ନୂଆଦିଲ୍ଲୀ: ଇରାନ ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ଆଉ ଏକ ବିବୃତ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ କିଛି ସମୟ ମିଳିଲେ, ସେ ହର୍ମୁଜ ପ୍ରଣାଳୀକୁ କବଜା ମୁକ୍ତ କରିପାରିବେ ବୋଲି କହିଛନ୍ତି । ଟ୍ରମ୍ପ ଆଉ କିଛି ସମୟ ଦରକାର ବୋଲି କହିବା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ, ‘ଆଉ କିଛି ସମୟ ଦରକାର, ଆମେ ହର୍ମୁଜ ପ୍ରଣାଳୀକୁ ସହଜରେ ମୁକ୍ତ କରିପାରିବା। ଏପରିକି ହର୍ମୁଜ୍ ଦେଇ ତେଲ ପାଇପାରିବା ଏବଂ ମୋଟା ଅଙ୍କର ଧନ ରୋଜଗାର କରିପାରିବା’ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ନେଇ ଅନେକ ମନ୍ତବ୍ୟ ଦେଇଛନ୍ତି ।

ଯୁଦ୍ଧ ମଧ୍ୟରେ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ଧମକ

ମାର୍ଚ୍ଚ ୧୧: ଟ୍ରମ୍ପ ସୋସିଆଲ ମିଡିଆରେ ଏକ ଧମକପୂର୍ଣ୍ଣ ପୋଷ୍ଟରେ ଲେଖିଥିଲେ, ‘ଯଦି ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ତେଲ ପ୍ରବାହକୁ ବନ୍ଦ କରିଦିଏ, ତେବେ ଆମେରିକା ଏପର୍ଯ୍ୟନ୍ତ ଆକ୍ରମଣରେ ଯାହା କରିଛି ତା'ଠାରୁ ୨୦ ଗୁଣ ଅଧିକ କ୍ଷତି କରିବ।’

ମାର୍ଚ୍ଚ ୧୫: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଥିଲେ ଯେ, ଇରାନର ସାମରିକ କ୍ଷମତା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । କିନ୍ତୁ ସେ ସ୍ୱୀକାର କରିଥିଲେ, ଇରାନର ସ୍ଥିତି ଯେତେ ଖରାପ ହେଲେ ବି, ଏହା ହର୍ମୁଜକୁ ବନ୍ଦ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବ । ଇରାନ୍ ମାଇନ୍ ଆକ୍ରମଣ କରିବ କିମ୍ବା ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିବ ବୋଲି ଟ୍ରମ୍ପ କହିଥିଲେ ।

ମାର୍ଚ୍ଚ ୨୨: ଟ୍ରମ୍ପ୍ ଧମକ ଦେଇ କହିଥିଲେ ଯେ, ଯଦି ଇରାନ୍ ଆଗାମୀ ୪୮ ଘଣ୍ଟା ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ନଖୋଲେ, ତେବେ ଆମେରିକା ଇରାନର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକୁ ଆକ୍ରମଣ କରି ସମ୍ପୂର୍ଣ୍ଣ ଧ୍ୱଂସ କରିବ।

ମାର୍ଚ୍ଚ ୩୧: ଟ୍ରମ୍ପ୍ ଲେଖିଥିଲେ, ‘ଇରାନରେ ଆମର ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଆମେରିକା ଏକ ନୂତନ ଏବଂ ଅଧିକ ବୁଦ୍ଧିମାନ ଶାସନ ସହିତ ଗମ୍ଭୀର ଆଲୋଚନା କରୁଛି। ଯଥେଷ୍ଟ ଅଗ୍ରଗତି ହୋଇଛି, କିନ୍ତୁ ଯଦି କୌଣସି କାରଣରୁ ଶୀଘ୍ର ଏକ ଚୁକ୍ତିନାମା ନହୁଏ ଏବଂ ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଆମେ ଇରାନରେ ଆମର କାର୍ଯ୍ୟକୁ ବୋମା ମାଡ଼ କରି ବନ୍ଦ କରିବୁ।’

ଏପ୍ରିଲ ୨: ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, ‘ଆମେରିକା ହର୍ମୁଜ୍ ପ୍ରଣାଳୀ ଦେଇ ପ୍ରାୟ ତେଲ ନିଏ ନାହିଁ। ଆମକୁ ଏହାର ଆବଶ୍ୟକତା ନାହିଁ । ଯେଉଁ ଦେଶଗୁଡ଼ିକ ହର୍ମୁଜ ଦେଇ ତେଲ ନେଉଛନ୍ତି, ସେମାନେ ଏହାର ଯତ୍ନ ନେବା ଉଚିତ। ସେମାନେ ଏହାକୁ ନିରାପଦ ଏବଂ ସୁରକ୍ଷିତ ରଖିବା ଉଚିତ । ଆମର ଏହାର ଆବଶ୍ୟକତା ନାହିଁ । ଇରାନ ସହିତ ଆମର ଯୁଦ୍ଧ ଶେଷ ହେବା ପରେ, ଏହି ଜଳମାର୍ଗ ଆପେ ଆପେ ସମସ୍ତଙ୍କ ପାଇଁ ଖୋଲିଯିବ।’