ଚଣ୍ଡିଗଡ଼: ହରିୟାଣାରେ ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)ର ଶେଷ ତାରିଖ ଜୁଲାଇ ୧୪ ନିର୍ଦ୍ଧାରିତ ଥିଲା। ଏହି ସମୟ ମଧ୍ୟରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ଇନ୍ୟୁମରେସନ ଫର୍ମ (ଇଏଫ) ଜମା କରିଥାନ୍ତେ। ତେବେ ଏହି ସମୟ ସୀମା ମଧ୍ୟରେ ଆହୁରି ୩୬ଲକ୍ଷ ଭୋଟର ମତଦାତା ସୂଚୀରୁ ବାଦ ପଡୁଥିବା ଆଶଙ୍କାରେ ରାଜ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅନୁରୋଧ କ୍ରମେ ଭାରତ ନିର୍ବାଚନ କମିଶନ (ଇସିଆଇ) ଏହି ସମୟ ସୀମାକୁ ଆଉ ୧୦ ଦିନ ବଢାଇ ଜୁଲାଇ ୨୪ ତାରିଖ କରିଦେଇଛନ୍ତି। ଏସଆଇଆରରେ ଏବେ ଆହୁରି ୩୬ ଲକ୍ଷ ଭୋଟରଙ୍କ ସତ୍ୟାପନ ବାକି ଅଛି। ଏଥିରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ)୨୮ ଲକ୍ଷ ଭୋଟରଙ୍କ ଇଏଫ ଫର୍ମ ଅପେକ୍ଷାରେ ଅଛନ୍ତି। ବଳକା ୩୩ ଲକ୍ଷ ଭୋଟରଙ୍କୁ ଅନୁପସ୍ଥିତି, ସ୍ଥାନାନ୍ତରିତ, ଡୁପ୍ଲିକେଟ୍ ଅଥବା ମୃତ (ଏଏସଡିଡି) ଶ୍ରେଣୀରେ ରଖା ଯାଇଛି।

ଅଧିକାରୀ କହିଛନ୍ତି ଯେ ଏଏସଡିଡି ଶ୍ରେଣୀକୁ ପୃଥକ କଲେ ମୃତ ଭୋଟରଙ୍କ ସଂଖ୍ୟା ଜଣାପଡିବ। ନିର୍ବାଚନ ଅଧିକାରୀ କହିଛନ୍ତି ଯେ ୨୮ ଲକ୍ଷ ଭୋଟର ଏ ପର୍ଯ୍ୟନ୍ତ ଇନ୍ୟୁମରେସନ ଫର୍ମ ଜମା କରି ନାହାନ୍ତି। ଏଣୁ ସମ୍ପ୍ରସାରିତ ଅବଧିରେ ଏମାନଙ୍କ ମଧ୍ୟରୁ ଅନେକ ଇଏଫ ଫର୍ମ ଜମା କରିଦେଇ ପାରନ୍ତି। ତେବେ ଏଏସଡିଡି ଶ୍ରେଣୀରେ ଆଉ ଅଧିକ ଭୋଟର ନଥାଇ ପାରନ୍ତି ବୋଲି ଅଧିକାରୀ ଅନୁମାନ କରୁଛନ୍ତି। ଏହା ସତ୍ତ୍ୱେ ଏହି ସମୟ ସମ୍ପ୍ରସାରଣ ଏଥି ପାଇଁ ଦିଆଯାଇଛି ଯେ ଏହି ଶ୍ରେଣୀରେ ଭୁଲକ୍ରମେ ବର୍ଗିକୃତ ବ୍ୟକ୍ତିଙ୍କୁ ୨୪ ଜୁଲାଇ ପୂର୍ବରୁ ନିଜ ଫର୍ମ ଜମା କରିବାକୁ ଓ ପାତ୍ରତା ପ୍ରମାଣ କରିବାକୁ ସମୟ ମିଳିପାରିବ।

ହରିୟାଣା ମୁଖ୍ୟ ନିର୍ବାଚନ ଅଧିକାରୀ ଏ.ଶ୍ରୀନିବାସ ଗଣମାଧ୍ୟମକୁ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ୨.୦୬ କୋଟି ଭୋଟରଙ୍କ ମଧ୍ୟରୁ ପାଖାପାଖି ୧.୭୦ କୋଟି ଭୋଟରଙ୍କ ଠାରୁ ଇନ୍ୟୁମରେସନ ଫର୍ମ ମିଳି ଯାଇଛି। ଏମାନେ ରାଜ୍ୟର ମୋଟ ଭୋଟର ସଂଖ୍ୟାର ୮୨.୩୮% ଅଟନ୍ତି ଓ ଏ ପର୍ଯ୍ୟନ୍ତ ମିଳିଥିବା ସବୁ ଫର୍ମକୁ ଡିଜିଟାଇଜଡ କରିଦିଆଯାଇଛି। ଶ୍ରୀନିବାସ କହିଛନ୍ତି ଯେ ଆମେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲୁ କାରଣ ଗୁରୁଗ୍ରାମ ଓ ଫରିଦାବାଦ ଭଳି ସହରାଞ୍ଚଳର ଲୋକେ ଏବେବି ଇନ୍ୟୁମରେସନ ଫର୍ମ ଜମା କରୁଛନ୍ତି।

ଆମେ ଏହି ପ୍ରକ୍ରିୟା ତରବରିଆ ଭାବେ ଶେଷ କରିବାକୁ ଚାହୁଁନୁ। କାରଣ ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛୁ ଯେ ଯେପରି ଜଣେବି ଯୋଗ୍ୟ ଭୋଟର ତାଲିକାରୁ ବାଦ ନ ପଡନ୍ତି। ହରିୟାଣା ମୁଖ୍ୟ ନିର୍ବାଚନ ଅଧିକାରୀ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖି ସମୟ ସମ୍ପ୍ରସାରଣ ପାଇଁ ଅନୁରୋଧ କରିଥିଲେ। ଆୟୋଗ ସେହି ଦିନ ସଂଶୋଧିତ କାର୍ଯ୍ୟକ୍ରମକୁ ମଞ୍ଜୁର କରିଛନ୍ତି।

ସଂଶୋଧିତ କାର୍ଯ୍ୟକ୍ରମ ଅନୁସାରେ ୧୫ ଜୁନରୁ ୧୪ ଜୁଲାଇ ପର୍ଯ୍ୟନ୍ତ ନିର୍ଦ୍ଧାରିତ ମତଦାନ ଅଧିକାରୀ ଘରକୁ ଘର ଯାଇ ମତଦାତା ସତ୍ୟାପନ କରିବା କାମ ଏବେ ୨୪ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ମତଦାନ କେନ୍ଦ୍ର ଯୁକ୍ତିକରଣ ଓ ପୁନର୍ବ୍ୟବସ୍ଥାପନ ଜୁଲାଇ ୨୪ ପର୍ଯ୍ୟନ୍ତ କରାଯିବ। ଏହା ପରେ ଭୋଟର ଲିଷ୍ଟ ଚିଠା ଜୁଲାଇ ୩୧ରେ ପ୍ରକାଶ ପାଇବ। ଏହା ପରେ ଦାବି ଓ ଆପତ୍ତି କରିବାର ଅବଧି ୩୧ ଜୁଲାଇରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ରହିବ। ଏହାର ସମାଧାନ ୩୧ ଜୁଲାଇରୁ ୨୮ ସେପ୍ଚେମ୍ବର ମଧ୍ୟରେ ସରିବ। ଚୂଡ଼ାନ୍ତ ଭୋଟର ଲିଷ୍ଟ ଅକ୍ଟୋବର ୩ ତାରିଖରେ ପ୍ରକାଶିତ ହେବ।

କେବଳ ହରିୟାଣା ନୁହେଁ ଦିଲ୍ଲୀ, ପଞ୍ଜାବ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଏସଆଇର ଅବଧି ଓ ଚୂଡ଼ାନ୍ତ ଭୋଟର ଲିଷ୍ଟ ଜାରି କରିବାର ସମୟ ସୀମାକୁ ବଢାଇ ଦେଇଛନ୍ତି। ଦିଲ୍ଲୀ ଓ କର୍ଣ୍ଣାଟକରେ ଗଣନା ଅବଧିକୁ ୨୯ ଜୁଲାଇରୁ ବଢାଇ ୮ ଅଗଷ୍ଟ କରିଦେଇଛନ୍ତି। ଏଣୁ ଏହି ଦୁଇ ରାଜ୍ୟରେ ଭୋଟର ଲିଷ୍ଟ ଡ୍ରାଫ୍ଟ ଅଗଷ୍ଟ ୧୭ ତାରିଖରେ ପ୍ରକାଶିତ ହେବ। ପୂର୍ବରୁ ଏହା ଅଗଷ୍ଟ ୫ ତାରିଖରେ ଜାରି ହେବାରେ ଥିଲା। ସେହିପରି ପଞ୍ଜାବରେ ବିଏଲଓ ଘରକୁ ଘର ବୁଲି ସୂଚନା ସଂଗ୍ରହ କରିବା ତାରିଖକୁ ୩ ଅଗଷ୍ଟ ପର୍ଯ୍ୟନ୍ତ ବଢା ଯାଇଛି। ଏଠାରେ ଡ୍ରାଫ୍ଟ ଭୋଟର ଲିଷ୍ଟ ଅଗଷ୍ଟ ୧୩ ତାରିଖରେ ଜାରି ହେବ। ତେଲେଙ୍ଗାନାରେ ମଧ୍ୟ ଏହି ସମୟ ସୀମା ୧୦ ଦିନ ସମ୍ପ୍ରସାରଣ ହୋଇଛି।