LIVE TV

କେନ୍ଦ୍ରମନ୍ତ୍ରୀ ହେବା ପରେ ଆୟ ଠପ, ପୁଣି ଅଭିନୟ କରିବାକୁ ଚାହୁଁଛି କହିଲେ ସୁରେଶ ଗୋପୀ

NEWS7
Suresh Gopi

କନ୍ନୁର ୧୨।୧୦: କେନ୍ଦ୍ରମନ୍ତ୍ରୀ ତଥା ଅଭିନେତା ସୁରେଶ ଗୋପୀ ପୁଣି ଅଭିନୟ ଜଗତକୁ ଫେରିବାକୁ ଆଶାବ୍ୟକ୍ତ କରିଛନ୍ତି। କନ୍ନୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଥ୍ରୀସୁର ସାଂସଦ କହିଛନ୍ତି ଯେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ହେବା ପରେ ତାଙ୍କ ଆୟକ ସ୍ରୋତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗୋପୀ କହିଛନ୍ତି ଏଣୁ ମୁଁ ପୁଣି ଥରେ ଅଭିନୟ ଜାରି ରଖିବାକୁ ଚାହୁଁଛି। କାରଣ ମୋର ଖର୍ଚ୍ଚ ତୁଲେଇବାକୁ ମୋତେ ଆହୁରି ଅଧିକ ଆୟ କରିବାକୁ ହେବ।

ସୁରେଶ ଗୋପୀ ଯିଏ ୨୦୦୮ ମସିହାରେ ବିଜେପିରେ ଯୋଗ ଦେଇଥିଲେ କହିଛନ୍ତି ଯେ ସେ କେବେ ମନ୍ତ୍ରୀ ହେବାକୁ ଚାହୁଁନଥିଲେ। ସେ କହିଛନ୍ତି ଯେ ନିର୍ବାଚନର ଦିନକ ପୂର୍ବରୁ କହିଥିଲି ଯେ ମୁଁ ମନ୍ତ୍ରୀ ହେବାକୁ ଚାହେନା, ମୁଁ ସିନେମାରେ ରହିବାକୁ ଚାହୁଁଛି। ସେ କ୍ୟାବିନେଟ ଅଦଳବଦଳର ସମ୍ଭାବନା ଥିବାରୁ ତାଙ୍କ ସ୍ଥାନ ରାଜ୍ୟସଭା ସାଂସଦ ସି.ସଦାନନ୍ଦ ମାଷ୍ଟର ନେଇ ପାରନ୍ତି ବୋଲି କହିଛନ୍ତି। ଗୋପୀ କହିଛନ୍ତି ଯେ ପାର୍ଟି ତାଙ୍କୁ ମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। କାରଣ ଥ୍ରୀସୁରରୁ ସେ ସିଧାଶଳଖ ନିର୍ବାଚିତ ହୋଇଥିବା ପ୍ରଥମ ସାଂସଦ।

ସେହିପରି ଗୋପୀ ଥ୍ରୀସୁରରେ ‘ପ୍ରଜା’ ଶବ୍ଦ କୁ ନେଇ ଉପୁଜିଥିବା ବିବାଦର ମଧ୍ୟ ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ଶବ୍ଦ ବଦଳୁଥାଏ, କେଉଁଠି କେଉଁ ଶବ୍ଦ କେତେବେଳେ ଭଲ ଲାଗେ ତ ଆଉ କେଉଁଠି ଭଲ ଲାଗେନି। ପ୍ରଥମେ ସଫେଇ କର୍ମଚାରୀଙ୍କୁ ମାନୁଆଲ ସ୍କେଭେଞ୍ଜର କୁହାଯାଉଥିଲା। ଏବେ ସେମାନଙ୍କୁ ନୂଆ ଶବ୍ଦରେ ସାନିଟେସନ ଇଞ୍ଜିନିୟର କୁହାଯାଉଛି। ଏଣୁ ପ୍ରଜା ଶବ୍ଦରେ ଭୁଲ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।