ହାଇଦ୍ରାବାଦ: ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଆରଜିଆଇଏ)କୁ ସୋମବାର ଏକ ଅଜ୍ଞାତ ଇ-ମେଲରେ ବୋମା ଧମକ ମିଳିଛି। ଏଥିରେ ବିମାନବନ୍ଦରକୁ ବୋମା ବିସ୍ପୋରଣରେ ଉଡାଇ ଦିଆଯିବ ବୋଲି ଧମକ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସୂଚନା ମିଳିବାମାତ୍ରେ ସୁରକ୍ଷାବଳ ପୁରା ପରିସରରେ ହାଇ ଆଲର୍ଟ ଜାରି କରିଥିଲେ। ଫଳରେ କିଛି ସମୟ ପାଇଁ ବିମାନ ବନ୍ଦର ପରିସରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା।

ତେବେ ଦୀର୍ଘ ସମୟର ଘଣ୍ଟାଚକଟା ଓ ତନ୍ନତନ୍ନ ଯାଞ୍ଚ ପରେ ଏହା ଏକ ହୋକ୍ସ ଇ-ମେଲ ବୋଲି ଜଣାପଡିଛି। ଏହା ପରେ ପୋଲିସକୁ ଆଶ୍ୱସ୍ତି ମିଳିଛି। ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମ୍ପୂର୍ଣ୍ଣ ବିମାନ ବନ୍ଦରର ଯାଞ୍ଚ କରାଯାଇଛି, ହେଲେ କେଉଁଠୁ କିଛି ବି ମିଳିନି। ଏହି ଇ-ମେଲ ଏକ ହୋକ୍ସ ମେଲ ଥିଲା ବୋଲି ଅଧିକାରୀ କହିଛନ୍ତି। ଏବେ ପୋଲିସ ଏହି ମେଲ କେଉଁଠୁ ଆସିଥିଲା ଓ କିଏ ପଠାଇଥିଲା ତାର ଯାଞ୍ଚ କରୁଛି। ସାଇବର ସେଲ ସହାୟତାରେ ଇ-ମେଲର ଆଇପି ଆଡ୍ରେସ୍ ଟ୍ରେସ୍ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଆରଜିଆଇଏ ପ୍ରଶାସନକୁ ମିଳିଥିବା ଇ-ମେଲରେ ବିମାନବନ୍ଦର ପରିସରରେ ବୋମା ରଖି ଦିଆଯାଇଥିବାର ଉଲ୍ଲେଖ ରହିଛି। ଏହି ବୋମା ଖୁବ୍ ଶୀଘ୍ର ବିସ୍ଫୋରଣ ହେବ ବୋଲି ଏଥିରେ ଧମକ ଦିଆଯାଇଥିଲା। ଏହି ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ଅଧିକାରୀ ଅବିଳମ୍ବେ ସୁରକ୍ଷା ଏଜେନ୍ସୀ ଓ ପୋଲିସକୁ ସୂଚିତ କରିଥିଲେ। ପୋଲିସ ଓ ସୁରକ୍ଷା ବଳ ସୂଚନାମାତ୍ରେ ପୁରା ପରିସରକୁ ଘେରାଉ କରି ବୋମା ନିରୋଧକ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ସହାୟତାରେ ବିମାନ ବନ୍ଦରର ଗହନ ଯାଞ୍ଚ କରାଯାଇଥିଲା।