ନୂଆଦିଲ୍ଲୀ, ୨୬/୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟରେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଦଳ ପ୍ରଥମ ମ୍ୟାଚ୍ ହାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ମଧ୍ୟ ହାରିବା ନେଇ ଆଶଙ୍କା କରାଯାଉଛି । ଯାହାକୁ ନେଇ ସବୁ ଦିଗରୁ ଦଳକୁ ସମାଲୋଚନା କରାଯାଉଛି । ଦଳର ଦଶା ପାଇଁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଅନେକ ଦାୟୀ କରୁଛନ୍ତି । ତେବେ ଏହି ଦୁର୍ଦ୍ଦଶାକୁ ନେଇ ମୁହଁ ଖୋଲିଛନ୍ତି ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ।

ଦ୍ୱିତୀୟ ଟେଷ୍ଟରେ ଦଳ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିବା ପରେ ବିକାଶ କହିଛନ୍ତି ଯେ, ଦଳର ଆଭିମୁଖ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ଦିନେ ଭଲ ଫଳାଫଳ ଦେଉଥିବା ଦଳକୁ ବରବାଦ କରିଦେଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଥ୍ରେଡରେ ସେ ଏହା ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ ।

ବିକାଶ ଲେଖିଥିଲେ ଯେ, ଭାରତ ଗୋଟିଏ ସମୟରେ ଘରୋଇ ସହ ବିଦେଶ ମାଟିରେ ଟେଷ୍ଟ୍ ସିରିଜରେ ବିଜୟ ହେଉଥିଲା । ଏବେ କିନ୍ତୁ ଆମେ ଦଳର ଅସ୍ତିତ୍ୱ ବଞ୍ଚାଇବାକୁ ସଙ୍ଘର୍ଷ କରୁଛେ । ନିଜ ଘରୋଇ ମାଟିରେ ମଧ୍ୟ ଦଳର ଶୋଚନୀୟ ପରାଜୟ ହେଉଛି । ଅଧିକ ପରିବର୍ତ୍ତନ ଏହାର କାରଣ । ଅନାବଶ୍ୟକ ପରିବର୍ତ୍ତନ ଦଳ ପାଇଁ ଘାତକ ସାବ୍ୟସ୍ତ ହେଉଛି । ଅତ୍ୟଧିକ ବସିଜିମ୍ ବା କୋଚଙ୍କ ଦବଦବା ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି ସେ କହିଛନ୍ତି । ତେବେ ତାଙ୍କର ଏହି ପୋଷ୍ଟ ଗମ୍ଭୀରଙ୍କୁ ଟାର୍ଗେଟ୍ କରି ଲେଖାଯାଇଥିବା ସୋସିଆଲ ମିଡିଆ ୟୁଜର ମତ ଦେଉଛନ୍ତି ।

ସୂଚନାଯୋଗ୍ୟ, ଭାରତ ଏବେ କିଛି ଦିନ ହେଲା ଦିନିକିଆ ଏବଂ ଟେଷ୍ଟରେ ଖରାପ ପ୍ରଦର୍ଶନ କରୁଛି । ଗମ୍ଭୀରଙ୍କ ନେତୃତ୍ୱରେ ଦଳ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ଏବେ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ୍ ସିରିଜ୍ ହାତଛଡା ହେବାକୁ ଯାଉଛି ।