ନୂଆଦିଲ୍ଲୀ ୯।୧୧: କଂଗ୍ରେସ ସାଂସଦ ଶଶି ଥରୁର ଆଡଭାନୀଙ୍କ ପ୍ରଶଂସା କରି ଏବେ ଲୋକଙ୍କ ଟାର୍ଗେଟ୍ କୁ ଆସିଯାଇଛନ୍ତି। ଆଡଭାନୀଙ୍କ ଜନ୍ମ ଦିନରେ ଥରୁର ବଧେଇ ଜଣାଇ ପୋଷ୍ଟ କରିଥିଲେ। ଏଣୁ ଲୋକେ ତାଙ୍କ ବିଚାରଧାରା ଓ ବିଜେପି ନେତାଙ୍କ ଜୀବନୀ ଉପରେ ପ୍ରଶ୍ନ କରୁଥିଲେ। ଏଥିରେ ଏପରି ଏକ ପୋଷ୍ଟର ଥରୁର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଆଡଭାନୀଙ୍କ ଦୀର୍ଘ ରାଜନୈତିକ ଜୀବନକୁ କେବଳ ଏକ ଘଟଣା ଆଧାରରେ ଯାଞ୍ଚ କରାଯିବା ଉଚିତ ନୁହେଁ, ଏହା ଠିକ୍ ନୁହେଁ।

ଏହି ପୁରା ମାମଲା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଶଶି ଥରୁର ଲାଲକୃଷ୍ଣ ଆଡଭାନୀଙ୍କ ୯୮ତମ ଜୟନ୍ତୀ ଅବସରରେ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଥରୁରଙ୍କୁ ଆଡଭାନୀଙ୍କ ସହ ଦେଖା ଯାଇଛି। କଂଗ୍ରେସ ସାଂସଦଙ୍କ ଏହି ପୋଷ୍ଟରେ ଓକିଲ ସଞ୍ଜୟ ହେଗଡେ ଟିପ୍ପଣୀ କରି ଲେଖିଛନ୍ତି ଯେ କ୍ଷମା କରିବେ ଥରୁର, ଏହି ଦେଶରେ ଘୃଣା ଓ ଡ୍ରାଗନ ମଞ୍ଜି (ଖୁସବନ୍ତ ସିଂହଙ୍କ ପୁସ୍ତକରୁ) ବୁଣିବା ସାର୍ବଜନିକ ସେବା ନୁହେଁ। ଏଥିରେ ହେଗଡେ ଆଡଭାନୀଙ୍କ ରାମମନ୍ଦିର ଆନ୍ଦୋଳନରେ ଭୂମିକା ଓ ରଥଯାତ୍ରାର ଉଲ୍ଲେଖ ମଧ୍ୟ କରିଛନ୍ତି, ଯାହାକୁ ଦେଶରେ ବାବ୍ରୀ ମସଜିଦ ଭଙ୍ଗାର ପ୍ରେରଣା ମନେ କରାଯାଉଛି।

 

ଉଲ୍ଲେଖଯୋଗ୍ୟଯେ ସାମ୍ବାଦିକ ତଥା ଲେଖକ ଖୁସବନ୍ତ ସିଂହ ଏକ କାର୍ଯ୍ୟକ୍ରମରେ ଲାଲକୃଷ୍ଣ ଆଡଭାନୀଙ୍କ ସାମ୍ନାରେ କହିଥିଲେ ଯେ ‘ଆଡଭାନୀଜୀ ଆପଣ ଏହି ଦେଶରେ ଘୃଣା ଓ ଡ୍ରାଗନ ମଞ୍ଜି ବୁଣି ଦେଇଛନ୍ତି’। ଏହା ପରେ ଖୁସବନ୍ତ ସିଂହ ତାଙ୍କ ପୁସ୍ତକ ‘ଦି ଏଣ୍ଡ ଅଫ ଇଣ୍ଡିଆ’ରେ ମଧ୍ୟ ଏହି କଥା ଉଲ୍ଲେଖ କରିଥିଲେ। ତେବେ ଶଶି ଥରୁର ତାଙ୍କ ପୋଷ୍ଟରେ ହେଗଡେଙ୍କ ମନ୍ତବ୍ୟ ଉପରେ ନିଜର ପକ୍ଷ ରଖିଛନ୍ତି ଓ ଲେଖିଛନ୍ତି ମଧ୍ୟ।ତେବେ ଥରୁର କଣ ଲେଖିଛନ୍ତି ଆସନ୍ତୁ ଜାଣିବା।  

ଶଶି ଥରୁର ଲେଖିଛନ୍ତି ଯେ ‘ଆଡଭାନୀଙ୍କ ସମ୍ପୂର୍ଣ୍ଣ ସାର୍ବଜନିକ ଜୀବନକୁ କେବଳ ଏକ ଘଟଣା ମଧ୍ୟରେ ସୀମିତ କରିଦେବା ଉଚିତ ନୁହେଁ। ତେଣିକି ତାହା କେତେବି ଗୁରୁତ୍ୱପୂର୍ଣ୍ଣ ହେଇ ଥାଉନା କାହିଁକି, ଏହା ଉଚିତ ନୁହେଁ... କାରଣ ନେହେରୁଜୀଙ୍କ ପୁରା କାର୍ଯ୍ୟକାଳକୁ କେବଳ ଚୀନ୍‌ ଠାରୁ ମିଳିଥିବା ପରାଜୟ ଉପରେ ଅଙ୍କା ଯାଇ ପାରିବ ନାହିଁ, ଯେପରି ଇନ୍ଦିରା ଗାନ୍ଧିଙ୍କ ସାର୍ବଜନିକ ଜୀବନକୁ ଜରୁରିକାଳୀନ ପରିସ୍ଥିତି ସହ। ଯଦି ଆମେ ଇନ୍ଦିରା ଓ ନେହେରୁଙ୍କ ପ୍ରତି ସେପରି ଆଚରଣ କରିପାରିବା ନାହିଁ ଆଡଭାନୀଙ୍କ ସହିତ ମଧ୍ୟ ଆମକୁ ସେହି ସିଷ୍ଟତା ଦେଖାଇବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି ଥରୁର।