Falta Repoll Race: ପଛଘୁଞ୍ଚା ଦେଲେ ମମତା ବାନାର୍ଜୀଙ୍କ ପୁଷ୍ପା ଜାହାଙ୍ଗିର ଖାନ। ନିର୍ବାଚନ ପୂର୍ବରୁ ମୈଦାନ ଛାଡ଼ିବାକୁ ଘୋଷଣା କଲେ ଘୋଷମା। ଫାଲ୍ଟା ବିଧାନସଭା ଆସନ ପାଇଁ ମେ ୨୧ ରେ ହେବାକୁ ଥିବା ପୁନଃ-ମତଦାନ (Re-poll)ର ଠିକ୍ ଦିନକ ପୂର୍ବରୁ ମଙ୍ଗଳବାର ତୃଣମୂଳ କଂଗ୍ରେସ (TMC) ର ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମୈଦାନରୁ ଓହରି ଯାଇଛନ୍ତି। ସୋମବାର କଲିକତା ହାଇକୋର୍ଟଙ୍କ ତରଫରୁ ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପାଇବାର ମାତ୍ର କିଛି ଘଣ୍ଟା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

କାହିଁକି ହେଉଛି ପୁନଃ-ମତଦାନ?

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଫାଲ୍ଟା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସା, ଭୋଟରଙ୍କୁ ଭୟଭୀତ କରିବା ଏବଂ ଇଭିଏମ୍ (EVM) ଟାମ୍ପରିଂ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା। ଏହାପରେ ଭାରତୀୟ ନିର୍ବାଚନ କମିଶନ (ECI) ଏହି ଆସନର ସମସ୍ତ ୨୮୫ଟି ବୁଥ୍ରେ ମେ ୨୧ ତାରିଖରେ ନୂଆ ଭାବେ ପୁନଃ-ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ମେ ୪ ତାରିଖରେ ରାଜ୍ୟର ଅନ୍ୟ ଆସନଗୁଡ଼ିକର ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଫାଲ୍ଟାର ଫଳାଫଳ ସ୍ଥଗିତ ରଖାଯାଇଥିଲା।

ଆଇନଗତ ବିବାଦ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜାହାଙ୍ଗୀର ଖାନଙ୍କ ବିରୋଧରେ ନିର୍ବାଚନ ସମୟରେ ଏକାଧିକ ଅପରାଧିକ ମାମଲା ଏବଂ ଏଫ୍ଆଇଆର୍ (FIR) ରୁଜୁ କରାଯାଇଥିଲା। ପୁନଃ-ମତଦାନ ପୂର୍ବରୁ ନିଜର ଗିରଫଦାରୀକୁ ଏଡ଼ାଇବା ପାଇଁ ସେ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଓକିଲ କୋର୍ଟରେ ଦଲିଲ ରଖିଥିଲେ ଯେ ଖାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଟାର୍ଗେଟ କରାଯାଉଛି। ହାଇକୋର୍ଟ ମାମଲାର ଶୁଣାଣି କରି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଜାହାଙ୍ଗିରଙ୍କ ବିରୁଦ୍ଧରେ କୌଣସି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ବା ଗିରଫ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ହଠାତ୍ ଓହରିବା ପଛର କାରଣ!

ଆଇନଗତ ସୁରକ୍ଷା ମିଳିବା ସତ୍ତ୍ୱେ ଜାହାଙ୍ଗୀର ଖାନ ନିର୍ବାଚନ ଦୌଡ଼ରୁ ଓହରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରାଜ୍ୟରେ ବିଜେପି (BJP) ସରକାର ଗଠନ କରିବା ଏବଂ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଟିଏମସି ଉପରେ ବଢୁଥିବା ରାଜନୈତିକ ଚାପ ଯୋଗୁ ଫାଲ୍ଟାରେ ଟିଏମ୍ସି କର୍ମୀଙ୍କ ମନୋବଳ ଭାଙ୍ଗିଯାଇଛି। ସ୍ଥାନୀୟ ଅଞ୍ଚଳରେ ବିଜେପିର ଦେଖାଦେଇଥିବା ପ୍ରଭାବ ଏବଂ ଜାହାଙ୍ଗିରଙ୍କ ସମର୍ଥକମାନଙ୍କ ବିରୋଧରେ ହେଉଥିବା ପୋଲିସ କାର୍ଯ୍ୟାନୁଷ୍ଠାନ କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏହି ଆସନରେ ଆସନ୍ତା ମେ ୨୪ ତାରିଖରେ ଭୋଟ ଗଣତି ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ତେବେ ମତଦାନର ଠିକ୍ ପୂର୍ବରୁ ଟିଏମସି ପ୍ରାର୍ଥୀଙ୍କ ଏଭଳି ପଛଘୁଞ୍ଚା ବିଜେପି ପାଇଁ ଏହି ଆସନରେ ବିଜୟ ପଥ ଅତି ସହଜ କରିଦେଇଛି।

Also Read- India To London: ଦିନେ କୋଲକାତାରୁ ଲଣ୍ଡନ ଯାଏଁ ଚାଲୁଥିଲା ବସ୍ ; ଜାଣନ୍ତୁ କିପରି ୧୧ଟି ଦେଶରୁ ହେଉଥିଲା ୭୦ ଦିନିଆ ଯାତ୍ରା

ପ୍ରଚାର ପାଇଁ ନାହାନ୍ତି କୌଣସି ଟିଏମସି ନେତା

ଅଭିଷେକ ବାନାର୍ଜୀ ସାଂସଦ ଥିବା ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନମଣ୍ଡଳୀର ଅଂଶ ହେଉଛି ଫାଲଟା ବିଧାନସଭା ଆସନ। ୨୧ ତାରିଖରେ ପୁନଃ ନିର୍ବାଚନ ଥିବା ବେଳେ ପ୍ରଚାର ପାଇଁ କୌଣସି ପ୍ରମୁଖ ତୃଣମୂଳ କଂଗ୍ରେସ ନେତା ଆସୁ ନାହାନ୍ତି କି ନିଜେ ପ୍ରାର୍ଥୀ ଜାହାଙ୍ଗିର ଖାନଙ୍କର ଦେଖା ନାହିଁ। ଏନେଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସମିକ ଭଟ୍ଟାଚାର୍ଯ୍ୟ ଅଭିଷେକ ବାନାର୍ଜୀଙ୍କ ଅନୁପସ୍ଥିତି ନେଇ ବ୍ୟଙ୍ଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଜାହାଙ୍ଗିରଙ୍କୁ କମେଣ୍ଟ କରି ପୁଷ୍ପା କୁଆଡ଼େ ଗଲେ ବୋଲି କଟାକ୍ଷା କରିଥିଲେ।

ନିର୍ବାଚନ ପୂର୍ବରୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ଜାହାଙ୍ଗୀର ଖାନ ଏକ ଚ୍ୟାଲେଞ୍ଜ ଦେଇଥିଲେ। ଏନକାଉଣ୍ଟର ବିଶେଷଜ୍ଞ ଭାବରେ ଜଣାଶୁଣା ଶ୍ରୀ ଶର୍ମାଙ୍କୁ "ସିଙ୍ଘମ ବୋଲି କୁହାଯାଉଥିଲା। ସେ ନିର୍ବାଚନ ପୂର୍ବରୁ ଶର୍ମା ଜାହାଙ୍ଗିର ଖାନଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ନିର୍ବାଚନ ଦିନ ଭୋଟରମାନଙ୍କୁ ଭୟଭୀତ କରିବା ବିରୁଦ୍ଧରେ ଚେତାବନୀ ଦେବା ପରେ ଜାହାଙ୍ଗିର ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ "ଯଦି ସେ ସିଂଘମ, ତେବେ ମୁଁ ପୁଷ୍ପା।" ଯାହାକୁ ନେଇ ବର୍ତ୍ତମାନ ବିଜେପି ଜାହାଙ୍ଗିରକୁ କଟାକ୍ଷ କରୁଛି।