ନୂଆଦିଲ୍ଲୀ,୧୩/୦୮:ବୁଧବାର ଥିଲା ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୋଇଥିବାରୁ ବିଶ୍ୱବ୍ୟାପୀ ବୈଜ୍ଞାନିକ ଓ ମହାଜାଗତିକ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଭାରତୀୟ ସମୟ ଅନୁଯାୟୀ ଏହି ପରାଗ ରାତିରେ ପଡିଥିଲା । ତେଣୁଦେଶରେ ଏହାର କୌଣସି ପ୍ରଭାବ ପଡିନଥିଲା ।

ଭାରତୀୟ ସମୟ (IST) ଅନୁଯାୟୀ, ଅଗଷ୍ଟ ୧୨, ୨୦୨୬ ରାତି ପ୍ରାୟ ୯:୦୪ ମିନିଟରୁ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଥିଲା । ଏହାପରେ ରାତି ପ୍ରାୟ ୧୧:୧୬ ମିନିଟରେ ଏହା ପୂର୍ଣ୍ଣ ପରାଗ ହୋଇଥିଲା। ଏହାର ସମାପ୍ତି ତାରିଖ ଅଗଷ୍ଟ ୧୩ ତାରିଖ ଭୋର ୧:୨୭ ମିନିଟ୍ ରହିଥିଲା । ଅର୍ଥାତ୍ ଯେତେବେଳେ ଏହି ମହାଜାଗତିକ ଘଟଣା ଘଟୁଥିଲା, ସେତେବେଳେ ଭାରତର ସମସ୍ତ ଅଞ୍ଚଳରେ ଘନ ଅନ୍ଧାର ରହିଥିଲା ।

Also Read :- ଆଲ୍ଲାଙ୍କୁ ଧନ୍ୟବାଦ ଦେଲେ ଟ୍ରମ୍ପ୍ ! କହିଲେ -'ହର୍ମୁଜରେ ଆମେରିକା ତିଆରି କରିଛି ଲୁହାର ପାଚେରୀ', କ’ଣ କରିବ ଇରାନ ?

ବ୍ରିଟେନରେ ପୂର୍ଣ୍ଣ ପରାଗ

ବ୍ରିଟେନରେ ବୁଧବାର ସନ୍ଧ୍ୟାରେ ୧୯୯୯ ମସିହା ପରେ ସର୍ବୋତ୍ତମ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଛି। ଆଗାମୀ ୫୦ ବର୍ଷ ଯାଏ ଦେଶବାସୀ ଏଭଳି ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିପାରିବେ ନାହିଁ ବୋଲି କୁହାଯାଉଛି। ପୂରା ଦେଶରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଦକ୍ଷିଣ ପଶ୍ଚିମ ଇଂଲଣ୍ଡରେ ଏହା ଅଧିକ ହୋଇଥିଲା । ସେଠାରେ ସୂର୍ଯ୍ୟଙ୍କର ୯୬ ପ୍ରତିଶତ ଅଂଶ ଚନ୍ଦ୍ର ଦ୍ବାରା ଆଚ୍ଛାନ୍ଦିତ ହୋଇ ରହିଥିଲା। ସେହିପରି ବିଶ୍ଵର ଅନ୍ୟ ଭାଗରେ ମଧ୍ଯ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଥିଲା। ସେଥିମଧ୍ୟରେ ଉତ୍ତର ସ୍ପେନ୍, ରୁଷ, ଗ୍ରୀନଲାଣ୍ଡ, ଆଇସଲାଣ୍ଡ, ପର୍ତ୍ତୁଗାଲ ପ୍ରମୁଖ ସାମିଲ ରହିଥିଲା।

ବିରଳ ପରାଗ

ଶେଷ ଥର ପାଇଁ ୧୯୯୯ ମସିହା ଅଗଷ୍ଟ ୧୧ ତାରିଖରେ ୟୁରୋପବାସୀ ପୂର୍ଣ୍ଣ ସୂର୍ଯ୍ୟୋପରାଗର ସାକ୍ଷୀ ରହିଥିଲେ । ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ର ରହୁଥିବାରୁ ଏପରି ଘଟିଥାଏ । ଏବେ ପୁଣି ଅଗଷ୍ଟ ୧୨ ତାରିଖରେ ଉତ୍ତର ମେରୁରେ ରହୁଥିବା ଲକ୍ଷ ଲକ୍ଷ ଲୋକ ବିରଳ ପରାଗକୁ ଦେଖିଛନ୍ତି ।

ସ୍ପେନରେ ବୁଧବାର ହଜାର ହଜାର ଲୋକେ କୌଣସି ପାହାଡ ଏବଂ ଖୋଲା ସ୍ଥାନକୁ ଯାଇଥିଲେ । ସେଠାରୁ ଆକାଶ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା । ସାଙ୍ଗରେ ଆଣିଥିବା ବିଭିନ୍ନ ଟେଲିସ୍କୋପ ତଥା କ୍ୟାମେରାରେ ସେମାନେ ଏହାକୁ ଦେଖିଥିଲେ ।

ଅନ୍ୟ ଦିଗରେ ସ୍ୱିଜରଲ୍ୟାଣ୍ଡରେ ଆଶିଂକ ପରାଗ ଦେଖିବାକୁ ମିଳିଥିଲା । ହେଲେ ବ୍ରିଟେନର ସ୍ଥିତି ଅଲଗା ଥିଲା । ଏଠାରେ ସୂର୍ଯ୍ୟଙ୍କ ୯୦ ଭାଗ ଅଂଶକୁ ଜହ୍ନ ଘୋଡାଇ ରଖିଥିଲା । ଅନେକ ଫଟୋଗ୍ରାଫର ଏହି ବିରଳ ଦୃଶ୍ୟକୁ ଉଠାଇଥିଲେ ।

ହଙ୍ଗେରୀର ଡିନୟେସ୍ ଅବଜରଭେସନରେ ଶହ ଶହ ଲୋକେ ସୂର୍ଯ୍ୟପରାଗ ଦେଖିବାକୁ ଏକାଠି ହୋଇଥିଲେ । ଜହ୍ନ କିପରି ସୂର୍ଯ୍ୟଙ୍କୁ ଘୋଡାଇ ରଖିଥିଲା ତାହା ସେମାନେ ଦେଖିଥିଲେ ।