ବ୍ରହ୍ମପୁର ୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୮ ଅଭିଯୁକ୍ତଙ୍କର ହୋଇଛି ଟିଆଇ ପରେଡ୍ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତ ମାନଙ୍କର ହୋଇଛି ଟିଆଇ ପରେଡ୍ । ଅଭିଯୁକ୍ତଙ୍କର ଟିଆଇ ପରେଡ୍ ସରିବା ପରେ ମାଜିଷ୍ଟ୍ରେଟ୍, ପୋଲିସ ଓ ସାକ୍ଷୀ ଜେଲର ବାହାରିଛନ୍ତି । ପୀତବାସ ପଣ୍ଡା ହତ୍ୟା ମାମଲାରେ ମୋଟ୍ ୧୬ ଅଭିଯୁକ୍ତ ଗିରଫ ହୋଇ ଜେ ଅଛନ୍ତି ।

ସାର୍ପସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ, ବିହାରର ଶିଶୁପାଳ ପାସୱାନ ଓ କୁନ୍ଦନ କୁମାର, ଷଡଯନ୍ତ୍ରକାରୀଙ୍କ ମୁଖ୍ୟ ସହଯୋଗୀ ଉମା ବିଷୋୟୀ, ଯୋଗୀ ରାଉତ, ସୀମାଞ୍ଚଳ ନାୟକ ଏବଂ ବିପିନ ସ୍ବାଇଁଙ୍କର ଟିଆଇ ପରେଡ୍ କରିବାକୁ ଅନୁମତି ଦେବାକୁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏସଡିଜେଏମ କୋର୍ଟକୁ ଅନୁମତି ମାଗିଥିଲେ । କୋର୍ଟ ପକ୍ଷରୁ ଅନୁମତି ମିଳିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କର ଟିଆଇ ପରେଡ୍ ହୋଇଛି ।

ସୂଚନାଯୋଗ୍ୟ ଯେ, କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଏକ ବାଇକ୍ରେ ବୈକୁଣ୍ଠନଗର ଅଞ୍ଚଳକୁ ଯାଇ ତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବୈଦ୍ୟନାଥପୁର ଥାନା ପୋଲିସ ମୋଟ୍ ୧୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ୧୬ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ ମଧ୍ୟ ରହିଛନ୍ତି ।