ନୂଆଦିଲ୍ଲୀ/ୱାଶିଂଟନ୍: ପଶ୍ଚିମ ଏସିଆ ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ। ଏହାରି ଭତରେ ଏଣ୍ଟ୍ରି ମାରିଛନ୍ତି ରୁଷ ଓ ଚୀନ। ଦୁଇ ମହାଶକ୍ତିକୁ ଦେଶ ରୁଷ ଏବଂ ଚୀନକୁ ନାଲିଆଖି ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ-ଆମେରିକା ବିବାଦ ମଧ୍ୟରେ ଯଦି ମସ୍କୋ କିମ୍ବା ବେଜିଂ ମୁଣ୍ଡ ପୁରାନ୍ତି କିମ୍ବା ତେହେରାନକୁ ସାମରିକ ସହାୟତା ଯୋଗାନ୍ତି, ତେବେ ଏହାର ପରିଣାମ ସେମାନଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ହେବ ବୋଲି ଟ୍ରମ୍ପ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି।

ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ବାର୍ତ୍ତା ସେୟାର କରି ରାଷ୍ଟ୍ରପତି ଟ୍ରମ୍ପ ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ, ବେଜିଂରେ ହୋଇଥିବା ସାକ୍ଷାତ ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ତାଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଥିଲେ।

ଚୀନ୍ କୌଣସି ବି ପରିସ୍ଥିତିରେ ଇରାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ନାହିଁ କିମ୍ବା ଯୋଗାଇବ ନାହିଁ। ଏହି ପ୍ରତିଶ୍ରୁତି କେବଳ ଚୀନ୍ ସରକାରଙ୍କ ପାଇଁ ନୁହେଁ, ବରଂ ସେଠାକାର ସମସ୍ତ ବେସରକାରୀ ଏବଂ ବାଣିଜ୍ୟିକ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ଲାଗୁ ହେବ ବୋଲି ଜିନପିଙ୍ଗ୍ ଆଶ୍ୱାସନା ଦେଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ସେ ଜିନପିଙ୍ଗଙ୍କ ଏହି ପ୍ରତିଶ୍ରୁତିକୁ ବିଶ୍ୱାସକୁ ନେଇଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ରୁଷ ବିଷୟରେ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ମସ୍କୋ ତରଫରୁ ଇରାନକୁ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ନ ଯୋଗାଇବା ପାଇଁ ଆଶ୍ୱାସନା ଦେଇଛନ୍ତି। ଆମେରିକା ସିଧାସଳଖ ୟୁକ୍ରେନକୁ ଅସ୍ତ୍ର ବିକ୍ରି କରୁନାହିଁ, ବରଂ ନାଟୋ (NATO) ଦେଶଗୁଡ଼ିକୁ ଅସ୍ତ୍ର ଯୋଗାଉଛି। ନାଟୋ ଦେଶଗୁଡ଼ିକ ଏହାର ପୂର୍ଣ୍ଣ ମୂଲ୍ୟ ପୈଠ କରନ୍ତି ଏବଂ ସେହି ଅସ୍ତ୍ରଶସ୍ତ୍ର କେଉଁଠି ଓ କିପରି ବଣ୍ଟନ ହେଉଛି, ସେ ସମ୍ପର୍କରେ ଆମର କୌଣସି ନିୟନ୍ତ୍ରଣ ନଥାଏ। ଏହି କଥା ପୁତିନ ଭଲଭାବେ ବୁଝିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଇରାନ ପ୍ରସଙ୍ଗରେ ଚୀନ୍ କିମ୍ବା ରୁଷ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନାହାନ୍ତି। କିନ୍ତୁ ଯଦି ସେମାନେ ଏହି ଯୁଦ୍ଧରେ ପ୍ରବେଶ କରନ୍ତି କିମ୍ବା ଇରାନ ପଛରେ ଛିଡ଼ା ହୁଅନ୍ତି, ଏହା ସେମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହେବ ଏବଂ ସେମାନଙ୍କ ନିଜସ୍ୱ ସ୍ୱାର୍ଥ ବିରୋଧରେ ଯିବ।