ପୁଲିସ ସେବା ଓ ନ୍ୟାୟ ଦେବାରେ ଶୀର୍ଷରେ ୫ ଦକ୍ଷିଣ ରାଜ୍ୟ, ସବୁଠାରୁ ତଳେ ପଶ୍ଚିମବଙ୍ଗ: ଓଡ଼ିଶା କରିଛି ଉନ୍ନତୀ

Published By : Prameya-News7 Bureau | April 15, 2025 IST

indiatoday

ନୂଆଦିଲ୍ଲୀ: ଶିକ୍ଷା ଓ ବିକାଶ କ୍ଷେତ୍ରରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଯେପରି ଉନ୍ନତି କରୁଛନ୍ତି ପୁଲିସ ସେବା, ନ୍ୟାୟ ଓ କଏଦୀ ପରିଚାଳନା କ୍ଷେତ୍ରରେ ମଧ୍ୟ ସେମିତି ଉନ୍ନତି କରୁଛନ୍ତି। ମଙ୍ଗଳବାର ପ୍ରକାଶିତ ଚତୁର୍ଥ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଅନୁଯାୟୀ, ପୋଲିସିଂ, ନ୍ୟାୟ ପ୍ରଦାନ ଏବଂ ଜେଲ ପରିଚାଳନା କ୍ଷେତ୍ରରେ ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକ ସର୍ବୋତ୍ତମ ପ୍ରଦର୍ଶନ କରୁଛନ୍ତି। 

ନ୍ୟାୟର ଚାରୋଟି ସ୍ତମ୍ଭ - ପୋଲିସ, ଜେଲ, ନ୍ୟାୟପାଳିକା ଏବଂ ଆଇନଗତ ସହାୟତା - ଉପରେ ରାଜ୍ୟଗୁଡ଼ିକର କାର୍ଯ୍ୟଦକ୍ଷତାକୁ ରାଙ୍କିଂ ପାଇଁ ବିଚାର କରାଯାଇଥିଲା। ଏହି ରିପୋର୍ଟରେ ଅପରାଧ ବିରୋଧରେ ଲଢ଼ିବା ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ରାଜ୍ୟଗୁଡ଼ିକ କେତେ ଅଗ୍ରଗତି କରୁଛନ୍ତି କିମ୍ବା ପଛରେ ପଡ଼ି ଯାଉଛନ୍ତି କି ନା ତାହା ଉପରେ ରିପୋର୍ଟ ପ୍ରଦାନ  କରାଯାଇଛି। 

ବଡ଼ ଏବଂ ମଧ୍ୟମ  ରାଜ୍ୟ ବର୍ଗର ସମସ୍ତ ସ୍ରେଣୀର ଶୀର୍ଷରେ ରହିଛନ୍ତି ଦକ୍ଷିଣ ରାଜ୍ୟ। କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ତାମିଲନାଡୁ ଏ ଦିଗରେ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ଏହି ତାଲିକାରେ ପଶ୍ଚିମବଙ୍ଗ ସବୁଠାରୁ ତଳେ ରହିଛି। ଏହା ଉପରକୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ରାଜସ୍ଥାନ ରହିଛନ୍ତି।

ଏହି ରାଙ୍କିଙ୍ଗ୍‌ରେ  କର୍ଣ୍ଣାଟକ ୧୦ ରୁ ୬.୭୮ ସ୍କୋର କରିଥିବା ବେଳେ, ପଶ୍ଚିମବଙ୍ଗର ସ୍କୋର ମାତ୍ର ୩.୬୩ ରହିଛି। ଚଳିତ ବର୍ଷ ଏହି ଶ୍ରେଣୀରେ ତଳକୁ ଖସିବାରେ ପଶ୍ଚିମବଙ୍ଗ ଦ୍ୱିତୀୟ ରାଜ୍ୟ ହୋଇଛି। ଗତ ସର୍ଭେରେ ୧୧ତମ ସ୍ଥାନରେ ଥିବା ତେଲେଙ୍ଗାନା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟର ଚତୁର୍ଥ ସଂସ୍କରଣରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ତେବେ ୭ଟି ଛୋଟ ରାଜ୍ୟ ମଧ୍ୟରେ ସିକିମ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ବେଳେ ଗୋଆ ସବୁଠାରୁ ଖରାପ ପ୍ରଦର୍ଶନ କରିଛି। 

୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ବିହାର ପୋଲିସ ବର୍ଗରେ ସର୍ବାଧିକ ଉନ୍ନତି ଦେଖାଇଛି। ରିପୋର୍ଟ ଅନୁସାରେ, "ଜାତୀୟ ସ୍ତରରେ, ପୋଲିସ-ଜନସଂଖ୍ୟା ଅନୁପାତ ପ୍ରତି ୧୦୦,୦୦୦ ଜନସଂଖ୍ୟାରେ ମାତ୍ର ୧୫୫ ପୋଲିସ କର୍ମଚାରୀ ରହିଛନ୍ତି।  ଯାହା ନିମୟ ଅନୁସାରେ ୧୯୭.୫ ଠାରୁ ଯଥେଷ୍ଟ କମ୍।" ବିହାରରେ ପୋଲିସ ଏବଂ ଜନସଂଖ୍ୟା ଅନୁପାତ ସବୁଠାରୁ ଖରାପ ସ୍ଥିତିରେ ରହିଛି। ଏଠାରେ ପ୍ରତି ଏକ ଲକ୍ଷରେ ମାତ୍ର ୮୧ ପୋଲିସ ରହିଛନ୍ତି। 

ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୫ ରିପୋର୍ଟ ଅନୁଯାୟୀ, ୨୦୨୨ ରୁ ୨୦୨୫ ମଧ୍ୟରେ, ରାଜସ୍ଥାନ, କେରଳ ଏବଂ ମଧ୍ୟପ୍ରଦେଶ ନ୍ୟାୟିକ ସୂଚକାଙ୍କରେ ସର୍ବାଧିକ ଉନ୍ନତି କରିଛନ୍ତି। ତେବେ ଜେଲ୍ ସମ୍ପର୍କିତ ସୂଚକାଙ୍କରେ ଓଡ଼ିଶା ଏବଂ ଝାଡ଼ଖଣ୍ଡ ସର୍ବାଧିକ ଉନ୍ନତି କରିଛନ୍ତି।

ରିପୋର୍ଟରେ କୁହାଯାଇଛି "ଗତ ଦଶନ୍ଧି ମଧ୍ୟରେ, ଜେଲ ସଂଖ୍ୟା ପ୍ରାୟ ୫୦% ବୃଦ୍ଧି ପାଇଛି। ତଦନ୍ତ କିମ୍ବା ବିଚାର ସମାପ୍ତି ପାଇଁ ଅପେକ୍ଷା କରିଥିବା ବିଚାରାଧୀନ କଏଦୀଙ୍କ ଅନୁପାତ ୬୬% ରୁ ୭୬%କୁ ବୃଦ୍ଧି ପାଇଛି।" ସେହିପରି ଆଇନଗତ ସହାୟତା ପ୍ରଦାନ କ୍ଷେତ୍ରରେ, ୨୦୨୨ରେ ପ୍ରକାଶିତ ରିପୋର୍ଟର ଶେଷ ସଂସ୍କରଣ ପରଠାରୁ ହରିୟାଣା ସର୍ବାଧିକ ଉନ୍ନତି କରିଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଫୌଜଦାରୀ-ନ୍ୟାୟ ବ୍ୟବସ୍ଥାରେ ବଜେଟ୍ ପାଇଁ ଆବଣ୍ଟିତ ଟଙ୍କାର ଏକ ସିଂହଭାଗ ଦରମା ପ୍ରଦାନରେ ଖର୍ଚ୍ଚ ହୁଏ। ଭିତ୍ତିଭୂମି ବିକାଶ ପାଇଁ ବହୁତ କମ୍ ଖର୍ଚ୍ଚ କରାଯାଏ। ଏହା ସିଧାସଳଖ ତାଲିମକୁ ପ୍ରଭାବିତ କରେ, ଯାହା ଫଳରେ ପୋଲିସ ଏବଂ ନ୍ୟାୟିକ ସେବାର ମାନ ଖରାପ ହୁଏ।  

ରିପୋର୍ଟର ମୁଖବନ୍ଧରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କିଶନ କାଉଲ ଲେଖିଛନ୍ତି ଯେ ଏଥିରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି।  " ଏଭଳି ସ୍ଥିତିର ସୁଧାର ପାଇଁ ନ୍ୟାୟପାଳିକା, ସରକାର ଏବଂ ସିଭିଲ ସେବାର କର୍ମୀମାନେ ରିସ୍କ ନେଇ ଏଥିରେ ପରିବର୍ତ୍ତନ କରିବାକୁ ଇଛୁକ ହେବା ଆବଶ୍ୟକ। କେବଳ ସେତିକି ନୁହେଁ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ପାଇଁ ଜନସାଧାରଣଙ୍କ ପକ୍ଷରୁ ଚାପ ପଡ଼ିବାର ଆବଶ୍ୟକତା ଉପରେ ମଧ୍ୟ ଜଷ୍ଟିସ୍ କାଉଲ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ଏକ ସାମାଜିକ ଦାବି ହେବା ଆବଶ୍ୟକ ବୋଲି ସେ ଲେଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.