ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଶ୍ରିତ କୃଷି ପ୍ରଣାଳୀ ଅଧୀନରେ ଥିବା ଫାଇଲ୍ ପ୍ରୋସେସ୍ କରିବା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ବେଳେ ୩ଟି ସ୍ଥାନରେ ରେଡ୍ ଚାଲିଛି।

ସୂଚନା ଅନୁସାରେ, ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଶ୍ରିତ କୃଷି ପ୍ରଣାଳୀ ଅଧୀନରେ ଥିବା ଫାଇଲ୍ ପ୍ରୋସେସ୍ କରିବା ଏବଂ ୫୦ ପ୍ରତିଶତ ସବସିଡି ଟଙ୍କା ଛାଡ଼ ପାଇଁ ଜଣେ ହିତାଧିକାରୀଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

Also Read: ବାଣୀବିହାର ଲ' କଲେଜରେ ଛାତ୍ର ଅଶାନ୍ତି, ବିଭିନ୍ନ ଦାବି ନେଇ ଅଧ୍ୟକ୍ଷଙ୍କୁ ଘେରିଲେ ଆଇନ ଛାତ୍ରଛାତ୍ରୀ

ଅଭିଯୋଗ ହୋଇଛି, ଗତ ଦୁଇ ମାସ ଧରି ହିତାଧିକାରୀଙ୍କ ନିବେଦନ ସତ୍ତ୍ୱେ କାମ ନକରି ଅଗ୍ରୀମ ୧୫,୦୦୦ ଟଙ୍କା ସହ ପରବର୍ତ୍ତୀ ସମୟରେ କମିଶନ୍ ମାଗୁଥିବାରୁ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଚଢ଼ାଉ ବେଳେ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ଆୟବହିର୍ଭୂତ ସମ୍ପତ୍ତି ଠାବ ପାଇଁ ମିଶ୍ରଙ୍କ ୩ଟି ସ୍ଥାନରେ ଚଢଉ ଜାରି ରହିଛି।