LIVE TV

ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ, ଅନୁକୂଳ ହେଉଛି ପାଗ

NEWS7
gfx

ନୂଆଦିଲ୍ଲୀ ୧୨।୧୦: ଅକ୍ଟୋବର ମାସର ଅଧାଦିନ ବିତିଗଲାଣି। ଆଜି ୧୨ ଅକ୍ଟୋବର ଦିଲ୍ଲୀରେ ଏବେ ହାଲୁକା ଥଣ୍ଡା ଅନୁଭୂତ ହେଉଛି। କିଛି ଦିନର ବିରାମ ପରେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ପୁଣି ଆରମ୍ଭ ହୋଇଛି। ଆଗାମୀ ୨ରୁ ୩ ଦିନରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦା ହେବା ଲାଗି ପରିସ୍ଥିତି ଏବେ ଅନୁକୂଳ ହୋଇଛି। ଏଥିରୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଦକ୍ଷିଣ ଭାରତରେ ଖୁବ୍ ଶୀଘ୍ର ଉତ୍ତର-ପୂର୍ବ ମୌସୁମୀ ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛନ୍ତି।

ଉତ୍ତର-ପୂର୍ବ ମୌସୁମୀକୁ ଦେଶରେ ରିଟ୍ରିଟିଂ ମନସୁନ ବୋଲି ମଧ୍ୟ କୁହାଯାଏ। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ବିକଶିତ ହେଉଥିବାର ଆଇଏମଡି ସୂଚିତ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଏହି ପ୍ରଣାଳୀ ଯୋଗୁ ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ଆରମ୍ଭ ହୋଇପାରେ ବୋଲି ଆଇଏମଡି ଆକଳନ କରିଛନ୍ତି। ପାଣିପାଗ ପରିସ୍ଥିତିରୁ ଆଗାମୀ ୨ରୁ ୩ ଦିନରେ ରିଟ୍ରିଟିଂ ମନସୁନ ଅନୁଭୂତ ହେବବୋଲି ଆକଳନ କରାଯାଉଛି।

ଏଥିରୁ ଆଇଏମଡି ତାମିଲନାଡୁ ଓ ଅନ୍ତରୀଣ କର୍ଣ୍ଣାଟକ ଲାଗି ଭୀଷଣ ବର୍ଷା ଆଶଙ୍କା କରିଛନ୍ତି। ଉତ୍ତର-ପୂର୍ବ ମୌସୁମୀ ଯୋଗୁଁ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ଏପରି ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡିଶା ସମେତ ପୂର୍ବୋତ୍ତର ଭାରତୀୟ ରାଜ୍ୟ ଯେପରି ନାଗାଲ୍ୟାଣ୍ଡ, ମଣିପୁର ଓ ମିଜୋରାମରେ ଭୀଷଣ ବର୍ଷା ଆଶଙ୍କା କରିଛନ୍ତି।

ଏଥିରେ ଆଇଏମଡି ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି, ଯାହା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ପ୍ରାରମ୍ଭର ସୂଚନା ବୋଲି କୁହାଯଇଛି। ଆଇଏମଡି ଆଗାମୀ ୪୮ ଘଣ୍ଟାରେ ଏହା ଅଧିକ ତୀବ୍ର ହେବ ବୋଲି ପୂର୍ବାନୁମାନ କରିଛନ୍ତି। ଏଥି ଯୋଗୁ ଓଡିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଭୀଷଣ ବର୍ଷା ହୋଇପାରେ ବୋଲି ସତର୍କତା ଜାରି କରିଛନ୍ତି। ଗତ ୨୪ ଘଣ୍ଟାରେ ତାମିଲନାଡୁ ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ଭୀଷଣ ବର୍ଷା ରେକର୍ଡ କରାଯାଇଛି। ଏଣୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି।