ନୂଆଦିଲ୍ଲୀ: ଆଇପିଏଲ୍ ଦୁନିଆ ସବୁଠୁ ବଡ଼ କ୍ରିକେଟ୍ ଲିଗ୍ । ଏଥିରେ ଖେଳର ରୋମାଞ୍ଚ ଯେତିକି, ଟଙ୍କା ବର୍ଷା ବି ସେତିକି । ଘରୋଇ ଖେଳାଳିଙ୍କଠାରୁ ଆରମ୍ଭ କରି ବିଦେଶୀ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଖେଳନ୍ତି । ଏହି କାରଣରୁ ଅନ୍ୟ କ୍ରିକେଟ୍ ଲିଗଠାରୁ ଆଇପିଏଲ୍ ବହୁ ଉପରେ ରହିଛି । ଏହାରି ଭିତରେ ଭାରତର କିମ୍ୱଦନ୍ତୀ ଖେଳାଳି ସୁନୀଲ ଗାଭାସ୍କାର ଆଇପିଏଲକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଭାରତର ପୂର୍ବତନ ଅଧିନାୟକ ଗାଭାସ୍କାର ସ୍ପୋର୍ଟଷ୍ଟାର ପାଇଁ ଲେଖିଥିବା ଏକ ଆଲେଖ୍ୟରେ ଆଇପିଏଲର ପ୍ରଶଂସା କରିଛନ୍ତି, କିନ୍ତୁ ଏହାସହ ଟି-୨୦ ଟୁର୍ଣ୍ଣାମେଣ୍ଟ ଓ ଭାରତରେ ଘରୋଇ କ୍ରିକେଟ୍ ଖେଳୁଥିବା ଖେଳିଳଙ୍କ ପାଇଁ ଏକ ବ୍ୟବଧାନ ବୋଲି କହିଛନ୍ତି ।
ଗାଭାସ୍କର ନିଜ ଆଲେଖ୍ୟରେ ଲେଖିଛନ୍ତି, ଚଳିତ ଆଇପିଏଲରେ ପୁଣି ଥରେ ଦେଖାଇଛି ଯେ ଗୋଟିଏ ପ୍ରଦର୍ଶନ କିପରି ଅଜଣା ଖେଳାଳିକୁ ଉଚ୍ଚ ସମ୍ମାନ ଦେଇପାରେ । ଏହା ରାଷ୍ଟ୍ରୀୟ ଚାମ୍ପିଅନଶିପ ରଣଜୀ ଟ୍ରଫିରେ ପ୍ରଦର୍ଶନଠାରୁ ପୂରା ବିପରୀତ । ସେଇଠି ଭଲ ପ୍ରଦର୍ଶନ କରୁଥିବା ଖେଳାଳି ଚର୍ଚ୍ଚାକୁ ହିଁ ଆସନ୍ତି ନାହିଁ । ଗାଭାସ୍କାର ଲେଖିଛନ୍ତି, 'ଆଇପିଏଲରେ ଗୋଟିଏ ଭଲ ସିଜିନ୍ କୌଣସି ଖେଳାଳି ପାଇଁ ଏତେ ଲାଭ ଦାୟକ ହୋଇପାରିବ, ଯାହା ପୂରା ରଣଜୀ ଟ୍ରଫି କ୍ୟାରିୟର ମଧ୍ୟ ଦେଇପାରିବ ନାହିଁ ।'
ଭାରତର ପୂର୍ବତନ ଅଧିନାୟକ ଲେଖିଛନ୍ତି, 'ଏପରି ଅନେକ ଉଦାହରଣ ରହିଛି, ଯେଉଁଠି କେବଳ ଗୋଟିଏ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଗୋଟିଏ କିମ୍ୱା ଦୁଇଟି ସିଜିନ ଖେଳି ବାହାର ହୋଇଯାଆନ୍ତି । କିନ୍ତୁ ଆଇପିଏଲର ଗୋଟିଏ ସିଜିନ ତାଙ୍କୁ ରଣଜୀ କ୍ୟାରିୟର ଠାରୁ ବହୁ ଅଧିକ ଦେଇଥାଏ । ତେବେ ଏହି ଅସନ୍ତୁଳନର ଶ୍ରେୟ ଆଇପିଏଲର ଦର୍ଶକ ଆଦୃତି ଓ ଏହି କାରଣରୁ ବଡ଼ ପ୍ରସାରଣ ଓ ପ୍ରାୟୋଜକ ଅଧିକାରକୁ ଦିଆଯାଇପାରେ । କିନ୍ତୁ ଏହା ସେହି ଖେଳାଳିଙ୍କ ପାଇଁ ବଡ଼ ଝଟକା, ଯେଉଁମାନେ ଆଇପିଏଲ୍ ତୁଳନାରେ ପ୍ରାୟ ତିନି ଗୁଣା ଅଧିକ କ୍ରିକେଟ୍ ମ୍ୟାଚ୍ ଖେଳନ୍ତି ।'
ସେ ଆହୁରି ଲେଖିଛନ୍ତି, 'ଏହା ଘା'ରେ ଲୁଣ ଦେବା ପରି ଅଟେ । ଯେଉଁମାନେ ପୂରା ସିଜିନ ଘରୋଇ କ୍ରିକେଟ୍ ଖେଳନ୍ତି, ସେମାନେ ଅନକ୍ୟାପ୍ଡ ଆଇପିଏଲ୍ ଖେଳାଳିଙ୍କ ସବୁଠୁ କମ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ମଧ୍ୟ ଆୟ କରିପାରନ୍ତି ନାହିଁ । ଯଦି ମୁମ୍ୱାଇ ପରି ଅନ୍ୟ ସଂଘ ରଣଜୀ ଖେଳାଳିଙ୍କୁ ବିସିସିଆଇ ଦ୍ୱାରା ଦିଆଯାଉଥିବା ଦରମା ସହ ସମାନ କରନ୍ତି ତେବେ ଏହି ଅସନ୍ତୁଳନ ଅନେକାଂଶରେ ଦୂର ହୋଇପାରିବ ।'