ନୂଆଦିଲ୍ଲୀ,୨୬/୦୪ : ବିଶ୍ୱରେ ପ୍ରତି ୨୪ ଘଣ୍ଟାରେ ୮୯ ନୂଆ ବ୍ୟକ୍ତି ‘ସୁପର୍ ରିଚ୍’ ବା ଅତିଧନୀ କ୍ଲବ୍ରେ ସାମିଲ ହେଉଛନ୍ତି । ଏମାନେ ହେଲେ ଉକ୍ତ ବ୍ୟକ୍ତି, ଯେଉଁମାନଙ୍କ ସମ୍ପତ୍ତି ୩ କୋଟି ଡଲାର(ପାଖାପାଖି ୨୮୨ କୋଟି ଟଙ୍କା) ରୁ ଅଧିକ । ଗତ ୫ ବର୍ଷରେ ଏଭଳି ସୁପର୍ରିଚ୍ ବା ଅତିଧନୀଙ୍କ ସଂଖ୍ୟା ୧୬୨,୧୯୧ ବୃଦ୍ଧି ପାଇଛି । ନାଇଟ୍ଫ୍ରାଙ୍କ୍ର ୱେଲ୍ଥ ରିପୋର୍ଟ-୨୦୨୬ ଅନୁସାରେ, ଏହା ୨୦୨୧ରେ ୫,୫୧,୪୩୫ ଥିଲା, ଯାହା ୨୦୨୬ ସୁଦ୍ଧା ବଢ଼ି ୭,୧୩,୬୨୬ ହୋଇଯାଇଛି । ଭାରତରେ ବି ଏ ଛବି ଉତ୍ସାହଜନକ ରହିଛି । ଦେଶରେ ଏଭଳି ଅତିଧନୀଙ୍କ ସଂଖ୍ୟା ୨୦୨୧ରେ ପ୍ରାୟ ୧୨,୦୦୦ରୁ ବଢ଼ି ୨୦୨୬ରେ ୧୯,୮୭୭ ହୋଇଯାଇଛି, ଯାହା ୬୩% ଅଭିବୃଦ୍ଧି । ୨୦୩୧ ସୁଦ୍ଧା ଏ ସଂଖ୍ୟା ୨୭% ବଢ଼ି ୨୫,୨୧୭ ପର୍ଯ୍ୟନ୍ତ ପହଞ୍ଚିବାର ଅନୁମାନ ରହିଛି ।

ଅତିଧନୀ ଜନସଂଖ୍ୟାରେ ଭାରତର ସ୍ଥାନ ସମଗ୍ର ବିଶ୍ୱରେ ଷଷ୍ଠ ରହିଛି । ଭାରତୀୟ ସହରଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଅତିଧନୀ ମୁମ୍ବାଇରେ ଅଛନ୍ତି । ଏହାପଛକୁ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଚେନ୍ନାଇ ଆଦି ସହର ରହିଛି । ୨୦୭ ଅରବପତିଙ୍କ ସହ ଭାରତ ବର୍ତ୍ତମାନ ସମଗ୍ର ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଅନୁମାନ ରହିଛି ଯେ, ୨୦୩୧ ସୁଦ୍ଧା ଦେଶରେ ଅରବପତିଙ୍କ ସଂଖ୍ୟା ୫୧% ବଢ଼ି ୩୧୩ ହୋଇଯିବ । ତେବେ ବିଶ୍ୱ ଅତିଧନୀଙ୍କ ସଂଖ୍ୟାରେ ଭାରତର ଅଂଶ ଏବେ ମାତ୍ର ୨.୮% ରହିଛି । କିନ୍ତୁ ଏହାର ଗତି ଲଗାତର ଭାବେ ବଢୁଛି ।

ରିପୋର୍ଟ ମୁତାବକ, ଆଗାମୀ ୫ ବର୍ଷରେ ଇଣ୍ଡୋନେସିଆରେ ଧନୀଙ୍କ ସଂଖ୍ୟା ସବୁଠୁ ଅଧିକ ୮୨% ବଢ଼ିବ । ସାଉଦି ଆରବ ଏବଂ ପୋଲାଣ୍ଡରେ ଏ ବୃଦ୍ଧି ୬୩% ରହିବାର ଅନୁମାନ ଅଛି । ଭିଏତନାମରେ ବି ୫୯% ବୃଦ୍ଧି ଘଟିବ । ବିଶ୍ୱର ଅତିଧନୀଙ୍କ ମଧ୍ୟରେ ଆମେରିକାର ଅଂଶ ୨୦୨୧ରେ ୩୩% ଥିଲା, ଯାହା ଗତ ୫ ବର୍ଷରେ ବଢ଼ି ୨୦୨୬ରେ ୩୫% ହୋଇଯାଇଛି । ୨୦୩୧ ସୁଦ୍ଧା ଏହା ୪୧% ପର୍ଯ୍ୟନ୍ତ ପହଞ୍ଚିବାର ଅନୁମାନ ରହିଛି । ଗତ ୪ ବର୍ଷରେ ପ୍ରସ୍ତୁତ ସମସ୍ତ ନୂଆ ଅତିଧନୀଙ୍କ ମଧ୍ୟରେ ୪୧% କେବଳ ଆମେରିକାର । ବିଶ୍ୱରେ ମୋଟ ୩,୧୧୦ ଅରବପତି ଅଛନ୍ତି । ଏଥିରେ ଏସିଆ ପ୍ରଶାନ୍ତ ୧,୧୧୬ ସହ ପ୍ରଥମ ସ୍ଥାନରେ ରହିଛି । ଏହା ୯୬୫ ଅରବପତି ରହିଥିବା ଆମେରିକାକୁ ପଛରେ ପକାଇଦେଇଛି । ୫ ବର୍ଷରେ ସାଉଦି ଆରବରେ ଅରବପତିଙ୍କ ସଂଖ୍ୟା ସବୁଠୁ ଅଧିକ ୧୮୩% ବଢ଼ିବ । ଏହାପରେ ପୋଲାଣ୍ଡରେ ୧୨୩% ଏବଂ ସ୍ୱିଡେନ୍ରେ ୮୧% ବଢ଼ିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।