'କୋକିଶିଆଳିର ଏକକ ନୃତ୍ୟ'; କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାର ପାଇବେ ସୁଭାଷ ଶତପଥୀ

Published By : Prameya-News7 Bureau | March 07, 2025 IST

ଭୁବନେଶ୍ୱର: ରସ୍କିନ ବଣ୍ଡଙ୍କ ଆତ୍ମଜୀବନୀ Lone Fox Dancingର ଓଡ଼ିଆ ଅନୁବାଦ 'କୋକିଶିଆଳିର ଏକକ ନୃତ୍ୟ' ପାଇଁ ବିଶିଷ୍ଟ ଅନୁବାଦକ ତଥା ବରିଷ୍ଠ ସାମ୍ୱାଦିକ ସୁଭାଷ ଶତପଥୀ ୨୦୨୪ ମସିହାର କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାର ପାଇଁ ଚୟନ ହୋଇଛନ୍ତି । ମାର୍ଚ୍ଚ ୭ରେ ସାହିତ୍ୟ ଅକାଦେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅକାଦେମୀର କାର୍ଯ୍ୟକାରୀ ସମିତି ବୈଠକରେ ଏହି ପୁରସ୍କାର ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ସାହିତ୍ୟ ଅକାଦେମୀ ପକ୍ଷରୁ ମାର୍ଚ୍ଚ ୭ରେ ବିଭିନ୍ନ ଭାଷାର ୨୧ଟି ଅନୁବାଦ ପୁସ୍ତକ ପାଇଁ ମର୍ଯ୍ୟାଦାଜନକ ଅନୁବାଦ ପୁରସ୍କାର ଘୋଷଣା କରାଯାଇଛି । ଅନୁବାଦକ ସୁଭାଷ ଶତପଥୀ ‘କୋକିଶିଆଳିର ଏକକ ନୃତ୍ୟ’ ଶୀର୍ଷକ ବିଶିଷ୍ଟ ଇଂରାଜୀ ଲେଖକ ରସ୍କିନ୍ ବଣ୍ଡଙ୍କ ଆତ୍ମଜୀବନୀର ଅନୁବାଦ ପାଇଁ ଏହି ପୁରସ୍କାର ପାଇବେ । ପ୍ରାରମ୍ଭିକ ସ୍ତରରେ ଓଡ଼ିଆ ବିଭାଗର ସମୁଦାୟ ୧୦ଟି ଅନୁବାଦ ପୁସ୍ତକକୁ ଏହି ପୁରସ୍କାର ପାଇଁ ‘ସର୍ଟଲିଷ୍ଟ’ କରାଯାଇଥିଲା ବୋଲି ଜଣାପଡ଼ିଛି । ଓଡ଼ିଆ ବିଭାଗର ଏହି ପୁରସ୍କାର ନିର୍ଣ୍ଣୟ ପାଇଁ ସାହିତ୍ୟ ଅକାଦେମୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ଅମରେଶ ପଟ୍ଟନାୟକ, ପ୍ରବାସିନୀ ମହାକୁଡ଼ ଓ ମୋନାଲିସା ଜେନା ସାମିଲ ଥିଲେ ।

ଏହି ପୁରସ୍କାର ବାବଦକୁ ନଗଦ ୫୦ ହଜାର ଟଙ୍କା, ମାନପତ୍ର ଓ ଅକାଦେମୀ ପ୍ରଶସ୍ତି ଫଳକ ପ୍ରଦାନ କରାଯାଇଥାଏ । ପୁସ୍ତକଟି ଆର୍ଯ୍ୟବେଦାନ୍ତ ପବ୍ଲିକେଶନ (ଭୁବନେଶ୍ବର) ଦ୍ଵାରା ୨୦୨୨ରେ ପ୍ରକାଶିତ । ସୁଭାଷ ଶତପଥୀ ୨୦୧୪ରେ ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାର ସମେତ କାଦମ୍ବିନୀ ପୁରସ୍କାର, ତୀର ତରଙ୍ଗ ପୁରସ୍କାର ଏବଂ ମନ୍ଥନ ପୁରସ୍କାର ଲାଭ କରିଛନ୍ତି । ଶ୍ରୀ ଶତପଥୀଙ୍କ ପ୍ରକାଶିତ ଅନ୍ୟ ଅନୁବାଦ ପୁସ୍ତକ ମଧ୍ୟରେ ରହିଛି ସଂସାର, ପୂର୍ଣ୍ଣିମା ରାତ୍ରିର ଅଭିସାର ଓ ଅନ୍ୟାନ୍ୟ ଗଳ୍ପ , ସମୁଦ୍ର କୂଳର ଗାଁ, ଖୁଶୱନ୍ତ ସିଂହଙ୍କ ଗଳ୍ପ, ଏମ.ଟି. ବାସୁଦେବ ନାୟାରଙ୍କ ଗଳ୍ପ, ବିଭାଜନ ଇତ୍ୟାଦି। 

୧୮ ଅପ୍ରେଲ ୧୯୬୩ ମସିହାରେ ଜନ୍ମିତ ଶ୍ରୀ ଶତପଥୀ ବାଣୀବିହାରର ଇଂରାଜୀ ବିଭାଗରୁ ୧୯୮୩ ମସିହାରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ଏବଂ ସେ ବର୍ତ୍ତମାନ ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ରେ ଫିଚର୍ ସମ୍ପାଦକ ଭାବରେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ଦୈନିକ 'ପ୍ରମେୟ' ସମ୍ବାଦପତ୍ରରେ ଫିଚର୍ ବିଭାଗ ସମ୍ପାଦକ ଭାବେ ଅବସ୍ଥାପିତ ଶ୍ରୀ ଶତପଥୀ ପୂର୍ବରୁ ଅନେକ ଖବରକାଗଜରେ ସମ୍ପାଦନା ବିଭାଗରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ରାଜ୍ୟର ଜଣେ ସୁନାମଧନ୍ୟ ଅନୁବାଦକ ଭାବରେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଥିବା ବେଳେ ସେ ବହୁ ଉପାଦେୟ ପୁସ୍ତକକୁ ଓଡିଆରେ ଅନୁବାଦ କରିଛନ୍ତି ।

 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.