LIVE TV

ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଆସିଲା ତେଜସ୍ୱୀଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କହିଲେ କ’ଣ?

NEWS7
Tejaswai Yadav

ପାଟନା ୬।୧୦: ବିହାର ବିଧାନସଭା ନିର୍ବାଚନ ନିମନ୍ତେ ଆଗାମୀ ୬ ନଭେମ୍ବର ଓ ୧୧ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ତଥା ଭୋଟ ଗଣତି ୧୪ ନଭେମ୍ବରରେ ହେବ। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ସୋମବାର ଏହି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୨୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ ଆସନ ନିମନ୍ତେ ଭୋଟଗ୍ରହଣ ହେବ। ଏଥି ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଜନତାଙ୍କ ନାମରେ ଏକ ପତ୍ର ଜାରି କରିଛନ୍ତି।

ସେ ଲେଖିଛନ୍ତି ଯେ ମୋର ପ୍ରିୟ ବିହାରବାସୀ ୧  ୪  ନଭେମ୍ବର ୨୦୨୫ ଏହି ତାରିଖକୁ ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ। ଭବିଷ୍ୟତରେ ଯେବେବି ଇତିହାସ ପୃଷ୍ଠା ଓଲଟା ଯିବ ଏହି ତାରିଖ ବିହାରର ସ୍ୱର୍ଣ୍ଣିମ ଭବିଷ୍ୟ, ପରିବର୍ତ୍ତନ ଓ ବିକାଶର ପ୍ରାରମ୍ଭ ଭାବେ ସର୍ବଦା ସ୍ୱର୍ଣ୍ଣ ଅକ୍ଷରରେ ଦେଖାଯିବ। ପରିବର୍ତ୍ତନର ବିଗୁଲ ବାଜି ସାରିଛି, ଜନତାଙ୍କ ବିଜୟର ଶଙ୍ଖନାଦ ହୋଇ ସାରିଲାଣି। ଏବେ କେବଳ ପୂର୍ଣ୍ଣମନଯୋଗରେ ସମସ୍ତ ଶକ୍ତି ସଞ୍ଚୟ କରି ପ୍ରତ୍ୟେକ ବିହାରବାସୀକୁ ଏକଜୁଟ ହେବାକୁ ପଡିବ।

ତେଜସ୍ୱୀ ଲେଖିଛନ୍ତି ଯେ ପରିବର୍ତ୍ତନ ପାଇଁ ଆତୁର ବିହାର ଏବେ ୨୦ ବର୍ଷ ପରେ ପରିବର୍ତ୍ତନ ପାଇଁ ଭୋଟ କରିବ। ଦେଶରେ ସବୁଠୁ ଅଧିକ ଯୁବ ଜନସଂଖ୍ୟାର ରାଜ୍ୟ ଭାବେ ବିହାରର ଯୁବକ ବେକାରୀ ସମାପ୍ତ କରିବାକୁ ଭୋଟ କରିବେ। ବିହାରରେ ଏପରି ଗୋଟେ ବି ଘର ରହିବନି ଯାହାର ଯୁବକ ପୁଅ ବେକାର ଥିବ। ତେଜସ୍ୱୀ ସମସ୍ତଙ୍କୁ ସରକାରୀ ଚାକିରୀ ଦେବ। ଯେଉଁ କାମ ଏନଡିଏ ୧୭ ବର୍ଷରେ କରିପାରି ନଥିଲା ତାହା ଆମେ ୧୭ ମାସରେ କରି ଦେଖାଇଥିଲୁ। ୨୦ ବର୍ଷରେ ଏହି ସରକାର ଯାହା କରିପାରି ନାହିଁ ଏବେ ୨୦ ମାସରେ ଆମେ କରିଦେଖାଇବୁ।

ପୂର୍ବ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦ ବର୍ଷ ପରେ ଏହି ସୁଯୋଗ ପୁଣି ଥରେ ମିଳିଛି। ବିହାରେ ଏବେ ଏହାକୁ ହାତରୁ ଯିବାକୁ ଦେବ ନାହିଁ। ପ୍ରତ୍ୟେକ ଭୋଟର ପରିବର୍ତ୍ତନ ପାଇଁ ଆତୁର ଓ ସମସ୍ତେ ରାଜ୍ୟରେ ମହାମେଣ୍ଟ ସରକାର ଚାହୁଁଛନ୍ତି। ଏବେ ସମସ୍ତେ ସୁପରଫାଷ୍ଟ ବିକାଶର କ୍ଷମତା ରଖୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି। ବିହାରବାସୀ ଏମିତି ସିଏମ ଚାହୁଁଛନ୍ତି ଯିଏ ଅଚେତ, ଅସୁସ୍ଥ ଅବସ୍ଥାରେ ଥାଇ ଅନେକ ମାନସିକ ରୋଗରେ ପୀଡ଼ିତ ନଥାନ୍ତୁ।

ଆରଜେଡି ନେତା ଲେଖିଛନ୍ତି ମୁଁ ସମସ୍ତ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇ ଆପଣଙ୍କୁ ବିଶ୍ୱାସ ଦେଉଛି ଆପଣଙ୍କ ଓ ଆମର ସରକାର ଗଠନ ସହିତ ପ୍ରଥମ ଦିନରୁ ବିହାର ନୂଆ ଗୌରବର ଗାଥା ଲେଖିବା ଆରମ୍ଭ କରିବ। ଆଜି କେବଳ ନିର୍ବାଚନର ତାରିଖ ଘୋଷଣା ହୋଇନି ବରଂ ବିହାରରେ ଉତ୍ସବ ଆରମ୍ଭ ହୋଇଛି, ଏହି ଉତ୍ସବ ଅଟକିବା ଉଚିତ ନୁହେଁ ଦିବାଲୀ ଓ ଛଟପୂଜା ପରେ ସମାପ୍ତ ହେବ ବିହାରର ୨୦ ବର୍ଷର ଅପେକ୍ଷା। ୨୦ ବର୍ଷ ପରେ ଏପରି ମହୋତ୍ସବ ହେବ ଯାହା ବିହାରର ସମସ୍ତ ଦୁଃଖ ଓ ଯନ୍ତ୍ରଣାକୁ ହରଣ କରିବ। ସେହିଦିନ ପ୍ରତ୍ୟେକ ବିହାରବାସୀ ତେଜସ୍ୱୀ ସହିତ ବିଜୟକୁ ବରଣ କରିବ। କାରଣ ସେଦିନ ବିହାରବାସୀ ହେବେ ବିହାରର ସିଏମ ଅର୍ଥାତ ଚେଞ୍ଜ ମେକ୍।