ନୂଆଦିଲ୍ଲୀ, ୨୪/୧୧: ଭାରତର ପ୍ରଶଂସାରେ ଶତମୁଖ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା । ଭାରତ ପାଇଁ ସେ ଜି-୨୦ ସମ୍ମିଳନୀର ଆୟୋଜନ କରିପାରିଲେ । ଭାରତ ହିଁ ତାଙ୍କୁ ଅନେକ କିଛି ଏବାବଦରେ ଶିଖାଇଥିଲା ବୋଲି କହିଛନ୍ତି ରାମାଫୋସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସି ହସି ସେ ଏହା ଜଣାଇଛନ୍ତି ।

ସୂଚନାନୁସାରେ, ଚଳିତ ଥର ଦକ୍ଷିଣ ଆଫ୍ରିକା ଜି୨୦ ସମ୍ମିଳନୀକୁ ଆୟୋଜନ କରୁଛି । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ବୈଠକ ପରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଏବଂ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାର୍ତ୍ତାଳାପ ହୋଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମାଫୋସା କହିଥିଲେ ଯେ. ଜି୨୦ର ଆୟୋଜନରେ ଭାରତ ସମର୍ଥନ କରିଥିଲା । ମୋଦୀ ଦକ୍ଷିଣ ଆଫ୍ରିକାକୁ ପୂର୍ବରୁ ଏହା ଏକ କଠିନ କାମ ବୋଲି କହିଦେଇଥିଲେ ଭଲ ହୋଇଥାନ୍ତା । ଆମେ ଏହାର ଆୟୋଜନ କରିନଥାନ୍ତୁ । କିଛି ଏମିତି ମଜାଳିଆ ଢଙ୍ଗରେ ମୋଦୀଙ୍କୁ ରାମାଫୋସା ହସିହସି କହିଥିଲେ । ଏ କଥା ଶୁଣି ମୋଦୀଙ୍କ ସହ କୋଠରୀରେ ଥିବା ଅନ୍ୟମାନେ ମଧ୍ୟ ହସି ପକାଇଥିଲେ ।

ରାମାଫୋସା ଆହୁରି କହିଥିଲେ ଯେ, ଭାରତଠୁ ଅନେକ କିଛି ଶିଖିବାକୁ ମିଳିଛି । ଭାରତରେ ୟେପରି ଆଖିଦୃଶିଆ ଆୟୋଜନ ହୋଇଥିଲା ତାହା ବିରଳ । ତାହା ତୁଳନାରେ ଦକ୍ଷିଣ ଆଫ୍ରିକାର ଆୟୋଜନ ଛୋଟ କୋଠରୀରେ ହୋଇଛି ।ଏହାର ଉତ୍ତରେ ଛୋଟ ହିଁ ସଦାବେଳେ ସୁନ୍ଦର ବୋଲି ମୋଦୀ କହିଥିଲେ ।

ସୂଚନାଯୋଗ୍ୟ, ଭାରତ ୨୦୨୩ରେ ମଣ୍ଡପମରେ ୧୮ ତମ ଜି୨୦କୁ ଆୟୋଜନ କରାଯାଇଥିଲା । ଯାହା ଆଖିଦୃଶିଆ ଥିଲା । ଏଥିରେ ଆଫ୍ରିକାନ ୟୁନିଅନକୁ ସଦସ୍ୟତା ପ୍ରଦାନ କରାଯାଇଥିଲା ।