ଚେନ୍ନାଇ, ୦୬/୦୫: ସରିଛି ତାମିଲନାଡୁ ବିଧାନସଭା ନିର୍ବାଚନ । ଫଳାଫଳ ପ୍ରକାଶ ପାଇଛି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆକ୍ଟର୍ ଟର୍ଣ୍ଣଡ୍ ପଲିଟିସିଆନ୍ ବିଜୟଙ୍କ ପାର୍ଟି ଟିଭିକେ ସଂଖ୍ୟା ଗଣିତରେ ଆଗରେ ରହିଛି । ଦଳ ୧୦୦ରୁ ଅଧିକ ସିଟରେ ଜିତିଛି । କିନ୍ତୁ ଦଳ ପାଖରେ ସରକାର ଗଢିବା ପାଇଁ ଆବଶ୍ୟକୀୟ ଆସନ ନାହିଁ । ଫଳରେ ଯେମିତି ହେଲେ ଅନ୍ୟ ଦଳର ସମର୍ଥନ ଦରକାର । ଏହାରି ଭିତରେ ତାମିଲନାଡୁ ନିର୍ବାଚନରେ ଦେଖିବାକୁ ମିଳିପାରେ ନୂଆ ସମୀକରଣ ।

ରିପୋର୍ଟ ଅନୁସାରେ, କଂଗ୍ରେସ ଟିଭିକେକୁ ସମର୍ଥନ କରିବାକୁ ଚାହୁଁଛି । ଏଥିପାଇଁ ଦଳର ରାଜ୍ୟ ଶାଖାକୁ ଅନୁମତି ଦିଆଯାଇଛି । କଂଗ୍ରେସ ସାଂସଦ ଶଶିକାନ୍ଥ ସେନଥିଲ୍ ମଧ୍ୟ ସମାନ କଥା କହିଛନ୍ତି । ଅନ୍ୟ ଦିଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜୟଙ୍କ ପାର୍ଟିକୁ ସମର୍ଥନ କରିବା ପାଇଁ ରାଜି ଅଛନ୍ତି । କିନ୍ତୁ ଦିଲ୍ଲୀ ବଦଳରେ ରାଜ୍ୟ କଂଗ୍ରେସ ହିଁ ଚୂଡାନ୍ତ ନିଷ୍ପତ୍ତି ନେବା ଉଚିତ ବୋଲି କହୁଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ।

ସୂତ୍ରାନୁସାରେ, ମଙ୍ଗଳବାର ବିଳମ୍ବିତ ରାତ୍ରରେ କଂଗ୍ରେସ ନେତାଙ୍କ ଏକ ବୈଠକ ହୋଇଥିଲା । ଭର୍ଚୁଆଲରେ ଏହି ବୈଠକର ଆୟୋନ କରାଯାଇଥିଲା । ଏଥିରେ କଂଗ୍ରେସର ତାମିଲନାଡୁ ଶାଖାକୁ ବିଜୟଙ୍କୁ ସମର୍ଥନ ଦେବାକୁ କୁହାଯାଇଛି । ଏହା ବଦଳରେ ଦଳକୁ ରାଜ୍ୟରେ ଦୁଇଟି ମନ୍ତ୍ରୀ ପଦ ଦରକାର । କଂଗ୍ରେସ ନେତା ଗିରିଶ ଚୌଧାଙ୍କର ଏବଂ ପ୍ରବୀଣ ଚକ୍ରବର୍ତ୍ତୀ ଟିଭିକେ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଟିଭିକେ ବିଜେପି କିମ୍ବା ଏନଡିଏର ଅନ୍ୟ କୌଣସି ସହଯୋଗୀ ସହ ମେଣ୍ଟ କରିବ ନାହିଁ ବୋଲି ପୂର୍ବରୁ କହି ସାରିଛି । ତେଣୁ ଦଳ କଂଗ୍ରେସ ସହ ମେଣ୍ଟ କରିବା ସମ୍ଭାବନା ବେଶି ।

ପୂର୍ବରୁ ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେର ଦବଦବା ରହିଥିଲା । ଉଭୟ ଦଳ ୨୦୧୯ରେ ୩୯ରୁ ୩୯ ସିଟ୍ ଦଖଲ କରିଥିଲେ । ୨୦୨୪ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ନିକଟରେ ତାମିଲନାଡୁ ଫଳାଫଳ ଘୋଷଣା ପରେ ଡିଏମକେ କଂଗ୍ରେସ ବିରୋଧରେ ପଛରୁ ଛୁରି ମାରିଥିବା ଅଭିଯୋଗ ଆଣିଛି ।

ସୂଚନାଯୋଗ୍ୟ, ତାମିଲନାଡୁରେ ସରକାର ଗଠନ ପାଇଁ ୧୧୩ ଆସନ ଦରକାର । ଟିଭିକେ ପାଖରେ ୧୦୮ ଆସନ ରହିଛି । ଦଳ ଆଉ ୫ଟି ସିଟ୍ ଦରକାର କରୁଛି । ଖାଲି କଂଗ୍ରେସ ନୁହେଁ ଦଳ ଟିଭିକେ ଅନ୍ୟ ଦଳ ଯେପରିକି ସିପିଆଇ, ସିପିଏମ ଏବଂ ଭିସିକେ ଉପରେ ଆଖି ପକାଇଛି । ଏହି ସବୁ ଦଳ ପାଖରେ ୫ଟି ଆସନ ରହିଛି । ଯଦି କଂଗ୍ରେସର ସହ ଏ ସମସ୍ତ ଦଳର ସମର୍ଥନ ମିଳେ ତାହାଲେ ଟିଭିକେ ଏକ ସ୍ଥିର ସରକାର ଚଳାଇପାରିବ ।