ଲର୍ଡସ: ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର୍ ଓପନର୍ ତଥା ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏକ ଏଲିଟ୍ କ୍ଲବରେ ସାମିଲ ହୋଇଛନ୍ତି । ୩୦୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ତୃତୀୟ ଭାରତୀୟ ମହିଳା କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି । ଶୁକ୍ରବାର ଐତିହାସିକ ଲର୍ଡସ ମୈଦାନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ଅବସରରେ ମନ୍ଧାନା ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ।

୨୯ ବର୍ଷ ୩୫୭ ଦିନ ବୟସରେ ସ୍ମୃତି ଏହି ଏଲିଟ୍ କ୍ଲବ୍‌ରେ ସାମିଲ ହୋଇଛନ୍ତି । ପୂର୍ବରୁ ଏହି କ୍ଲବରେ ପୂର୍ବତନ ଅଧିନାୟିକା ମିତାଲି ରାଜ୍ (୩୩୩ ମ୍ୟାଚ୍) ଏବଂ ବର୍ତ୍ତମାନର ଅଧିନାୟିକା ହରମନପ୍ରୀତ କୌର (୩୭୪ ମ୍ୟାଚ୍) ରହିଛନ୍ତି । ଏହାସହ ବିଶ୍ୱ ମହିଳା କ୍ରିକେଟ୍ ଇତିହାସରେ ସବୁଠାରୁ କମ୍ ବୟସ୍କ ଖେଳାଳି ଭାବେ ୩୦୦ ମ୍ୟାଚ୍ ଖେଳିବାର ବିଶ୍ୱ ରେକର୍ଡ ମଧ୍ୟ ସେ ନିଜ ନାମରେ କରିଛନ୍ତି । ସେ ଦୁନିଆରେ ୧୨ତମ ମହିଳା ଖେଳାଳି ଭାବେ ଏହି ସଫଳତା ପାଇଛନ୍ତି ।

ବାମହାତୀ ଷ୍ଟାଇଲିସ୍ ଓପନର୍ ସ୍ମୃତି ମନ୍ଧାନା ୨୦୧୩ ମସିହାରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ  ଏବଂ ଟି-୨୦  ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୧୪ରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୧୩ ବର୍ଷ ମଧ୍ୟରେ ସେ ଭାରତୀୟ ମହିଳା କ୍ରିକେଟରେ ଜଣେ ସବୁଠାରୁ ନିର୍ଭରଯୋଗ୍ୟ ଏବଂ ବିସ୍ଫୋରକ ବ୍ୟାଟର ହୋଇଛନ୍ତି । ସେ ସମସ୍ତ ଫର୍ମାଟରେ ମୋଟ ୧୦,୦୦୦ରୁ ଅଧିକ ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରି ଅନେକ ରେକର୍ଡ କରିଛନ୍ତି ।

ଏହି ଉପଲବ୍ଧି ଉପରେ ସ୍ମୃତି କହିଛନ୍ତି, "ମୋର ୩୦୦ତମ ମ୍ୟାଚ୍ ବିଷୟରେ ମୁଁ ଗତକାଲି ରାତିରେ ହିଁ ଜାଣିବାକୁ ପାଇଲି । ଜଣେ ଖେଳାଳି ଭାବରେ ଆମେ ସବୁ ମ୍ୟାଚର ହିସାବ ରଖେ ନାହିଁ । ମୋର ମନେ ଅଛି ୨୦୧୭ ମସିହାରେ ଏହି ଲର୍ଡସ ମୈଦାନରେ ମୁଁ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲି । ସେତେବେଳେ ମୋର ପ୍ରଦର୍ଶନ ଭଲ ନଥିଲା ଏବଂ ମୁଁ ପୁଣିଥରେ ଭାରତ ପାଇଁ ଖେଳିବାର ସୁଯୋଗ ପାଇବି କି ନାହିଁ ଜାଣି ନ ଥିଲି । ତେଣୁ ମୋର ୩୦୦ତମ ମ୍ୟାଚ୍ ଖେଳିବା ପାଇଁ ଲର୍ଡସଠାରୁ ଭଲ ସ୍ଥାନ କିଛି ହୋଇନପାରେ ।"