LIVE TV

ବେଲ ଅର୍ଡରରେ ସୁପ୍ରିମକୋର୍ଟ ଖପ୍ପା, ଜଜ୍ ଙ୍କୁ କହିଲେ- ଆକାଡେମୀରୁ ଟ୍ରେନିଂ ନିଅ

NEWS7
Supreme Court

ନୂଆଦିଲ୍ଲୀ ୩୦।୯: ସୁପ୍ରିମକୋର୍ଟ ଦିଲ୍ଲୀର ଏକ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍ (ଏସିଏମଏମ)  ଓ ଏକ ସେସନସ କୋର୍ଟଙ୍କ ଜାମିନ ଆଦେଶରେ ତ୍ରୁଟିକୁ ଧ୍ୟାନରେ ରଖି ଉଭୟ କୋର୍ଟଙ୍କ ବିଚାରପତିମାନଙ୍କୁ ଦିଲ୍ଲୀ ଜୁଡିସିଆଲ ଆକାଡେମୀରେ ସ୍ୱତନ୍ତ୍ର ଟ୍ରେନିଂ ନେବାକୁ ଆଦେଶ ଦେଇଛନ୍ତି। ସର୍ବୋଚ୍ଚନ୍ୟାୟାଳୟ ସେତେବେଳେ ଏହା କହିଛନ୍ତି ଯେତେବେଳେ ଏକ ଅଭ୍ୟାସଗତ ଅପରାଧୀ ଦମ୍ପତ୍ତିଙ୍କୁ ନିମ୍ନ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରୁ ଜାମିନ ମିଳିସାରିଥିଲା।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଜଷ୍ଟିସ୍ ଏସ.ଭିଏନ. ଭଟ୍ଟିଙ୍କ ବେଞ୍ଚ ସ୍ପଷ୍ଟ ରୂପେ କହିଛନ୍ତି ଯେ ଏହି ପଦକ୍ଷେପ ବିଚାରପ୍ରକ୍ରିୟାକୁ ମଜଭୁତ କରିବା ପାଇଁ, କାହାର ସ୍ୱାଧୀନତାର ଅଧିକାର ଦୁର୍ବଳ କରିବାକୁ ନୁହେଁ। ଅଭିଯୁକ୍ତ ଦମ୍ପତ୍ତିଙ୍କ ଉପରେ ୬ଟି ଅପରାଧିକ ମାମଲା ରହିଛି। ଏଥିରୁ ଗୋଟିକରେ ସେମାନେ ୧.୯ କୋଟି ଟଙ୍କା ଠକେଇ କରିଥିବାର ମଧ୍ୟ ଅଭିଯୋଗ ରହିଛି। ଜମି ବିକ୍ରିକରିବା ନାମରେ ସେମାନେ ଏହି ଠକେଇ କରିଥିଲେ।

୨୦୧୮ ମସିହାରେ ଦମ୍ପତ୍ତି ଦିଲ୍ଲୀ ହାଇକୋର୍ଟରୁ ଅଗ୍ରୀମ ଜାମିନ ପାଇଥିଲେ। ଏଥି ପାଇଁ ସେମାନେ ପଇସା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ହାଇକୋର୍ଟ ୨୦୨୩ରେ ସେମାନଙ୍କ ଜାମିନ ରଦ୍ଦ କରିଦେଇଥିଲେ। ଏହା ସତ୍ତ୍ୱେ ଚାର୍ଜସିଟ୍ ଦାଖଲ ହେବା ପରେ ଦମ୍ପତ୍ତି ନିମ୍ନ କୋର୍ଟରୁ ନିୟମିତ ଜାମିନ ହାସଲ କରିନେଇଥିଲେ, ଯାହା ଉଚ୍ଚନ୍ୟାୟାଳୟରେ କାୟମ ଅଛି। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଆପତ୍ତି କରିଛନ୍ତି। କାରଣ ଅଭିଯୁକ୍ତଙ୍କ ବିରୋଧରେ ବିପରିତ ଟିପ୍ପଣୀ ସତ୍ତ୍ୱେ ସେମାନଙ୍କୁ ଜାମିନ ଦେଇଛନ୍ତି।

କୋର୍ଟ କହିଛନ୍ତି ଏସିଏମଏମ ହାଇକୋର୍ଟଙ୍କ ୧ ଫେବୃଆରୀ ୨୦୨୩ ଆଦେଶକୁ ଅଣଦେଖା କରି ଏହା ତର୍କ ଦେଇଛନ୍ତି ଯେ ଯାଞ୍ଚ ଜାରି ରହିଛି ଓ ସେମାନଙ୍କୁ ହାଜତର ଆବଶ୍ୟକତା ନାହିଁ। ଏହା ବିଚାର ପ୍ରକ୍ରିୟାର ଅନାବଶ୍ୟକ ସରଳିକରଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହି ଆଦେଶ ଗୁଡିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଭୟ ବିଚାରବିଭାଗୀୟ ଅଧିକାରୀଙ୍କୁ ଅନୁନ୍ୟ ୭ ଦିନ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବାକୁ ଆଦେଶ ଦେଇଛନ୍ତି।