ଡୋଡୋମା ୧।୧୧: ତାଞ୍ଜାନିୟା ରାଷ୍ଟ୍ରପତି ସାମିୟା ସୁଲୁହୁ ହସନ ଦେଶର ବିବାଦୀୟ ନିର୍ବାଚନକୁ ୯୭%ରୁ ଅଧିକ ଭୋଟରେ ଜିତି ଯାଇଛନ୍ତି। ଶନିବାର ସକାଳେ ଘୋଷିତ ଅଧିକାରୀକ ନିର୍ବାଚନ ଫଳାଫଳରେ ଏହା ଏହି କ୍ଷେତ୍ରର ସବୁଠୁ ବିରଳ ବଡ଼ ବିଜୟ ବୋଲି କୁହାଯାଉଛି। ଏହି ନିର୍ବାଚନ ଫଳାଫଳ ସମାଲୋଚକ, ବିରୋଧୀ ସମୂହ ଓ ନାଗରିକଙ୍କ ଚିନ୍ତାକୁ ବଢାଇ ପାରେ। ଏହି ନିର୍ବାଚନକୁ ବିରୋଧୀ ଦଳମାନେ ଏକ ପ୍ରକାର ରାଜ୍ୟାଭିଷେକ ବୋଲି କହୁଛନ୍ତି। କାରଣ ନିର୍ବାଚନରେ ହସନଙ୍କ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିର୍ବାଚନ ଲଢିବାରୁ ନିବୃତ୍ତ କରାଯାଇଥିଲା।

ହସନଙ୍କୁ ଛୋଟଛୋଟ ପାର୍ଟି ଓ ୧୬ ଜଣ ପ୍ରାର୍ଥୀଙ୍କୁ ସାମ୍ନା କରିବାକୁ ପଡିଲା। ଏଣୁ ଅକ୍ଟୋବର ୨୯ ତାରିଖ ଦିନ ତାଞ୍ଜାନିୟାରେ ନିର୍ବାଚନକୁ ବିରୋଧ କରି ବଡ ଧରଣର ବିକ୍ଷୋଭ ହୋଇଥିଲା। ପ୍ରଦର୍ଶନକାରୀ ଭୋଟଗଣନା ରୋକିବାକୁ ସଡ଼କ ଉପରକୁ ଓହ୍ଲାଇ ଆସିଥିଲେ। ଏଣୁ ନିର୍ବାଚନକୁ ନେଇ ଉପୁଜିଥିବା ଦଙ୍ଗାକୁ ଶାନ୍ତ କରିବାରେ ପୋଲିସର ସହାୟତା ପାଇଁ ସେନାକୁ ମୋର୍ଚ୍ଚା ସମ୍ଭାଳିବାକୁ ପଡିଥିଲା। ପୁର୍ବ ଆଫ୍ରିକୀୟ ଦେଶରେ ଇଣ୍ଟରନେଟ୍ ବାରମ୍ବାର ବନ୍ଦ ହେଉଛି। ଏଣୁ ଦେଶରେ ଯାତ୍ରା ଓ ଅନ୍ୟ ଗତିବିଦ୍ଧି ବାଧିତ ହେଉଛି।

ନିର୍ବାଚନ ପରେ ବିଶ୍ନବିଦ୍ୟାଳୟ ନଭେମ୍ବର ୩ରୁ ଖୋଲିବାର ଥିଲା। ତେବେ ଦେଶରେ ଉତ୍ତେଜନା ଜାରି ରହିଥିବାରୁ ଏହାକୁ ଟାଳି ଦିଆଯାଇଛି। ଦେଶରେ ବିଶ୍ୱବିଦ୍ୟାଳୟ ଗୁଡିକ ଏବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ  ରହି ପାରନ୍ତି । ଶନିବାର ଦେଶର ବାଣିଜ୍ୟିକ ରାଜଧାନୀ ଦାର-ଏସ-ସଲାମର ସଡ଼କ ଯଦିଓ ଶାନ୍ତିପୂର୍ଣ୍ଣ ଥିଲା ତେବେ ଭିତରେ ଭିତରେ ଜନଅସନ୍ତୋଷ ଏବେ କୁହୁଳୁଥିବା ସ୍ପଷ୍ଟ ଅନୁମାନ କରି ହେଉଛି।

ନିର୍ବାଚନରେ ଭୀଷଣ ହିଂସା ହୋଇଥିଲା। ତେବେ ଏଥିରେ କେତେ ଲୋକ ମୃତାହତ ହୋଇଛନ୍ତି ସେ ନେଇ ତାଞ୍ଜାନିୟା ଅଧିକାରୀମାନେ କୌଣସି ସୂଚନା ଦେଉ ନାହାନ୍ତି। ଜାତିସଂଘ ମହାସଚିବ ଏଣ୍ଟୋନିୟୋ ଗୁଟାରେସ୍ ଶୁକ୍ରବାର ତାଞ୍ଜାନିୟାର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ ଆଗକୁ ଯେପରି ଉତ୍ତେଜନା ନ ବଢେ ଏଥି ପାଇଁ ସେ ସବୁ ପକ୍ଷଙ୍କୁ ନିବେଦନ କରିଛନ୍ତି। ବିରୋଧୀ ସମୂହ ଚାଡେମା ନେତା ଟୁଣ୍ଡୁ ଲିସୁଙ୍କୁ ଦୀର୍ଘ ମାସ ହେଲା ଜେଲରେ ବନ୍ଦୀ ରଖାଯାଇଛି। ତାଙ୍କ ବିରୋଧରେ ଦେଶ ଦ୍ରୋହର ଅଭିଯୋଗ ଅଣାଯାଇଛି। କାରଣ ସେ ନିର୍ବାଚନ ସଂସ୍କାର ଦାବି କରୁଥିଲେ।

ସେହିପରି ଅନ୍ୟତମ ବିରୋଧୀ ନେତା ଲୁହାଗା ମ୍ପିନାଙ୍କୁ ନିର୍ବାଚନ ଲଢିବାକୁ ରୋକି ଦିଆଯାଇଥିଲା। ନିର୍ବାଚନରେ ଚାମାଚା ମାମ୍ପିନ୍ଦୁଜୀ (ସିସିଏମ) ପାର୍ଟିର ବିଜୟ ବାଜିରେ ଲାଗିଥିଲା। ଏହି ପାର୍ଟି ଦୀର୍ଘ ଦଶନ୍ଧୀରୁ ଦେଶର ଶାସନକୁ ଜାବୁଡି ରଖିଛି। ଦେଶରେ ବିରୋଧୀ ଦଳଙ୍କ ଅଭ୍ୟୁଦୟୋ ସତ୍ତ୍ୱେ ଏହି କ୍ଷେତ୍ରରେ ଏପରି ବଡ ବିଜୟ ପୂର୍ବରୁ ଦେଖା ଯାଇ ନାହିଁ। ତେବେ କେବଳ ରୁଆଣ୍ଡାର ଏକଛତ୍ରବାଦୀ ନେତା ରାଷ୍ଟ୍ରପତି ପଲ କାଗମେ ହିଁ ନିୟମିତ ଭାବେ ଭୀଷଣ ବହୁମତରେ ଜିତି ଆସୁଛନ୍ତି।