଚାନ୍ ଓ ମେରୀକୁଟ୍ଟୀଙ୍କ ଦୁଇ ଯମଜ ଝିଅ ମ୍ୟାଗି ମେରୀ ଥୋମାସ୍ ଏବଂ ମାରିଆ ମେରୀ ଥୋମାସଙ୍କୁ ବିବାହ କରିଛନ୍ତି । ଅଖିଲ୍‌, ମ୍ୟାଗିଙ୍କ ହାତ ଧରିଥିବା ବେଳେ ନିଖିଲ୍‌, ମାରିଆଙ୍କୁ ନିଜର ଜୀବନସାଥୀ ଭାବେ ବାଛିଛନ୍ତି ।

ଏହି ବିବାହର ସବୁଠାରୁ ବଡ଼ ଆକର୍ଷଣ ଥିଲେ, ବିବାହ ସମ୍ପନ୍ନ କରାଇଥିବା ପାଦ୍ରୀ (Priests) ଏବଂ ତାଙ୍କୁ ସହଯୋଗ କରୁଥିବା ସହାୟକ । କାଞ୍ଜିରାପଲ୍ଲୀ ଡାଇଓସିସର ଫାଦର ଆଣ୍ଟୋ ପେଜୁମକାଟ୍ଟିଲ୍ ଏବଂ ଫାଦର ଆଜୋ ପେଜୁମକାଟ୍ଟିଲ୍  ଏହି ବିବାହ କରାଇଛନ୍ତି । ସେହିଭଳି ପାଲା ଅଞ୍ଚଳର ଜେରୋନ୍ ଜେମ୍ସ ଓ ଜୋହନ୍ ଜେମ୍ସ ନାମକ ଦୁଇ ଯମଜ ଭାଇ ଚର୍ଚ୍ଚର ଅଲଟାର ସହାୟକ ଭାବେ ସେବା ଦେଇଥିଲେ।

ସମ୍ପୂର୍ଣ୍ଣ ବିବାହକୁ ଯମଜ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ କରିବାର ଯୋଜନା କୌଣସି ଆକସ୍ମିକ ଘଟଣା ନଥିଲା। ଦୁଇ ଭଉଣୀ ମ୍ୟାଗି ଓ ମାରିଆ ପିଲାଦିନରୁ ଏପରି ଏକ ନିଆରା ବିବାହର ସ୍ୱପ୍ନ ଦେଖିଥିଲେ। ଯମଜ ପାଦ୍ରୀଙ୍କୁ ଖୋଜିବା ପାଇଁ ସେମାନେ କୋଥାନାଲୁରର ଏକ ପ୍ରସିଦ୍ଧ ଚର୍ଚ୍ଚ ସହ ଯୋଗାଯୋଗ କରିଥିଲେ, ଯେଉଁଠି ଯମଜ ଲୋକଙ୍କ ସମାଗମ ହୋଇଥାଏ। ଉଭୟ ପରିବାରର ସମ୍ମତି ଓ ସହଯୋଗରେ ଏହି ସ୍ୱପ୍ନ ପୂରଣ ହୋଇପାରିଛି।

ଯମଜ ଦମ୍ପତିଙ୍କ ବିବାହ ସମ୍ପାଦନ କରିବା ଆମ ପାଇଁ ସାରା ଜୀବନର ଏକ ଅଭୁଲା ଅନୁଭୂତି। ଆମେ ଦୁଇ ଭାଇ ଯେପରି ଏକାସାଙ୍ଗରେ ଜନ୍ମ ହୋଇ ଏକାସାଙ୍ଗରେ ପାଦ୍ରୀ ହୋଇଥିଲୁ, ସେହିପରି ଏମାନେ ମଧ୍ୟ ଏକାଠି ଜନ୍ମ ହୋଇ ନୂଆ ଜୀବନର ଆରମ୍ଭ କରିଛନ୍ତି ବୋଲି ପାଦ୍ରୀ କହିଛନ୍ତି । ଅଖିଲ୍ ଓ ନିଖିଲ୍ ଉଭୟ ମର୍ଚ୍ଚାଣ୍ଟ ନେଭି ରେ କାର୍ଯ୍ୟରତ। ମ୍ୟାଗି ଓ ମାରିଆ ଉଭୟ ଆଇଟି ସେକ୍ଟରରେ କାର୍ଯ୍ୟ କରୁଛନ୍ତି । ତେବେ ବିବାହରେ ଯୋଗ ଦେଇଥିବା ଅତିଥିମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଆନନ୍ଦଦାୟକ ଅନୁଭବ ନିଶ୍ଚୟ ।