• ଅପରାଧରେ ପୋଲିସ ନା ତ ଏଫଆଇର ରୁଜୁ କରିପାରିବ ନା ନିଜେ ମୁଖ୍ୟ ଯାଞ୍ଚ ଏଜେନ୍ସୀ ରୂପେ ତଦନ୍ତ କରିପାରିବ
  • ପୋଲିସକୁ ସମ୍ପୂର୍ଣ୍ଣ ରୂପେ ଏହି ପ୍ରକ୍ରିୟାରୁ ବାହାର କରାଯାଇନି
  • କୌଣସି ଅପରାଧକୁ କେବଳ ସଂଜ୍ଞେୟ କି ଜାମିନ ବିହୀନ ଘୋଷଣା କରିଦେଲେ ତାର ତଦନ୍ତ ଅଧିକାର ପୋଲିସ କୁ ଆପେ ଆପେ ମିଳିଯାଏନି
  • ପିସି ଆଣ୍ଡ ପିଏନଡିଟି ଆକ୍ଟରେ ତଦନ୍ତର ମୁଖ୍ୟ ଦାୟିତ୍ୱ ‘ଉଚିତ ଅଥରିଟି’ ଅର୍ଥାତ ସମ୍ବଦ୍ଧିତ ପ୍ରାଧିକରଣର ରହିବେ

ନୂଆଦିଲ୍ଲୀ: ଦେଶରେ ଲିଙ୍ଗ ନିରୁପଣ ଓ କନ୍ୟାଭୃଣ ହତ୍ୟା ରୋକିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଇନକୁ ନେଇ ସୁପ୍ରିମ କୋର୍ଟ ବଡ଼ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଲିଙ୍ଗ ନିରୁପଣ ଉପରେ ରୋକ ‘ପ୍ରି-କନସେପ୍ସନ ଆଣ୍ଡ ପ୍ରି ନାଟାଲ ଡାୟଗ୍ନୋଷ୍ଟିକ୍ ଟେକନିକ୍ସ (ପିସି ଆଣ୍ଡ ପିଏନଡିଟି) ଆଇନ ୧୯୯୪ ଅର୍ଥାତ ଆକ୍ଟରେ ହେଉଥିବା ଅପରାଧରେ ପୋଲିସ ନା ତ ଏଫଆଇର ରୁଜୁ କରିପାରିବ ନା ନିଜେ ମୁଖ୍ୟ ଯାଞ୍ଚ ଏଜେନ୍ସୀ ରୂପେ ତଦନ୍ତ କରିପାରିବ’।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ଏନ.କୋଟିଶ୍ୱର ସିଂହଙ୍କ ପୀଠ ଏହି ରାୟ ସେହି ମାମଲାରେ ଦେଇଛନ୍ତି ଯେଉଁଥିରେ ପ୍ରଶ୍ନ ଉଠିଥିଲା ଯେ ପୋଲିସକୁ ଏହି ଆଇନରେ ଅପରାଧର ତଦନ୍ତ କରିବା ଅଥବା ମୋକଦ୍ଦମା ରୁଜୁ କରିବାର ଅଧିକାର ଅଛି କି ନା? ମାମଲାରେ କୋର୍ଟ ଧାରା ୨୭ ଓ ଧାରା ୨୮ ମଧ୍ୟରେ ସମ୍ପର୍କକୁ ବିସ୍ତାର ପୂର୍ବକ ବୁଝାଇବା ସହ କହିଛନ୍ତି ଯେ ଏହି ଆଇନ ପ୍ରଣୟନ କାଳର ଉଦ୍ଦେଶ୍ୟ କ’ଣ ଥିଲା। ମାମଲାର ଶୁଣାଣି କାଳରେ ବରିଷ୍ଠ ଆଡଭୋକେଟ ମୁକ୍ତା ଗୁପ୍ତା ଆଡଭୋକେଟ-ଅନ-ରେକର୍ଡ ନିତିନ ସଲୁଜାଙ୍କ ସହ ମିଶି ଆମିକ୍ୟସ କ୍ୟୁରି ଅର୍ଥାତ ନ୍ୟାୟମିତ୍ର ଭାବେ କୋର୍ଟଙ୍କୁ ସହାୟତା କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସେହି ମାମଲା ଉପରେ ସିଧା ପ୍ରଭାବ ପକାଇବ ଯେଉଁଠି ପୋଲିସ ଲିଙ୍ଗ ନିରୁପଣ ଆଇନ (ପିସି ଆଣ୍ଡ ପିଏନଡିଟି) ଅନୁସାରେ ସିଧାସଳଖ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ କୋର୍ଟ ଏହା ବି ସ୍ପଷ୍ଟ କରିଦେଇଛନ୍ତି ଯେ ପୋଲିସକୁ ସମ୍ପୂର୍ଣ୍ଣ ରୂପେ ଏହି ପ୍ରକ୍ରିୟାରୁ ବାହାର କରାଯାଇନି। ଯଦି କୌଣସି ମାମଲାରେ ସାଧାରଣ ଅପରାଧିକ ଆଇନ ଅନୁସାରେ କୌଣସି ଅପରାଧ ହୁଏ, ତେବେ ପୋଲିସ ସେହି ଅପରାଧର ପୃଥକ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ କରିପାରିବ।

କୋର୍ଟଙ୍କ ଆଗରେ କ’ଣ ଥିଲା ଅସଲ ପ୍ରଶ୍ନ?
ମୁଖ୍ୟ ପ୍ରଶ୍ନ ଏହା ଥିଲା ଯେ ଯେବେ ପିସି ଆଣ୍ଡ ପିଏନଡିଟି ଆକ୍ଟ ଧାରା ୨୭ ହେଉଥିବା ଅପରାଧକୁ ସଂଜ୍ଞେୟ, ଜାମିନବିହୀନ ଓ ଅଣ ବୁଝାମଣା ଯୋଗ୍ୟ ବୋଲି କହୁଛି, ସେ କ୍ଷେତ୍ରରେ ପୋଲିସକୁ ନିଜେ ଏଫଆଇଆର ରୁଜୁ କରିବା ଓ ତଦନ୍ତ କରିବାର ଅଧିକାର ମିଳି ଯାଉଛି କି? ନା ଧାରା ୨୮ରେ କୁହାଯାଇଥିବା ଖାସ ଆଇନଗତ ପ୍ରକ୍ରିୟା ହିଁ ଏହି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ଏକମାତ୍ର ଉପାୟ? ସୁପ୍ରିମକୋର୍ଟଙ୍କ ଆଗରେ ଏହି ଆଇନଗତ ସମସ୍ୟା ଦୂର କରିବାର ଆବଶ୍ୟକତା ଥିଲା।

ମାମଲାରେ ପୋଲିସ ସମ୍ପୂର୍ଣ୍ଣ ପ୍ରଭାବହୀନ?
ମୋଟେ ନୁହେଁ। କାରଣ କୋର୍ଟ ମାମଲାରୁ ପୋଲିସକୁ ସମ୍ପୂର୍ଣ୍ଣ ବାହାର କରି ନାହାନ୍ତି, ବରଂ ପୋଲିସର ଭୂମିକାକୁ ସୀମିତ ଓ ସହଯୋଗକାରୀ ଭାବେ ଦର୍ଶାଇଛନ୍ତି। ପିସି ଆଣ୍ଡ ପିଏନଡିଟି ଆକ୍ଟରେ ତଦନ୍ତର ମୁଖ୍ୟ ଦାୟିତ୍ୱ ‘ଉଚିତ ଅଥରିଟି’ ଅର୍ଥାତ ସମ୍ବଦ୍ଧିତ ପ୍ରାଧିକରଣର ରହିବେ। ଏଥିରେ ପ୍ରାଧିକରଣଙ୍କୁ ତଦନ୍ତ କାଳରେ ଯଦି ପୋଲିସର ଆବଶ୍ୟକତା ପଡିବ ତେବେ ସେ ସହାୟତା ନେଇ ପାରିବେ। ଅର୍ଥାତ ପୋଲିସ ନିଜେ ଏହି ଆଇନ ଅନୁସାରେ ଯାଞ୍ଚ ଆରମ୍ଭ କରିପାରିବନି, କିନ୍ତୁ ଆବଶ୍ୟକତା ପଡିଲେ ପ୍ରାଧିକରଣଙ୍କୁ ସହାୟତା କରିପାରିବ।

ଅପାରଧ ସଂଜ୍ଞେୟ, ଉଚିତ ହେବ ଏଫଆଇଆର ରୁଜୁ?
ଏଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ଅପରାଧକୁ କେବଳ ସଂଜ୍ଞେୟ କି ଜାମିନ ବିହୀନ ଘୋଷଣା କରିଦେଲେ ତାର ତଦନ୍ତ ଅଧିକାର ପୋଲିସ କୁ ଆପେ ଆପେ ମିଳିଯାଏନି। କୋର୍ଟ ଧାରା ୨୭ ଓ ୨୮ର ଭାଷା ସହିତ ଆଇନର ଅନ୍ୟ ପ୍ରାବଧାନ , ସମ୍ବେଦନଶୀଳ ପ୍ରସଙ୍ଗ ଓ ଏଥିରେ ଥିବା ମେଡିକାଲ ଓ ଟେକ୍ନିକାଲ ଦିଗକୁ ମଧ୍ୟ ଧ୍ୟାନରେ ରଖିଛନ୍ତି। କୋର୍ଟ ମାନିଛନ୍ତି ଯେ ପିସି ଆଣ୍ଡ ପିଏନଡିଟି ଆଇନରେ ପୋଲିସକୁ ମୁଖ୍ୟ ଯାଞ୍ଚ ଏଜେନ୍ସୀର ଭୂମିକା ଦିଆଯାଇ ନାହିଁ, ଏଣୁ ଏହି ଆଇନ ବଳରେ ପୋଲିସ ଯଦିବା ଏଫଆଇଆର ରୁଜୁ କରେ ତେବେ ସେ ଏହି ଏଫଆଇଆର ଆଧାରରେ ଆଇନ ଅନୁସାରେ ନିଜର ଯାଞ୍ଚ ଆଗକୁ ବଢାଇ ପାରିବନାହିଁ। ଆଇନରେ କୁହାଯାଇଥିବା ଖାସ ପ୍ରକ୍ରିୟା ପାଳନ କରିବା ଜରୁରି ହେବ।

ତେବେ ଅପରାଧର ଯାଞ୍ଚ କରିବେ କିଏ?
ଏହି ପ୍ରଶ୍ନରେ କୋର୍ଟ ଆଇନର ଧାରା ୧୭(୪)ର ଉଦାହରଣ ଦେଇଛନ୍ତି। ଏଥିରେ ଅଭିଯୋଗର ଯାଞ୍ଚ ଦାୟିତ୍ୱ ‘ଉଚିତ ଅଥରିଟି’ ଅର୍ଥାତ ସମ୍ବଦ୍ଧିତ ପ୍ରାଧିକରଣଙ୍କୁ ଦିଆଯାଇଛି। ଏହା ଛଡା କୋର୍ଟ ନିୟମ ୧୮-ଏ (୩)(୪)ର ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଯେ ପର୍ଯ୍ୟନ୍ତ ସମ୍ଭବ ପୋଲିସ ସହାୟତା ନେବାରୁ ବର୍ତ୍ତିବା ଉଚିତ। ଏହି ସବୁ ପ୍ରାବଧାନକୁ ନଜରରେ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଆଇନ ଅନୁସାରେ ପୋଲିସ ମୁଖ୍ୟ ଯାଞ୍ଚ ଅଥରିଟି ହୋଇ ପାରିବ ନାହିଁ। ପୋଲିସର ଆବଶ୍ୟକତା କେବଳ ପ୍ରାଧିକରଣଙ୍କୁ ସହଯୋଗ କରିବା (ତାହାବି ଆବଶ୍ୟକ ପଡିଲେ) ମଧ୍ୟରେ ସୀମିତ ରହିବ। ଅର୍ଥାତ ପିସି ଆଣ୍ଡ ପିଏନଡିଟି ଆଇନରେ କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭିକ ଓ ମୁଖ୍ୟ ଅଧିକାର ସମ୍ପର୍କିତ ପ୍ରାଧିକରଣଙ୍କ ନିକଟରେ ରହିବ।

ପୋଲିସ ଯାଞ୍ଚରେ ପ୍ରସ୍ତୁତ ଚାର୍ଜସିଟ୍ ରେ ମାଜିଷ୍ଟ୍ରେଟ୍ ସଂଜ୍ଞାନ ନେଇ ପାରିବେ?
ଏହି ପ୍ରଶ୍ନ ଉପରେ ମଧ୍ୟ ସୁପ୍ରିମକୋର୍ଟ ସ୍ଥିତି ସ୍ପଷ୍ଟ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଧାରା ୨୮ ନିଜେ ଏହା ନିର୍ଦ୍ଧାରଣ କରୁଛି ଯେ ପିସି ଆଣ୍ଡ ପିଏନଡିଟି ଆକ୍ଟରେ କୌଣସି ଅପରାଧ ହେଲେ କୋର୍ଟ କିଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେ। ଏହି ଧାରାରେ ଏଥି ପାଇଁ ଖାସ ପ୍ରକ୍ରିୟା ଓ ସର୍ତ୍ତ ଦିଆଯାଇଛି। ଏଣୁ କୌଣସି ସକ୍ଷମ ମାଜିଷ୍ଟ୍ରେଟ୍ ପୋଲିସ ଯାଞ୍ଚ ପରେ ଦାଖଲ ଚାର୍ଜସିଟ୍ ଆଧାରରେ ପିସି ଆଣ୍ଡ ପିଏନଡିଟି ଆଇନରେ ଅପରାଧର ସଂଜ୍ଞାନ ନେଇ ପାରିବେନି। ଅର୍ଥାତ ଏହି ଆଇନରେ କେବଳ ଏଫଆଇଆର ଓ ପୋଲିସ ଚାର୍ଜସିଟ୍ ସ୍ୱଭାବିକ ପ୍ରକ୍ରିୟା ମାଧ୍ୟମରେ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ପାରିବନି। ଏହି କାରଣରୁ ସୁପ୍ରିମକୋର୍ଟ ସମ୍ବଦ୍ଧିତ ମାମଲାକୁ ଦ୍ୱିତୀୟବାର ହାଇକୋର୍ଟଙ୍କୁ ପଠାଇ ଦେଇଛନ୍ତି, ଯାହାଦ୍ୱାରା ଆଇନରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ପରବର୍ତ୍ତି ନିଷ୍ପତ୍ତି ନିଆଯାଇ ପାରିବ।