ନୂଆଦିଲ୍ଲୀ ୨।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଶାସନରୁ ବେଦଖଲ ହେବା ପରେ ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ତାଙ୍କୁ ଶାସନ ଗାଦିରୁ ବିତାଡିତ କରାଯିବା ବିଦେଶୀ ଆତଙ୍କବାଦୀ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି। ଏଥି ପାଇଁ ସେ ସିଧାଶଳଖ ଆମେରିକା ଓ ପାକିସ୍ତାନକୁ ଦାୟି କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ ଏହି ଦୁଇ ଦେଶ ମିଳିତ ମୋତେ ଶାସନରୁ ବେଦଖଲ କରିବା ପାଇଁ ଛାତ୍ର ଆନ୍ଦୋଳନ ଆଢୁଆଳରେ ହିଂସା ଉସକାଇଥିଲେ।

ହସିନା ‘ଦି ପ୍ରିଣ୍ଟ’ କୁ ସାକ୍ଷାତକାରରେ କହିଛନ୍ତି ଯେ ବାଂଲାଦେଶରେ ଜୁଲାଇ-ଅଗଷ୍ଟରେ ହୋଇଥିବା ଛାତ୍ର ଆନ୍ଦୋଳନ କୌଣସି ଗଣତାନ୍ତ୍ରିକ ବିପ୍ଳବ ନଥିଲା ବରଂ ଆମେରିକା ଦ୍ୱାରା ରଚା ଯାଇଥିବା ଆତଙ୍କବାଦୀ ଆକ୍ରମଣ ଥିଲା, ଯାହାକୁ ପାକିସ୍ତାନ ସହଯୋଗରେ ସଫଳ କରାଯାଇଛି। ସେ କହିଛନ୍ତି ଯେ ‘ଏହାକୁ ଆନ୍ଦୋଳନ କୁହ ନାହିଁ, ଏହା ବାଂଲାଦେଶ ଉପରେ ଆକ୍ରମଣ ଥିଲା। ମୋତେ କ୍ଷମତାରୁ ବେଦଖଲ କରିବାକୁ ଆମେରିକାର ଷଡ଼ଯନ୍ତ୍ର ଥିଲା, ଏହାକୁ ପାକିସ୍ତାନୀ ତାକତ ସଫଳ କରିଥଲେ ଓ  ଛାତ୍ର ବିଦ୍ରୋହ ରୂପେ ଉପସ୍ଥାପନା କରାଯାଇଥିଲା’।

ପୂର୍ବତନ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ଯେଉଁ ହତ୍ୟା ପାଇଁ ତାଙ୍କ ସରକାରଙ୍କୁ ଦାୟି କରାଯାଇଥିଲା ସେହି ସବୁ ହତ୍ୟା ପୋଲିସ ନୁହେଁ ଆତଙ୍କବାଦୀମାନେ କରିଥିଲେ। ଯାହା ଦ୍ୱାରା ତାଙ୍କ ବିରୋଧରେ ଜନତାଙ୍କୁ ଉସକା ଯାଇ ପାରିଲା। ଶେଖ ହସିନା ମହମ୍ମଦ ୟୁନୁସଙ୍କ ଉପରେ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି। କହିଛନ୍ତି ସେ ଆମେରିକା ଇଶାରାରେ ଷଡ଼ଯନ୍ତ୍ର କରିଥିଲେ ଓ ଫଣ୍ଡିଂ କରିଥିଲେ। ସେଖ ହସିନା କହିଛନ୍ତି ଯେ ଆମେରିକା ସେଣ୍ଟ ମାର୍ଟିନ ଦ୍ୱୀପ ଉପରେ ନିଜ ନିୟନ୍ତ୍ରଣ ଚାହୁଁଥିଲା। ହେଲେ ହସିନା ଅସ୍ୱୀକାର କରିବା ପରେ ତାଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚା ଯାଇଥିଲା।

ହସିନା କହିଛନ୍ତି ଯେ ମହମ୍ମଦ ୟୁନୁସ ତାଙ୍କ ମହତ୍ୱାକାଙକ୍ଷା ପାଇଁ ବାଂଲାଦେଶକୁ ବରବାଦ କରୁଛନ୍ତି। ଏଥିରେ ହସିନା ପାକିସ୍ତାନକୁ ମଧ୍ୟ ଆକ୍ଷେପ କରିଛନ୍ତି କହିଛନ୍ତି ପାକିସ୍ତାନ ଚରମପନ୍ଥୀ  ନେଟୱାର୍କକୁ ସମର୍ଥନ ଦେଇ ଆସୁଥିଲା ଓ ୧୯୭୧ ମସିହାରୁ ଚଳି ଆସୁଥିବା ହସ୍ତକ୍ଷେପ ପରମ୍ପରାର ଏହ ଅଂଶ ବିଶେଷ। ମହମଦ ୟୁନୁସଙ୍କ ଅନ୍ତରୀଣ ସରକାର ବାଂଲାଦେଶରେ ଆବାମୀ ଲିଗ୍ ର ଗତିବିଦ୍ଧି ନିଲମ୍ବନ କରିଥିବା ବେଳେ ପାର୍ଟିର ପଞ୍ଜିକରଣ ମଧ୍ୟ ରଦ୍ଦ କରିଦେଇଛନ୍ତି। ଏବେ ହସିନା ଓ ତାଙ୍କ ପାର୍ଟି ଅନେକ ଆଇନଗତ ମାମଲାର ସମ୍ମୁଖୀନ ହୋଇଛି।

ବାଂଲାଦେଶ ନିର୍ବାଚନ ଆୟୋଗ ଡିସେମ୍ବର ମାସରେ ସାଧାରଣ ନିର୍ବାଚନ ଘୋଷଣା କରିପାରେ। ସେନା ଓ ବିରୋଧୀ ଦଳଙ୍କ ଚାପରେ ଆଗାମୀ ବର୍ଷ ଫେବୃଆରୀ ସୁଦ୍ଧା ଦେଶରେ ନିର୍ବାଚନ କରାଇବାକୁ ୟୁନୁସ ପ୍ରତିଶ୍ରୁତି ଦେଇଛନ୍ତି। ଭୀଷଣ ବିରୋଧରେ  ହସିନାଙ୍କୁ ଦେଶ ଛାଡିବାକୁ ପଡିଥିଲା। ସେତେବେଳକୁ ଦେଶରେ ୧,୪୦୦ ଲୋକଙ୍କ ମୃତ୍ୟୁ ହୋଇସାରିଥିଲା। ସରକାରୀ ଚାକିରୀରେ କୋଟାକୁ ନେଇ ଛାତ୍ର ବିରୋଧ ପ୍ରଦର୍ଶନ କରିଥିଲେ। ହେଲେ ଦେଖୁ ଦେଖୁ ଛାତ୍ର ଆନ୍ଦୋଳନ ହସିନାଙ୍କ  ଇସ୍ତଫା ଦାବିରେ ପରିବର୍ତ୍ତି ହୋଇଯାଇଥିଲା। ସେନା ମୁଖ୍ୟ ୱାକର-ଉଜ-ଜମାନଙ୍କ ପରାମର୍ଶରେ ହସିନା ଦେଶ ଛାଡି ଭାରତ ଚାଲି ଆସିଥିବା ବେଳେ ସେବେଠାରୁ ଭାରତରେ ଅବସ୍ଥାନ କରୁଛନ୍ତି।