LIVE TV

ସାବଧାନ… ବୁଲୁଛି ମହାବଳ ବାଘ

NEWS7
tiger

ଦେବଗଡ଼ ୩୦।୦୯ : ସାବଧାନ । ବୁଲୁଛି ମହାବଳ ବାଘ। ଦେବଗଡ଼ ଜଙ୍ଗଲ ଡିଭିଜନ ରିଆମାଳ ରେଞ୍ଜ ବାବାଜୀମଠ ଅଞ୍ଚଳରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି।ବାଘର ପାଦ ଚିହ୍ନ ମିଳିବା ପରେ ବନବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି।

ଦେବଗଡ଼ ରିଆମାଳ ରେଞ୍ଜରେ ଏକ ମହାବଳ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ବାବାଜୀମଠ ଗାଁରୁ ବାଘର ପାଦଚିହ୍ନ ଠାବ ହେବା ପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ଯାହାପରେ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପାଦ ଚିହ୍ନ ଯାଞ୍ଚ କରୁଛନ୍ତି । ଏପିରିକି ସଂପୃକ୍ତ ଅଞ୍ଚଳରେ ବାଘ ରହିଥିବା ସ୍ପଷ୍ଟ ହେବା ପରେ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ଅନୁରୋଧ କରାଯାଇଛି । ଏହାସହିତ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ଭାବେ ଘରେ ବାନ୍ଧି ରଖିବାକୁ କୁହାଯାଇଛି ।

ସେପଟେ ବାଘ ଉପରେ ନଜର ରଖିବାକୁ ଦେବଗଡ଼ ବନଖଣ୍ଡର ବିଭିନ୍ନ ସ୍ଥାନରେ ୧୪୦ଟି ଟ୍ରାପ କ୍ୟାମେରା ଓ ୭୦ ଗୋଟି ପଗ ଇମ୍ପ୍ରେସନ ପ୍ୟାଡ୍‌ ( ପିଆଇପି) ସଂଯୋଗ କରାଯାଇଛି । ବାଘଟି ଛତିଶଗଡ଼ରୁ ଆସିଥିବା ବେଳେ ଉତ୍ତର ଦିଗରୁ ଦକ୍ଷିଣ ଦିଗ ଆଡକୁ ଯାଉଥିବା ସୂଚନା ମିଳିଛି । ପୂର୍ବରୁ ବାଘଟି ବାରକୋଟ ରେଞ୍ଜ କଣ୍ଟାପାଲି ଓ ଦେବଗଡ଼ ରେଞ୍ଜ ଲଇମୁରା ବିଟ୍‌ ଅଞ୍ଚଳରେ ରହିଥିବାର ସୂଚନା ମିଳିଥିଲା । ଜଙ୍ଗଲ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସତର୍କ ଦୃଷ୍ଟି ରଖାଯାଇଛି ।