କୋଲକାତାନୋବେଲ୍ ବିଜୟୀ ଭାରତୀୟ ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ୍‌ଙ୍କୁ ଏସ୍ଆଇର୍ ନୋଟିସ୍ ଆସିଥିବା ଅଭିଯୋଗ ହୋଇଛି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ଇଲେକ୍ସନ କମିଶନଙ୍କୁ ମଙ୍ଗଳବାର ସମାଲୋଚନା କରିଛନ୍ତି। ଇସି ଜାଣିଶୁଣି ବେଙ୍ଗଲ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଖାଲି ଅମର୍ତ୍ତ୍ୟ ସେନଙ୍କୁ ନୁହେଁ, ଭାରତୀୟ ପେସର ମହମ୍ମଦ ଶାମି ଏବଂ ଅଭିନେତା ତଥା ରାଜନେତା ଦେବଙ୍କୁ ପଠାଯାଇଥିବା SIR ନୋଟିସକୁ ଇଙ୍ଗିତ କରି ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ନୋବେଲ ବିଜେତା ଅର୍ଥନୀତିଜ୍ଞଙ୍କୁ ମଧ୍ୟ ନିର୍ବାଚନ କମିଶନଙ୍କ ସମ୍ମୁଖରେ ସମନ କରାଯାଇଛି। ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ଅଭିଷେକ କହିଛନ୍ତି। ଏସ୍ଆଇଆର୍ ଶୁଣାଣି ପାଇଁ ଏମାନେ ସମସ୍ତେ ହାଜର ହେବେ।

ଏନେଇ ଅଭିଷେକ କହିଛନ୍ତି “ ଏହା ବଡ଼ ଦୁଃଖର କଥା ଯେ ସେମାନେ ଅମର୍ତ୍ତ୍ୟ ସେନଙ୍କୁ ଏକ ନୋଟିସ ପଠାଇଛନ୍ତି, ଯିଏ ଭାରତ ପାଇଁ ନୋବେଲ ପୁରସ୍କାର ଜିତି ଦେଶକୁ ସମୃଦ୍ଧ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଦେଶକୁ ଅଧିକ ପ୍ରସିଦ୍ଧ କରିଛନ୍ତି। ସେମାନେ କ୍ରିକେଟର ମହମ୍ମଦ ଶାମିଙ୍କୁ ମଧ୍ୟ ଏକ ନୋଟିସ ପଠାଇଛନ୍ତି, ଯିଏ ବିଶ୍ୱକପରେ ଭାରତ ପାଇଁ ଖେଳିଥିଲେ। ସେମାନେ ପ୍ରସିଦ୍ଧ ଅଭିନେତା ଦେବଙ୍କୁ ଏକ ଚିଠି ପଠାଇଛନ୍ତି। ଏହା ସମସ୍ତଙ୍କୁ ବଦନାମ କରିବା ଏବଂ ହଇରାଣ କରିବାର ଏକ ପ୍ରୟାସ।”

ଏକ ରାଲିକୁ ସମ୍ବୋଧିତ କରି ଅଭିଷେକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଯେ "ଅମର୍ତ୍ତ୍ୟ ସେନଙ୍କ ପରି ଜଣେ ବ୍ୟକ୍ତି, ଯିଏ ଜାତିର ଗର୍ବ ଏବଂ ଏହାର ସମ୍ମାନ ଅର୍ଜନ କରିଛନ୍ତି ତାଙ୍କୁ କିପରି ଏସଆଇଆର୍ ଶୁଣାଣି ପାଇଁ ଡକାଯାଇଛି। ଏସଆଇଆର ନାଁରେ, ବିଜେପି-ଇସିଆଇ ମେଣ୍ଟ କରି ବଙ୍ଗଳାର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ମୁଁ ଏଠାକୁ ଆସିଲା ପରେ ଜାଣିଲି ଯେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କୁ ଶୁଣାଣି ପାଇଁ ନୋଟିସ କରାଯାଇଛି, ଯିଏ ଦେଶକୁ ପରିଚୟ କରାଇଥିଲେ। ଟିଏମ୍ସିର ଏସବୁ ପ୍ରଶ୍ନ ଭିତରେ ନିର୍ବାଚନ କମିଶନ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।