ଭୁବନେଶ୍ବର ୪।୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡର ଖୋଳତାଡ଼ କରୁଛି ଜାତୀୟ ମାନବିକ ଅଧିକାର ଆୟୋଗ । NHRCଙ୍କ ତଦନ୍ତକାରୀ ଟିମ୍ ଏହି ମାମଲାରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରୁଛି । ଚତୁର୍ଥ ଦିନରେ ମଧ୍ୟ ଏହି ଟିମ୍ ଜେରା ଜାରି ରଖିଛି । ତେବେ ଆଜି ହଠାତ୍ NHRC କ୍ୟାମ୍ପ୍ କୋର୍ଟରେ ସୌମ୍ୟଙ୍କ ଗର୍ଲଫ୍ରେଣ୍ଡଙ୍କୁ ଦେଖିବାକୁ ମିଳିଥିଲା । ସେ NHRC କ୍ୟାମ୍ପ୍ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ ଅଧିକାରୀ ମାନେ ପଚରାଉଚରା କରିଥିବା ଜଣାପଡ଼ିଛି । ତେବେ ତାଙ୍କ ଠାରୁ କିଛି ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି NHRC ଅଧିକାରୀ ଆଶା ରଖିଛନ୍ତି । ସେ ଏହି ମାମଲାରେ କିଛି ଜାଣିଛନ୍ତି କି ନାହିଁ ତାହା ତ ଜଣାପଡିନି କିନ୍ତୁ ପଚରାଉଚରା ପରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି ।

ସେପଟେ ଜୋନ୍ ୪ ଏସିପି ଅଭିମନ୍ୟୁ ନାଏକଙ୍କୁ ମଧ୍ୟ ପଚରାଉଚରା କରୁଛନ୍ତି NHRC ଅଧିକାରୀ । କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥି ମଧ୍ୟ କ୍ୟାମ୍ପ କୋର୍ଟରେ ହାଜର ହୋଇଛନ୍ତି । ରତ୍ନପ୍ରଭା ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛନ୍ତି ।

ତେବେ NHRCଙ୍କ ତଦନ୍ତକାରୀ ଟିମ୍ ତୃତୀୟ ଦିନରେ ୬ଜଣଙ୍କୁ ଜେରା କରିଥିଲେ । ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ୨ ପୀଡ଼ିତା ଯୁବତୀ ଏବଂ ମିନି ଟ୍ରକ୍ ଚାଳକଙ୍କୁ ଜେରା ହୋଇଥିଲା । ଅପରାଧସ୍ଥଳରୁ ହସ୍ପିଟାଲ ନେବା ଭିତରେ ସୌମ୍ୟଙ୍କ ଅସ୍ବାଭାବିକ ମୃତ୍ୟୁର ଅସଲ ରହସ୍ୟ ଖୋଲିଥିଲ ମିନି ଟ୍ରକ୍ ଚାଳକ । NHRC ଟିମ୍ ସାମ୍ନାରେ ସେ କହିଥିଲେ, ହଂସପାଳ-ନିମାପଡ଼ା ରାସ୍ତାରେ ଖାଲି ଟ୍ରକ ନେଇ କାକଟପୁରରୁ ବାହାରିଥିଲେ । ମଞ୍ଚେଶ୍ବରରୁ ଡାଲାରେ ଚୋକଡ଼ ଲଦା ଯିବା ପରେ ପୁଣି କାକଟପୁର ଫେରିଥାନ୍ତେ । ହେଲେ, ବାଲିଅନ୍ତା ନିକଟରେ ଗହଳି ଦେଖି ସେ ସ୍ପିଡ୍ କମ୍ କରିଥିଲେ ।

ହଠାତ୍ ଜଣେ ପୋଲିସ ତାଙ୍କ ଆଡ଼କୁ ମାଡ଼ି ଆସିଥିଲେ । ଜଣେ ଯୁବକଙ୍କୁ ଟ୍ରକ୍‌ରେ ଲଦି ହସ୍ପିଟାଲ ନେବାକୁ କହିଥିଲେ । ଡ୍ରାଇଭର ଜଣକ ବ୍ୟସ୍ତ ଥିଲେ ହେଁ, ପୋଲିସ ସାମ୍ନାରେ ନିରୁପାୟ ହୋଇଗଲେ । ପରେ କିଛି ଲୋକ ସୌମ୍ୟଙ୍କୁ ଏକ ବାଡ଼ିରେ ଲଟକାଇ ଟ୍ରକ ଡାଲରେ ଚଢ଼ାଇଥିଲେ । ଜଣେ ବି ପୋଲିସ କର୍ମଚାରୀ ଟ୍ରକ୍ ଡାଲାକୁ ଚଢ଼ିଲେନି । ଜଣେ ସାଦା ପୋଷାକଧାରୀ ପୋଲିସ ତାଙ୍କ ସହ ଟ୍ରକର ଆଗ ସିଟ୍‌ରେ ବସିଲେ । ଟ୍ରକ୍ ଆଗରେ ଓ ପଛରେ ୨ ପୋଲିସ ଭ୍ୟାନ୍ ଗଲା । ଟ୍ରକ୍ ଡାଲାରେ ସୌମ୍ୟଙ୍କ ସହ ୬ରୁ ୭ଜଣ ଯୁବକ ଉପସ୍ଥିତ ଥିଲେ । ସେମାନେ ସୌମ୍ୟଙ୍କୁ ରାସ୍ତାସାରା ନିର୍ଘାତ ମାଡ଼ ମାରୁଥିବା ଡ୍ରାଇଭର ଜଣକ କହିଥିଲେ ।

ତେବେ ଘଟଣା ଦିନ ବାଲିଅନ୍ତାର ଅପରାଧସ୍ଥଳରେ ପ୍ରକୃତରେ କ'ଣ ଘଟିଥିଲା ? ଘଟଣାଦିନ କିଭଳି ଝଗଡ଼ାର ସୂତ୍ରପାତ ହୋଇଥିଲା ? ପ୍ରକୃତରେ ଭୁଲ କାହାର ଥିଲା ? ଏନେଇ ତଦନ୍ତକାରୀ ୨ ଅଫିସର ସୌମ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଲଦିଥିବା ୨ ପୀଡ଼ିତା ଏବଂ ଓମ୍ ପ୍ରକାଶଙ୍କୁ ଟିକନିକ ପଚରାଉଚରା କରିଥିଲେ । ଦୁଇ ପୀଡ଼ିତା ଏବଂ ଓମ୍ ପ୍ରକାଶକୁ ସାମ୍ନାସାମ୍ନି ବସାଇ NHRC ଟିମ୍ ଜେରା କରିଥିଲା । ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇପିଏସଙ୍କ କ୍ୱାର୍ଟର୍ସରେ ପୂର୍ବରୁ ଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଟିମ୍ ପଚରାଉଚରା କରିସାରିଛନ୍ତି । ​​​​​​​