LIVE TV

ଭାରତ ଆସୁଛନ୍ତି ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକୀ: ମାନ୍ୟତା ଦେବ କି ଇଣ୍ଡିଆ ?

NEWS7
taliban minister to visit india

ନୂଆଦିଲ୍ଲୀ: ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି। ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ କୌଣସି ସରକାରୀ ପ୍ରତିନିଧି ଦଳ ଭାରତ ଆସିବେ। ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି।

ଯଦି ମୁତାକିଙ୍କ ଗସ୍ତ ଠିକ୍ ରହିଲା ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସ୍ଥିତି ସୃଷ୍ଟି କରିବ। ଭାରତ ଏପର୍ଯ୍ୟନ୍ତ ତାଲିବାନ ଶାସନ ସହିତ ସୀମିତ ସମ୍ପର୍କ ରଖିଆସିଛି। ମୁଖ୍ୟତଃ ମାନବିକ ସହାୟତା ଏବଂ ଦୁଇ ଦେଶର ଲୋକ ସମ୍ପର୍କ ଉପରେ ଧ୍ୟାନ ଦେଇଛି। ତତ୍‌ ସହିତ ଆତଙ୍କବାଦ ଏବଂ ଆଫଗାନିସ୍ତାନରେ ମହିଳା ଏବଂ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ନିଜର ଚିନ୍ତାକୁ ମଧ୍ୟ ଜାହିର କରିଛି।

ମୁତାକିଙ୍କ ଉପରେ ଜାତିସଂଘ ସୁରକ୍ଷା ପରିଷଦର କଟକଣା ରହିଛି। ଯେଉଁଥିରେ ଯାତ୍ରା ପ୍ରତିବନ୍ଧକ ମଧ୍ୟ ରହିଛି। ତେଣୁ ସେ ବିଦେଶ ଯାତ୍ରା କରିପାରୁ ନାହାନ୍ତି। ହେଲେ ବିଦେଶ ଯାତ୍ରା କରିବା ପାଇଁ ବିଶେଷ ଛାଡ଼ ଆବଶ୍ୟକ। ଅତୀତରେ, ଏପରି କଟକଣା ତାଙ୍କ କୂଟନୈତିକ ଯୋଗାଯୋଗକୁ ପ୍ରଭାବିତ କରି ସାରିଛି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ମାସରେ, ଆମେରିକା ଦ୍ୱାରା ଜାତିସଂଘର କଟକଣା କମିଟିରେ ଛାଡ଼କୁ ଅବରୋଧ କରାଯିବା ପରେ ତାଙ୍କର ପ୍ରସ୍ତାବିତ ପାକିସ୍ତାନ ଗସ୍ତ ବାତିଲ ହୋଇଯାଇଥିଲା ବୋଲି ଜଣାପଡ଼ିଛି।

୨୦୨୧ରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ଏହାର ରାଜନୈକିର ପୃଷ୍ଠଭୂମିରେ ପରିବର୍ତ୍ତନ ହୋଇଛି। କ୍ଷମତା ଦଖଲ କରିବାର ୪ ବର୍ଷ ପରେ ବି ଆଫଗାନିସ୍ତାନ ସରକାର ଭାବେ ବିଶ୍ୱର ମାନ୍ୟତା ପାଇ ନାହିଁ। ଏମିତିକ ଭାରତ ମଧ୍ୟ ଆଫଗାନିସ୍ତାନ ସରକାରକୁ ବିଶ୍ୱ ମଞ୍ଚରେ ସ୍ୱୀକାର କରି ନାହିଁ। ତେବେ ଋଷ ଚଳିତ ବର୍ଷ ଜୁଲାଇ ମାସରେ ତାଲିବାନକୁ ଆତଙ୍କବାଦୀ ଲିଷ୍ଟରୁ ହଟାଇ ଦେବା ସହିତ ସରକାରକୁ ମନ୍ୟତା ଦେଇଥିଲା ଋଷ। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବା କାମ ଆରମ୍ଭ ହୋଇଛି। ଆଉ ଏବେ ଭାରତ ମଧ୍ୟ ସମାନ ପଥ ଅନୁସରଣ କରୁଛି।

ଏପଟେ ଆଫଗାନିସ୍ତାନ ସ୍କୁଲ, ହସପିଟାଲ ଓ ସାମରିକ ବ୍ୟବସ୍ଥା ଉପରେ ଭାରତ ବହୁ ପରିମାଣରେ ନିବେଶ କରିଛି। ତେଣୁ ସେ ଦୃଷ୍ଟିରୁ ତାଲିବାନ ସହ ସୁସମ୍ପର୍କ ଭାରତ ପାଇଁ ଜରୁରି। ତେଣୁ ଏମିତି ସ୍ଥିତିରେ ମୁତାକୀଙ୍କ ଭାରତ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।