ନୂଆଦିଲ୍ଲୀ: ଗ୍ଲେସିୟର ତରଳୁଛି, ଏନେଇ ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି । କିନ୍ତୁ ଏବେ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗ୍ଲେସିୟର ଲଗାତାର ତରଳୁଥିବାରୁ ଏହା ମହାବିପଦ ଆଣିବ । ଏସିଆ ମହାଦେଶ ପ୍ରତି ବଡ଼ ବିପଦ ରହିଛି ବୋଲି ଚେତାବନୀ ଦେଇଛନ୍ତି ବୈଞ୍ଜାନିକ । ଆଗକୁ ୫୦ ହଜାରରୁ ଅଧିକ ନୂଆ ହ୍ରଦ ତିଆରି ହୋଇପାରେ । ଏହା ଦ୍ବାରା ଏସିଆ ସମେତ ବିଶ୍ପର ବିଭିନ୍ନ ପ୍ରାନ୍ତରେ ପ୍ରଳୟଙ୍କରୀ ବନ୍ୟା ହେବାର ଭୟକୁ ଏଡ଼ାଇ ଦିଆଯାଇନପାରେ । ସୃଷ୍ଟି ହେବାକୁ ଥିବା ଏହି ଗ୍ଲେସିୟର ହ୍ରଦ ପ୍ରଭାବରେ କୋଟି କୋ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । 

ପୃଥିବୀର ପ୍ରାୟ ୨୦୦,୦୦୦ ରୁ ୨୭୫,୦୦୦ ଗ୍ଲେସିୟରରେ ବିଶ୍ୱର ୬୯% ବିଶୁଦ୍ଧ ପାନୀୟ ଜଳ ଗଚ୍ଛିତ ଅଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ ହେତୁ ଏହି ବରଫ ନଦୀଗୁଡ଼ିକ ଦ୍ରୁତ ଗତିରେ ତରଳିବାରେ ଲାଗିଛି। 'ନେଚର କମ୍ୟୁନିକେସନ୍ସ' (Nature Communications) ପତ୍ରିକାରେ ପ୍ରକାଶିତ ଏକ ନୂତନ ଗବେଷଣା ଅନୁଯାୟୀ, ସ୍ୱିଡେନ, ଆମେରିକା, ସ୍ୱିଜରଲ୍ୟାଣ୍ଡ ଏବଂ ନରୱେର ଗବେଷକମାନେ ଆଣ୍ଟାର୍କଟିକା ଓ ଗ୍ରୀନଲ୍ୟାଣ୍ଡ ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳର ବରଫ ତଳେ ଥିବା ଭୂପୃଷ୍ଠର ତଥ୍ୟ ଅନୁଧ୍ୟାନ କରିଛନ୍ତି। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ବରଫ ତରଳିବା ପରେ ସେହି ସ୍ଥାନଗୁଡ଼ିକରେ ପ୍ରାୟ ୫୬,୬୫୯ ଟି ନୂତନ ହ୍ରଦ ସୃଷ୍ଟି ହୋଇପାରେ।

ଏହି ନୂତନ ହ୍ରଦଗୁଡ଼ିକ ପ୍ରାୟ ୪୦,୬୪୭ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଯାଏଁ ବ୍ୟାପିବେ ଏବଂ ଏଥିରେ ୩,୧୩୮ କ୍ୟୁବିକ୍ କିଲୋମିଟର ଜଳ ଗଚ୍ଛିତ ରହିପାରିବ। ଏହି ଜଳ ସାନ୍ଦ୍ରତା ସମୁଦ୍ରର ଜଳପତ୍ତନକୁ ପ୍ରାୟ ୭ ମିଲିମିଟର ଯାଏଁ ବୃଦ୍ଧି କରିବା ପାଇଁ ଯଥେଷ୍ଟ, ଯାହା ଅସ୍ଥାୟୀ ଭାବେ ଏହି ହ୍ରଦଗୁଡ଼ିକରେ ଜମା ହୋଇ ରହିବ। ବରଫମୁକ୍ତ ହେବାକୁ ଥିବା ମୋଟ ସ୍ଥଳଭାଗର ପ୍ରାୟ ୬% ଅଞ୍ଚଳ ଏହି ହ୍ରଦଗୁଡ଼ିକ ଦ୍ୱାରା ଆଚ୍ଛାଦିତ ହୋଇଯିବ।

ଉପସାଲା ୟୁନିଭରସିଟି, କାର୍ନେଗି ମେଲନ୍ ୟୁନିଭରସିଟି, ୟୁନିଭରସିଟି ଅଫ୍ ଲୋଜାନ ଏବଂ ୟୁନିଭରସିଟି ଅଫ୍ ଓସଲୋର ବୈଜ୍ଞାନିକମାନେ "Instructed Glacier Model" ନାମକ ଏକ 3D ଆଇସ୍ ଫ୍ଲୋ ମଡେଲ୍ ପ୍ରସ୍ତୁତ କରିଛନ୍ତି। ଏହି ମଡେଲ୍ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (GPU) ଏବଂ ଡିପ୍ ଲର୍ନିଂ (Deep Learning) ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ କାର୍ଯ୍ୟ କରେ। ବୈଜ୍ଞାନିକମାନେ TOPO-DE v1.0 (Topography of a Deglaciated Earth) ନାମକ ଏକ ବିଶ୍ୱସ୍ତରୀୟ ଡାଟାସେଟ୍ ତିଆରି କରିଛନ୍ତି, ଯାହା ବରଫ ତଳେ ଲୁଚି ରହିଥିବା ଗଭୀର ଉପତ୍ୟକା, ଗର୍ତ୍ତ ଓ ପ୍ରାକୃତିକ ବେସିନଗୁଡ଼ିକୁ ୧୦୦ ରୁ ୪୦୦ ମିଟର ସୂକ୍ଷ୍ମତା ସହ ଦର୍ଶାଇଥାଏ।

ଗ୍ରହର ମାତ୍ର ୨% ବରଫନଦୀର ଭୂପୃଷ୍ଠ ନିର୍ଦ୍ଦିଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ, ଗବେଷକମାନେ ଉଚ୍ଚତା, ବରଫର ମୋଟେଇ, ପ୍ରବାହ ଗତି ଏବଂ ମାସ୍‌ ବାଲାନ୍ସର ଆଞ୍ଚଳିକ ତଥ୍ୟକୁ ଏକତ୍ରୀତ କରି ଏହି ମାନଚିତ୍ର ତିଆରି କରିଛନ୍ତି। ଏହି ନୂତନ ହ୍ରଦ ସୃଷ୍ଟି ହେବା ଫଳରେ ଏସିଆର ଉଚ୍ଚ ପାର୍ବତ୍ୟାଞ୍ଚଳ (ହିମାଳୟ, କାରାକୋରମ୍, ହିନ୍ଦୁକୁଶ, ପାମିର୍ ଓ ତିଏନ୍ ସାନ୍) ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାସହ ଆଣ୍ଡିଜ୍, ଆଲାସ୍କା ଏବଂ ଆର୍କଟିକ୍ ଅଞ୍ଚଳରେ ମଧ୍ୟ ବନ୍ୟା ବିପଦ ବୃଦ୍ଧି ପାଇବ। ଗ୍ଲେସିୟରର ନିମ୍ନ ଭାଗରେ ସୃଷ୍ଟି ହେଉଥିବା ହ୍ରଦଗୁଡ଼ିକରୁ ପ୍ରଚୁର ପରିମାଣର ଜଳ, କାଦୁଅ, ବରଫ ଓ ପଥର ତଳକୁ ପ୍ରବାହିତ ହେବ। ଏହାକୁ 'ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍' କୁହାଯାଏ।

୨୦୨୩ ର ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱର ପ୍ରାୟ ୧୫ ନିୟୁତ (୧.୫ କୋଟି) ଲୋକ ଏହିପରି ଆକସ୍ମିକ ବନ୍ୟା ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ବିପଦପୂର୍ଣ୍ଣ ଜନସଂଖ୍ୟାର ଅଧାରୁ ଅଧିକ (ପ୍ରାୟ ୯.୩ ନିୟୁତ) କେବଳ ଏସିଆର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ରହୁଛନ୍ତି। ମୁଖ୍ୟତଃ ଭାରତ, ପାକିସ୍ତାନ, ପେରୁ ଏବଂ ଚୀନ୍ — ଏହି ଚାରୋଟି ଦେଶରେ ଏଭଳି ଜନସଂଖ୍ୟା ଅଧିକ । ଏହାର ସକରାତ୍ମକ ଦିଗ ହେଉଛି, ଗ୍ରୀଷ୍ମ ଦିନେ ବା ଶୁଷ୍କ ସମୟରେ ଏହି ହ୍ରଦଗୁଡ଼ିକ ପ୍ରାକୃତିକ "ଜଳ ଟାଙ୍କି" ଭାବେ କାର୍ଯ୍ୟ କରି ନଦୀ, ସ୍ଥାନୀୟ ସମୁଦାୟ ଓ କୃଷି କ୍ଷେତ୍ରକୁ ଜଳ ଯୋଗାଇ ପାରିବେ। ଏହା ସ୍ଥାନୀୟ ଜୈବବିବିଧତା ବୃଦ୍ଧି କରିବା ସହ ଜଳଚର ଜୀବଙ୍କ ପାଇଁ ନୂଆ ବାସସ୍ଥଳୀ ସୃଷ୍ଟି କରିବ। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ହ୍ରଦଗୁଡ଼ିକୁ ବ୍ୟବହାର କରି ଜଳବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ।